ମଲ୍ଲ ଓ ଖମ୍ବରୁ ଆନୀତ ଶବ୍ଦ ହେଉଛି ମାଲଖମ୍ବ। ମଣିଷ ଓ ଖମ୍ବକୁ ନେଇ ଯୋଗ ପ୍ରଦର୍ଶନକୁ ମାଲଖମ୍ବ କୁହାଯାଏ। ପୁରୀର ମାଲଖମ୍ବ ଏକାଡେମି ଗ୍ରୁପରୁ ଆସିଥିବା ଏକ ୧୩ଜଣିଆ ଦଳ ଯୋଗ, ଜିମ୍ନାଷ୍ଟିକ୍ ଓ ମାଲଖମ୍ବର ମିଶ୍ରିତ କୌଶଳକୁ ନେଇ ପ୍ରାୟ ୨୦ରୁ ଅଧିକ ପିରାମିଡ଼ ପ୍ରଦର୍ଶନ କରିଥିଲେ। ଦୁଃସାହାସିକ କଳା ଉପସ୍ଥାପନା କରି ସେମାନେ ଉପସ୍ଥିତ ଲୋକଙ୍କୁ ଚମତ୍କୃତ କରି ଦେଇଥିଲେ। ଏହା ସହ ଶୀର୍ଷାସନ, ମୟୂରାସନ, ବଜ୍ରଂପକଡ଼, ପାଦହସ୍ତାସନ, କୁରୁମାସନ, କୁକୁଡ଼ାସନ ଆଦି ଯୋଗର ବିଭିନ୍ନ କଳା କୌଶଳ ଦେଖାଇଥିଲେ। ଗ୍ରୁପର ମୁଖ୍ୟ ପ୍ରଭାସ କୁମାର ଗୋଚ୍ଛେଇ କହନ୍ତି, ଶାରୀରିକ ସୁସ୍ଥତା ଥିଲେ ମାଲଖମ୍ବକୁ ୯ରୁ ୯୦ ବର୍ଷ ବୟସ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତି କରିପାରିବେ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମାଲଖମ୍ବ ଦ୍ବାରା ଦେହରେ ଥିବା ସମସ୍ତ ପ୍ରକାରର ରୋଗକୁ ଝାଳ ଆକାରରେ ଚିପୁଡ଼ି ନିଗାଡ଼ି ଦିଆଯାଏ ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2021/03/jm2.jpg)
ପ୍ରଶଂସା ସାଉଁଟିଲା ପ୍ରିୟାଂଶୁଙ୍କ ଯୋଗନୃତ୍ୟ
କଳିଙ୍ଗ ଷ୍ଟାଡିଅମ୍ରେ ଆଜି ଆୟୋଜିତ ହୋଇଥିବା ଯୋଗାଥନ୍ର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିଥିଲା ଯୋଗନୃତ୍ୟ। ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ପ୍ରିୟାଂଶୁ କୁମାର ମହାନ୍ତି(୧୪) ଯୋଗନୃତ୍ୟ ମଧ୍ୟରେ ହନୁମାନ ଆସନ, ପାଦହସ୍ତ ହନୁମାନ ଆସନ, ସର୍ବାଙ୍ଗ ଆସନ, ଉଗ୍ରତାଣ୍ଡବ ଆସନ ଆଦି କରି ସମସ୍ତଙ୍କ ପ୍ରଶଂସା ସାଉଁଟିଥିଲେ। ପ୍ରିୟାଂଶୁଙ୍କ କହିବା ମୁତାବକ, ସେ ୬ ବର୍ଷ ବୟସରୁ ଯୋଗ କରିଆସୁଛନ୍ତି। ଯୋଗନୃତ୍ୟରେ ସେ ତରଙ୍ଗ ପକ୍ଷରୁ ଆୟୋଜିତ ଲିଟିଲ୍ ଷ୍ଟାର୍, ଝୁମ୍ ଓଡ଼ିଶା ଝୁମ୍, ଷ୍ଟାର୍ ଅଫ୍ ଓଡ଼ିଶା, ଡିଆଇଡି ଆଦି ପ୍ରତିଯୋଗିତାରେ ଫାଇନାଲ୍ ପର୍ଯ୍ୟନ୍ତ ଯାଇଛନ୍ତି।
/sambad/media/post_attachments/wp-content/uploads/2021/03/m29.jpg)
ମନ ମୋହିଲା ଡିଏଭି ଛାତ୍ରୀଙ୍କ ଦୁଃସାହାସିକ ଯୋଗମୁଦ୍ରା
କଳିଙ୍ଗନଗର ଡିଏଭିରୁ ଆସିଥିବା ଯୋଗନୃତ୍ୟ ଗ୍ରୁପ୍ର ଦୁଃସାହାସିକ ଯୋଗମୁଦ୍ରା ଲୋକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଏ ନେଇ ପ୍ରଶିକ୍ଷିକା ଶୁଭଶ୍ରୀ ରାଉଳ କହିଛନ୍ତି, ଯୋଗର ପ୍ରଚାର ପ୍ରସାର ହେଉଛି ତାଙ୍କର ମୂଳ ଲକ୍ଷ୍ୟ। ଯାହା ସୁସ୍ଥ ସମାଜ ଗଢ଼ିବାରେ ସହାୟକ ହେବ। ଅପରପକ୍ଷରେ ଛୋଟ ପିଲାଙ୍କ ପାଇଁ ଏଭଳି ପ୍ଲାଟ୍ଫର୍ମ ସେମାନଙ୍କର ମନୋବଳ ବୃଦ୍ଧି କରିବ ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2021/03/jm-6.jpg)
