ଶିଶୁ ଶ୍ରମମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର : ଓଡ଼ିଶାକୁ ଶିଶୁ ଶ୍ରମମୁକ୍ତ କରିବାକୁ ୟୁନିସେଫ୍, ରାଜ୍ୟ ଶ୍ରମ ନିଦ୍ଦେର୍ଶାଳୟ ଓ ଏଡ୍‌-ଏଟ୍‌-ଆକ୍ସନ୍ ଏକ ରୂପରେଖ ପ୍ରସ୍ତୁତ କରିଛନ୍ତି। ଏ ନେଇ ଆଜି ଏଠାରେ ଆୟୋଜିତ ବୈଠକରେ ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍ ଯୋଗଦେଇ କହିଲେ, ପିଲାମାନେ କୋଭିଡ୍‌ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ବହୁ ଦିନ ଧରି ବିଦ୍ୟାଳୟ ବନ୍ଦ ରହିଛି। ପରିବାରର ଜୀବିକା ଗୁରୁତର ଭାବେ ପ୍ରଭାବିତ ହୋଇଥିବାରୁ ବହୁ ପିଲା ଶିଶୁ ଶ୍ରମ ଆଡ଼କୁ ଟାଣି ହୋଇଛନ୍ତି। ଶିଶୁ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ପିଲାମାନେ ଶାରୀରିକ, ଭାବନାତ୍ମକ ଓ ଯୌନଗତ ଶୋଷଣର ଶିକାର ହେବାର ସମ୍ଭାବନା ବଢ଼ି ଯାଇଛି। ତେଣୁ ଶିଶୁଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ମଧ୍ୟରେ ଉପଯୁକ୍ତ ସମନ୍ୱୟ ରହିବା ନିହାତି ଆବଶ୍ୟକ।

ୟୁନିସେଫ୍ ଓଡ଼ିଶାର ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡ଼ୁ କହିଲେ, ଆମ ସମାଜ ଶିଶୁ ଶ୍ରମକୁ ମାନସିକସ୍ତରରେ ଗ୍ରହଣ କରିନେଇଛି। ପାରିବାରିକ ପରିସ୍ଥିତି ହେତୁ ପିଲାମାନେ ବିଦ୍ୟାଳୟ ଛାଡ଼ି କାମ କରିଥା’ନ୍ତି। ଏହା ବାଲ୍ୟବିବାହ ସହ ମଧ୍ୟ ଜଡ଼ିତ। ଶୈଶବ ହେଉଛି ପିଲାଙ୍କର ବିକାଶ ଓ ପ୍ରେରଣାର ସମୟ। ଯଦି ଏହି ସମୟରେ ସେମାନେ କାମ କରିବା ଆରମ୍ଭ କରନ୍ତି, ଏହା ସେମାନଙ୍କର ବିକାଶର ଗତି ବାଧାପ୍ରାପ୍ତ ହେବା ସହ ସାମର୍ଥ୍ୟକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ସେଥିପାଇଁ ଶିଶୁ ଶ୍ରମକୁ ରୋକିବାକୁ ସମସ୍ତେ ଆଗେଇ ଆସିବାକୁ ସେ ଆହ୍ବାନ ଦେଇଥିଲେ। ରାଜ୍ୟ ଶ୍ରମ କମିସନର ଏନ୍‌ ଥିରୁମାଲା କହିଲେ, ଶିକ୍ଷା ପିଲାଙ୍କୁ ଶ୍ରମରୁ ମୁକ୍ତ କରିଥାଏ। ଯେତେବେଳେ ସେମାନେ ବିଦ୍ୟାଳୟ ଯିବାକୁ ସୁଯୋଗ ପାଆନ୍ତି, ସେତେବେଳେ ସେମାନଙ୍କ ପାଇଁ ସୁଯୋଗର ଅନେକ ଦ୍ୱାର ଖୋଲିଥାଏ। ସମାଜରେ ସମସ୍ତଙ୍କୁ ଶିକ୍ଷାର ମୂଲ୍ୟ ବିଷୟରେ ବୁଝାଇବା ସହ ପିଲାଙ୍କୁ କାମ କରିବାକୁ ନ ପଠାଇ, ବିଦ୍ୟାଳୟକୁ ପଠାଇବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ଏଡ୍‌-ଏଟ୍‌-ଆକ୍ସନ୍‌ର ପ୍ରବାସୀ ଶିକ୍ଷା ନିର୍ଦ୍ଦେଶକ ଉମି ଡାନିଏଲ୍ ଗତ ୧୦ ବର୍ଷରେ ସଂସ୍ଥା ପକ୍ଷରୁ ୨ଶହରୁ ଅଧିକ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଶିକ୍ଷା ଦିଆଯାଇଥିବା ସୂଚନା ଦେଇଥିଲେ। ଉପସ୍ଥିତ ଇଟାଭାଟି ମାଲିକମାନେ ଶିଶୁ ଶ୍ରମିକ ବିରୋଧରେ ଥିବା ଆଇନ ବିଷୟରେ ସେମାନେ କିପରି ଅବଗତ ହେଲେ ଏବଂ ଏହାକୁ ଦୂର କରିବା ପାଇଁ ସେମାନେ ନେଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ। ଏହି ବୈଠକରେ ରାଜ୍ୟ ଅତିରିକ୍ତ ଶ୍ରମ କମିସନର୍‌ ସୁନିଲ୍ କୁମାର ସାହୁ, ଯୁଗ୍ମ ଶ୍ରମ କମିସନର ପ୍ରଦୀପ କୁମାର ମହାପାତ୍ର, କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ(ଓଏଏସ୍‌ଏମ୍‌ଇ)ର ସମ୍ପାଦକ ଗୌରୀ ଶଙ୍କର ଦାସ, ପିକକ୍‌ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର