‘ସମ୍ବାଦ’ ପକ୍ଷରୁ ଓଡ଼ିଶା ଯୋଗାଥନ୍‌-୨୦୨୨: ‌ଯୋଗରେ ତଲ୍ଲୀନ ରାଜଧାନୀ

ଜୀବାତ୍ମା ସହ ପରମାତ୍ମାର ମିଳନ ଯୋଗ ଦର୍ଶନର ମୂଳମନ୍ତ୍ର, ଶିହରଣ ଖେଳାଇଲା ଓଁକାର ଧ୍ବନି

ଭୁବନେଶ୍ବର: ନିଛାଟିଆ କଳାଘୁମର ପିଚୁ ରାସ୍ତା ଉପରେ ବିଚ୍ଛୁରିତ ହୋଇ ପଡ଼ୁଥାଏ ଷ୍ଟ୍ରିଟ୍‌ ଲାଇଟ୍‌। ପୂରା ପରିବେଶ କୁହୁଡ଼ିରେ ଆଚ୍ଛାଦିତ, ଶାନ୍ତସ୍ନିଗ୍ଧ ମନୋରମ ପାହାନ୍ତା ପ୍ରହର। ଠିକ୍‌ ଏହି ସମୟରେ ସୁଲୁସୁଲିଆ ପବନରେ ଭାସି ଆସୁଥିଲା ପବିତ୍ର ଓଁକାର ଧ୍ବନି। ସହିଦ୍‌ ସ୍ପୋର୍ଟିଂ କ୍ଲବ୍‌ ପଡ଼ିଆରେ ଶହଶହ ଯୋଗପ୍ରେମୀଙ୍କ ଏକତ୍ର ଓଁ ଉଚ୍ଚାରଣ କାନରେ ଗୁଞ୍ଜରିତ ହେବା କ୍ଷଣି ଦେହ ଓ ମନରେ ଶିହରଣ ଖେଳି ଯାଉଥିଲା। ଆଜିର ବ୍ୟସ୍ତବହୁଳ ଜୀବନରେ ଶରୀରକୁ ଫିଟ୍ ରଖିବା ତଥା ଯୋଗର ଉପକାରିତା ସଂପର୍କରେ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ‘ସମ୍ବାଦ’ ଓ ‘ଓଡ଼ିଶା ଯୋଗ ଆସୋସିଏସନ୍‌’ ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଓଡ଼ିଶା ଯୋଗାଥନ୍-୨୦୨୨’ର ପରିବେଶ ଥିଲା ଏମିତି।

‘ଓଡ଼ିଶା ଯୋଗାଥନ୍’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ମଧ୍ୟ ଯୋଗ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଭୋର୍‌ରୁ ବହୁ ଯୋଗ ପ୍ରଶିକ୍ଷକ, ଯୋଗାଭ୍ୟାସକାରୀ, ସାଧାରଣ ନାଗରିକଙ୍କୁ ସହିଦ୍‌ ସ୍ପୋର୍ଟିଂ କ୍ଲବ୍‌ ପଡ଼ିଆରେ ଦେଖିବାକୁ ମିଳିଥିଲ। ସକାଳ ସାଢ଼େ ୫ଟା ସୁଦ୍ଧା ପଞ୍ଜୀକରଣ ସରିବା ପରେ ଯୋଗାଭ୍ୟାସକାରୀମାନଙ୍କୁ ଯୋଗ ମ୍ୟାଟ୍‌ ଓ ବସ୍ତ୍ର ଯୋଗାଇ ଦିଆଯାଇଥିଲା। ପରେ ପରେ ଯୋଗଗୁରୁ ସୁରେନ୍ଦ୍ର କୁମାର ସାହୁ ଓ କୁଳମଣି ନାୟକଙ୍କ ଦ୍ବାରା ଓଁକାର ଉଚ୍ଚାରଣ ଓ ବେଦପାଠ କରାଯାଇଥିଲା।

କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ପ୍ରିୟ କ୍ରିଷ୍ଣାନନ୍ଦ ଅବଧୂତ ଉଦ୍‌ଘା‌ଟନ କରିଥିବା ବେଳେ କିଂବଦନ୍ତି ହକି ତାରକା ଦିଲ୍ଲୀପ ତିର୍କୀ ମୁଖ୍ୟ ଅତିଥି ଭାବେ ଯୋଗ‌ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ଉତ୍କଳ କରାଟେ ସ୍କୁଲ୍‌ର ପ୍ରତିଷ୍ଠାତା ହରି ପ୍ରସାଦ ପଟ୍ଟନାୟକ, ଅଲ୍‌ ଓଡ଼ିଶା ଯୋଗ ଆସୋସିଏସନ୍‌ର ସଭାପତି ମନୋରଂଜନ ସାହୁ, ସମ୍ପାଦକ ଦୀପ୍ତିରଂଜନ ମହାନ୍ତି ମଞ୍ଚ ଉପରେ ଉପସ୍ଥିତ ରହି ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ଆଚାର୍ଯ୍ୟ ପ୍ରିୟକ୍ରିଷ୍ଣାନନ୍ଦ ଅବଧୂତ କହିଥିଲେ ଯେ ସାରା ବିଶ୍ବ ଏବେ ବିଭିନ୍ନ ସମସ୍ୟାରେ ଜର୍ଜରିତ। ଚାରିଆଡ଼େ ହତାଶା, ନିରାଶା, ଅବସାଦ, ଘୃଣା ରକ୍ତପାତର ବହ୍ନି ବ୍ୟାପୀ ଚାଲିଛି। ଏହି ସମୟରେ ଭାରତୀୟ ଯୋଗ ଦର୍ଶନର ଉପ‌ାଦେୟତା ସାରା ବିଶ୍ବକୁ ସକାରାତ୍ମକ ଦିଗ ଦେଖାଉଛି। ଭାରତୀୟ ଯୋଗ ଦର୍ଶନର ମୂଳକଥା ହେଉଛି, ଜୀବାତ୍ମା ସହ ପରମାତ୍ମାର ମିଳନ। ଦେହ ରୂପକ ମନ୍ଦିରକୁ ନିୟମିତ ଯୋଗଭ୍ୟାସ ଦ୍ବାରା ସୁସ୍ଥ ରଖିବାକୁ ପଡ଼ିବ। ଜୀବନକୁ ଆନନ୍ଦମୟ ଓ ମଧୁରମୟ କରିବାକୁ ଜୀବନରେ ଶୃଙ୍ଖଳା, ସଂଯମ, ସଂକଳ୍ପ, ଆତ୍ମବିଶ୍ବାସ, ସାଧନାକୁ ଆପଣାଇବାକୁ ପଡ଼ିବ ବୋଲି ସେ କହିଥିଲେ।

ମୁଖ୍ୟ ଅତିଥି ଶ୍ରୀ ତିର୍କୀ କହିଥିଲେ, ହଜାର ହଜାର ବର୍ଷ ଧରି ଯୋଗ ବଞ୍ଚି ରହିଛି। ପୂର୍ବରୁ ମୁନି ଋଷିମାନେ ଯୋଗାଭ୍ୟାସ କରୁଥିଲେ, ଏବେ ତାହା ଘରେ ଘରେ ପହଞ୍ଚି ପାରିଛି। ବିଶ୍ବରେ ୧୯୦ଟି ଦେଶ ଭାରତୀୟ ଦର୍ଶନକୁ ଗ୍ରହଣ କରି ପ୍ରତିଦିନ ଯୋଗଭ୍ୟାସ କରୁଛନ୍ତି। ସମାଜ ଓ ନିଜ ପାଇଁ ଯୋଗ ଅତ୍ୟନ୍ତ ଜରୁରୀ। ନିଜର ସ୍ବାସ୍ଥ୍ୟ ଓ ମାନସିକତାକୁ ଦୃଢ଼ କରିବା ପାଇଁ ଯୋଗ ଏକାନ୍ତ ଆବଶ୍ୟକ। ପ୍ରତି ବ୍ୟକ୍ତିର ସ୍ବାସ୍ଥ୍ୟର ସୁରକ୍ଷା ପାଇଁ ‘ସମ୍ବାଦ’ ଏଭଳି ପ୍ରୟାସ କରିଥିବାରୁ ‘ସମ୍ବାଦ’ ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସମେତ ‘ସମ୍ବାଦ’ ଗ୍ରୁପ୍‌କୁ ଶ୍ରୀ ତିର୍କୀ ଧନ୍ୟବାଦ ଦେଇଥିଲେ।