୧୦୮ ସୂର୍ଯ୍ୟ ନମସ୍କାର
ବହୁ ଯୋଗର ମିଶ୍ରଣ ‘ସୂର୍ଯ୍ୟ ନମସ୍କାର’ ହୋଇଥିବାରୁ ଯୋଗାଥନରେ ସୂର୍ଯ୍ୟ ନମସ୍କାରକୁ ଗୁରୁତ୍ବ ଦିଆଯାଇ ୧୦୮ ଥର କରାଯାଇଥିଲା। ବିଭୁଦତ୍ତ ରାଉତ ଓ ସେଫାଳି ଏହାର ଉପକାରିତା ସମ୍ପର୍କରେ ବୁଝାଇବା ସହ ଏହାର ଅଭ୍ୟାସ କରାଇଥିଲେ। ଉପସ୍ଥିତ ସମସ୍ତ ଯୋଗପ୍ରାଣ ବ୍ୟକ୍ତି ଉତ୍ସାହର ସହ ସୂର୍ଯ୍ୟ ନମସ୍କାର କରିଥିଲେ। ବ୍ୟସ୍ତବହୁଳ ଜୀବନରେ କେବଳ ସୂର୍ଯ୍ୟ ନମସ୍କାରକୁ ଆପଣେଇବା ଦ୍ବାରା ଅନେକ ଲାଭ ମିଳିଥାଏ ବୋଲି ଶ୍ରୀ ରାଉତ କହିଥିଲେ। ସେହିଭଳି ଅଶୋକ କୁମାର ସାହୁ ଭ୍ରାମରି ପ୍ରାଣାୟାମ ଶିଖାଇଥିଲେ।
/sambad/media/post_attachments/wp-content/uploads/2021/03/jm.jpg)
ହସି ହସି ବେଦମ୍
ଯୋଗାଥନ୍ରେ ବଲିଉଡ କି ଓଲିଉଡର କେହି ହାସ୍ୟାଭିନେତା ନଥିଲେ। ଏପରିକି ସଂପ୍ରତି ସାମାଜିକ ଗଣମାଧ୍ୟମରେ ଅତ୍ୟାଧୁନିକ ଷ୍ଟାଣ୍ଡଅପ୍ କମେଡିଆନଙ୍କ ହାସ୍ୟରସାତ୍ମକ ସୋ’ ପ୍ରଦର୍ଶନ ମଧ୍ୟ ହେଉନଥିଲା। ଲୋକେ କିନ୍ତୁ ହସି ହସି ବେଦମ୍ ହୋଇ ଯାଉଥିଲେ। ଆବାଳବୃଦ୍ଧବନିତା ସମସ୍ତେ ହସି ହସି ଗଡ଼ୁଥିଲେ। କାରଣ ହସର ଖୋରାକ୍ ଯୋଗାଉଥିଲେ ହସଗୁରୁ ଅନ୍ନଦ ପ୍ରସାଦ ଦାଶ। ନିଜ ମନକୁ ପ୍ରଫୁଲ୍ଲ ରଖିବା ପାଇଁ ତଥା ଶରୀରକୁ ସୁସ୍ଥ ରଖିବା ପାଇଁ ଗୋଟେ ଟିମ୍ ଓ ଶ୍ରୀ ଦାଶ ଲୋକଙ୍କୁ ହସାଉଥିଲେ। କେତେବେଳେ ଓଡ଼ିଶାର ପରମ୍ପରା ହସ୍ତଯୋଡ଼ିକୁ ନେଇ ତ କେତେବେଳେ ନିଶ୍ବାସ ପ୍ରଶ୍ବାସର ଉପଚାରକୁ ନେଇ। ଶ୍ରୀ ଦାଶଙ୍କର ଏଭଳିଆ ହାସ୍ୟ ଉପଚାର ଶରୀର ପାଇଁ ନିତାନ୍ତ ଆବଶ୍ୟକ ବୋଲି ଏକ ନୂତନ ଜ୍ଞାନ ନେଇ ଫେରିଥିଲେ ଯୋଗପ୍ରେମୀ।
/sambad/media/post_attachments/wp-content/uploads/2021/03/j-m28.jpg)
ସେଲ୍ଫି ଜୋନ୍ ପାଲଟିଲା ଯୋଗାଥନ୍ ମଞ୍ଚ
ଓଡ଼ିଶା ଯୋଗାଥନ୍ର ଦ୍ବିତୀୟ ସଂସ୍କରଣରେ ଆଜି ଯୁବପିଢ଼ିଙ୍କ ମଧ୍ୟରେ ସେଲ୍ଫିମାନିଆ ଦେଖିବାକୁ ମିଳିଥିଲା। କେତେବେଳେ ସୂର୍ଯ୍ୟ ନମସ୍କାର ବା ପଦ୍ମାସନ ଯୋଗମୁଦ୍ରାରେ ତ କେତେବେଳେ ଯୋଗାଥନ୍ର ମଞ୍ଚ ଓ ପୋଷ୍ଟର୍ ନିକଟରେ ଛିଡ଼ା ହୋଇ ସେଲ୍ଫି ନେବାର କୌଣସି ମଉକା ହାତ ଛଡ଼ା କରୁ ନ ଥିଲେ ଯୁବପିଢ଼ି। ଯୋଗ ପର୍ବ ଶେଷ ହେବା ପରେ ଏହି ପୋଷ୍ଟର୍ ସତେ ଯେମିତି ସେଲ୍ଫି ଜୋନ୍ ପାଲଟି ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/jm4.jpg)