ଭୁବନେଶ୍ୱର : ଆଉ ମାତ୍ର ୨ଦିନ ପରେ ଆରମ୍ଭ ହେବ ହକି ବିଶ୍ୱ ଲିଗ୍‌ ଫାଇନାଲ। ଏଥିପାଇଁ ଭାରତ ସମେତ ଜର୍ମାନୀ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନେଦରଲ୍ୟାଣ୍ଡ, ବେଲ୍‌ଜିୟମ, ଇଂଲଣ୍ଡ ଆଦି ଦେଶଗୁଡ଼ିକର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଲେଣି। ଖେଳାଳିମାନଙ୍କୁ ରାଜଧାନୀର ମେ’ ଫେୟାର, ଟ୍ରାଇଡେଣ୍ଟ, ସ୍ୟାଣ୍ଡିସ୍‌ ଟାଓ୍ଵାର, ସ୍ୱସ୍ତି ପ୍ରିମିୟମ, ଏଚ୍‌ଏଚ୍‌ଆଇ ଭଳି ତାରକା ହୋଟେଲ୍‌ରେ ରଖାଯାଇଛି। ଆସନ୍ତାକାଲି ମଧ୍ୟରେ ପ୍ରାୟ ସବୁଦେଶର ଖେଳାଳି ରାଜଧାନୀରେ ପହଞ୍ଚିଯିବେ। ତେଣୁ ସେମାନଙ୍କ ସୁରକ୍ଷାଠାରୁ ଆରମ୍ଭ କରି ଯିବା ଆସିବା, ରହିବା, ଅଭ୍ୟାସ କିଭଳି ଶାନ୍ତିଶୃଙ୍ଖଳାର ସହ କରାଯିବ, ସେ ନେଇ କମିସନରେଟ୍‌ ପୁଲିସ ପକ୍ଷରୁ ଜୋରଦାର ପସ୍ତୁତି ଆରମ୍ଭ ହୋଇଛି। ଏମିତିକି ଆଜିଠାରୁ ଷ୍ଟାଡିୟମରେ ଅଗ୍ନିଶମ ଓ ବନ ବିଭାଗକୁ ମୁତୟନ କରାଯାଇଛି।

Advertisment

ଡିସେମ୍ବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜଧାନୀରେ ଅନୁଷ୍ଠିତ ହେବ ହକି ବିଶ୍ୱ ଲିଗ୍‌। ବିଶ୍ୱସ୍ତରର ଏକ ବଡ଼ କାର୍ଯ୍ୟକ୍ରମ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବାରୁ କମିସନରେଟ୍‌ ପୁଲିସ ଚାପରେ ରହିଛି। ସୁରକ୍ଷା ନେଇ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ଚାଲିଛି ବୈଠକ।

ପୁଲିସ କମିସନର୍‌ ଯୋଗେଶ ବାହାଦୂର୍‌ ଖୁରାନିଆଙ୍କ ସୂଚନା ଅନୁଯାୟୀ, ଖୋଳାଳିମାନଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବିମାନବନ୍ଦରରୁ ହୋଟେଲ୍‌, ଗେଷ୍ଟହାଉସ୍‌ରେ ପହଞ୍ଚାଇବା, ଅଭ୍ୟାସ ପାଇଁ ଷ୍ଟାଡିୟମ୍‌କୁ ନେବା ଆଣିବା କରିବା ଓ ଖେଳ ସରିବା ପରେ ଖେଳାଳିମାନଙ୍କୁ ବିମାନବନ୍ଦରରେ ପହଞ୍ଚାଇବା ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାଜଧାନୀକୁ ଦୁଇଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ବିମାନବନ୍ଦର-ଟ୍ରାଫିକ୍‌-ଷ୍ଟାଡିୟମ୍‌କୁ ସୁରକ୍ଷା ଦେବ। ରାଜଧାନୀର ମୁଖ୍ୟ ଛକ, ଲୋକଗହଳି ସ୍ଥାନରେ ପୁଲିସ ୨୪ଘଣ୍ଟିଆ ପହରା ଦେବ। ସେହିପରି ଷ୍ଟାଡିୟମ୍‌ ଭିତରକୁ ବ୍ୟାଗ୍‌ ଓ ବୋତଲ ନେଇ କଟକଣା ମଧ୍ୟ ଜାରି କରାଯାଇଛି। ଖେଳ ସମୟରେ ଦର୍ଶକମାନେ ଷ୍ଟାଡିୟମ ଭିତରକୁ ବ୍ୟାଗ କିମ୍ବ ବୋତଲ ନେଇପାରିବେ ନାହିଁ ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ଜଗିବେ ୨୫ ପ୍ଲାଟୁନ ଫୋର୍ସ, ଶହେ ଅଫିସର

ଖେଳାଳିମାନଙ୍କ ସୁରକ୍ଷା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ୨୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ କରାଯିବ। ସେମାନଙ୍କୁ ନିୟନ୍ତ୍ରଣ କରିବେ ଶହେ ଅଫିସର୍‌। ସେମାନଙ୍କ ମଧ୍ୟରେ ୨ ଡିସିପିଙ୍କ ସମେତ ଏସ୍‌ପି, ଅତିରିକ୍ତ ଏସ୍‌ପି ଓ ଏସିପି ପାହ୍ୟାର ଅଫିସର୍‌ଙ୍କ ସହ ଆଇଆଇସି ଏବଂ ଅନ୍ୟ ଅଫିସର୍‌ ରହିବେ। ସେହିପରି ଆଣ୍ଟି ଟେରୋରିଷ୍ଟ ସ୍କ୍ଵାଡ୍‌, ଏସ୍‌ଓଜି ଯବାନ, କ୍ୟୁଏଟି, ଇଣ୍ଟେଲିଜେନ୍ସ ଭଳି ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯିବ। ଏହାଛଡ଼ା ଷ୍ଟାଡିୟମରେ ପୁଲିସ କଣ୍ଟ୍ରୋଲ୍‌ରୁମ ଖୋଲାଯାଇଛି। ଯେଉଁଥିରେ ଡିସିପି ପାହ୍ୟାର ଅଫିସର୍‌ ଦାୟିତ୍ୱରେ ରହିଛନ୍ତି। କଳିଙ୍ଗ ଷ୍ଟାଡିୟମକୁ ସ୍ୱତନ୍ତ୍ର ଭାବେ ଏସ୍‌ଓଜି କମାଣ୍ଡୋ ଜଗିବେ। ପ୍ରତି ଗ୍ୟାଲେରିରେ ଇଣ୍ଟେଲିଜେନ୍ସ ସ୍କ୍ଵାଡ୍‌ର ପୁଲିସଙ୍କୁ ମୁତୟନ କରାଯିବ। ସେହିପରି ଖେଳାଳି ରହୁଥିବା ଗେଷ୍ଟହାଉସ୍‌, ହୋଟେଲରେ ମଧ୍ୟ ପୁଲିସ ମୁତୟନ ହୋଇସାରିଛନ୍ତି। ସବୁଠି ମେଟାଲ ଡିଟେକ୍ଟର ମଧ୍ୟ ଖଞ୍ଜାଯାଇଛି।

ସିସିଟିଭି ନଜରରେ ବିମାନବନ୍ଦରରୁ କଳିଙ୍ଗ ଷ୍ଟାଡିୟମ

ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଭୁବନେଶ୍ୱର ବିମାନବନ୍ଦରରୁ କଳିଙ୍ଗଷ୍ଟାଡିୟମ୍‌ ଯାଏଁ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଛି। ଏଥିପାଇଁ ସ୍ୱତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ ମଧ୍ୟ ସ୍ଥାପନ ହୋଇଛି। ବିମାନବନ୍ଦରରୁ ଷ୍ଟାଡିୟମ୍‌ରେ ଖେଳାଳି ପହଞ୍ଚିବା ପର୍ଯ୍ୟନ୍ତ ଏହି ସିସିଟିଭି ସମସ୍ତ ଗତିବିଧି ଉପରେ ନଜର ରଖିବ। ସେହିପରି ଖେଳାଳି ଥିବା ହୋଟେଲ୍‌, ଗେଷ୍ଟହାଉସ ଏବଂ ଯିବା ଆସିବା ରାସ୍ତାରେ ମଧ୍ୟ ସିସିଟିଭି ଲଗାଯାଇଛି। କୌଣସି ଅସୁବିଧା ହେଲେ କଣ୍ଟ୍ରୋଲ ରୁମ୍‌ ସିଧାସଳଖ ଏ ସଂପର୍କରେ ଜାଣି ତଦନୁଯାୟୀ ପଦକ୍ଷେପ ନେବ।