‘ସମ୍ବାଦ’ ଗ୍ରୁପ୍‌ ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଲେ, ଓଡ଼ିଶାବାସୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା‌ ଉତ୍ତରଦାୟିତ୍ବକୁ ଦୃଷ୍ଟିରେ ରଖି ତୃତୀୟଥର ପାଇଁ ଓଡ଼ିଶା ଯୋଗାଥନ୍‌ର ଆୟୋଜନ କରାଯାଇଛି। ଯୋଗ କରିବା ପାଇଁ ଛୋଟ ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଉତ୍ସାହ, କାର୍ଯ୍ୟକ୍ରମକୁ ପ୍ରତିବର୍ଷ ଆୟୋଜନ କରିବାକୁ ମନୋବଳ ବଢ଼ାଉଛି ବୋଲି ସେ କହିଥିଲେ।

ଓଡ଼ିଶା ଯୋଗ ଆସୋସିଏସନ୍ ସଭାପତି ମନୋରଂଜନ ସାହୁ କହିଲେ, ଦୈନନ୍ଦିନ ଜୀବନରେ ଆନନ୍ଦକୁ ଉପଭୋଗ କରିବାକୁ ପ୍ରତ୍ୟହ ୨୪ଘଣ୍ଟା ଭିତରୁ ମାତ୍ର ଏକ ଘଣ୍ଟା ନିଜ ପାଇଁ ଦିଅନ୍ତୁ। ଯୋଗ ଦ୍ବାରା ନିଜକୁ ରିଚାର୍ଜ କରି ଆନନ୍ଦରେ ସୁସ୍ଥତାର ସହ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।

ସୂର୍ଯ୍ୟ ଦେବତାଙ୍କ ପହିଲି କରଣ ମାଟି ଉପରେ ପଡ଼ିବା କ୍ଷଣି ଯୋଗଗୁରୁ ସୁରେଶ ତ୍ରିପାଠୀ, ମନୋଜ କୁମାର ରାଉତ ଓ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସୂର୍ଯ୍ୟ ନମସ୍କାର କରାଯାଇଥିଲା। ପଡ଼ିଆରେ ଉପସ୍ଥିତ ଶହଶହ ଯୋଗାଭ୍ୟାସକାରୀ ଏକସଙ୍ଗରେ ୫୧ଥର ସୂର୍ଯ୍ୟ ନମସ୍କାର କରିଥିଲେ। ପରେ ଗୁରୁ ବୀରକିଶୋର ବେହେରାଙ୍କ ଦ୍ବାରା ପ୍ରାଣାୟମ କରାଯାଇଥିଲା। ଗୁରୁ ଚନ୍ଦ୍ରକାନ୍ତ ବାରିକଙ୍କ ତତ୍ତ୍ବାବଧାନରେ ‘ଖୋର୍ଦ୍ଧା ଡିଭାଇନ୍‌ ସ୍ପୋର୍ଟସ୍‌ ଏକାଡେମିର ଜାତୀୟ ସ୍ବର୍ଣ୍ଣପଦକ ବିଜେତା ସ୍ନିଗ୍ଧା କାନୁନ୍‌ଗୋ ଓ ତାଙ୍କ ଟିମ୍‌ ଯୋଗନୃତ୍ୟ ପରିବେଷଣ କରିଥିଲେ। ପରେ ପୁରୀର ପ୍ରକାଶ କୁମାର ଗୋଚ୍ଛି ଓ ସାଥୀଙ୍କ ଦ୍ବାରା ‘ମାଲ୍‌ଖମ୍ବ’ ପ୍ରଦର୍ଶନ ହୋଇଥିଲା।

ବରଫ ଓ କଣ୍ଟା ଉପରେ ଭବାନୀ ଶଙ୍କର ଦାଶ ଓ ନୃସିଂହ ପାଣିଗ୍ରାହୀ ଦୁଃସାହାସିକ ଯୋଗାଭ୍ୟାସ କରି ସମସ୍ତଙ୍କୁ ଚକିତ କରିଥିଲେ। ଶେଷରେ ସୁରେନ୍ଦ୍ର କୁଳମଣିଙ୍କ ଦ୍ବାରା ଭକ୍ତିଯୋଗ ଭଜନ ଗାନ କରାଯାଇଥିଲା।

ଉପସ୍ଥାପକ ନିରଦ ଆଚାର୍ଯ୍ୟ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ‘ସମ୍ବାଦ’ ମୁଖ୍ୟ ପରିଚାଳନା ଅଧିକାରୀ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ମୁଖ୍ୟ ମହାପ୍ରବନ୍ଧକ(ବାର୍ତ୍ତା) ଅରବିନ୍ଦ ଦାସ, ଉପ ମହାପ୍ରବନ୍ଧକ(ମାନବ ସମ୍ବଳ) ବୈଜୟନ୍ତୀ କର, ମହାପ୍ରବନ୍ଧକ (ବିଜ୍ଞାପନ) ସଂଜୟ ଗୌର୍‌, ଉପ ମହାପ୍ରବନ୍ଧକ(ବିତ୍ତ) ପ୍ରଭାସ ସାହୁ, କାର୍ଯ୍ୟକ୍ରମର ମୁଖ୍ୟ ପ୍ରାୟୋଜକ ଫ୍ରିଡମ୍‌ ଅଏଲ୍‌ର ଜେନେରାଲ୍‌ ମ୍ୟାନେଜର୍‌ ଅମିୟ ଧଳ ପ୍ରମୁଖ ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମରେ ସହପ୍ରାୟୋଜକ ଭାବେ ଆପ୍‌ଟି ପ୍ଲସ୍‌, ଜେନିଥ୍‌ ଫ୍ୟାସନ୍‌(ଉତ୍ସବ), ଆସ୍ଥା ସ୍କୁଲ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ, ରୟ ଗ୍ୟାଷ୍ଟ୍ରୋ ଆଣ୍ଡ ଲିଭର୍‌ ସେଣ୍ଟର, ଅଡିୟମ୍‌ କ୍ଲିନିକ୍‌, ଫ୍ୟୁଚୁରୋ ଆଜିଲିଟି କେୟାର୍‌, ସ୍ପାର୍କ ଫିଟ୍‌ନେସ୍‌, ସାର୍‌ ଓଡ଼ିଶା, ଆସ୍ପାୟର୍‌ ହସ୍ପିଟାଲ୍‌ ପ୍ରା.ଲି., ଥ୍ରିଏସ୍‌ ଡେଣ୍ଟାଲ୍‌ କେୟାର୍‌, ବୈଦ୍ୟବୁଟି ଫୁଡ୍‌ସ, ଏସ୍‌ଆର୍‌ଏଲ୍‌ ଡାଇଗ୍ନୋଷ୍ଟିକ୍‌, କଏର୍‌ ଇଣ୍ଡିଆ, ହେଲ୍‌ଥ୍‌ ପାର୍ଟନର୍‌ ସମ୍‌ ଅଲଟିମେଟ୍‌, ଫୁଡ୍‌ ପାର୍ଟନର୍‌ ଏସାର୍‌ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର