‘ସମ୍ବାଦ’ ଓ ଓଡ଼ିଶା ଯୋଗ ସଂଘ ପକ୍ଷରୁ ଓଡ଼ିଶା ଯୋଗାଥନ୍ : ଯୋଗ‌ରେ ନିମଗ୍ନ ଓଁକାର‌ରେ ତଲ୍ଲୀନ

ଭୁବନେଶ୍ବର : ଯୋଗରେ ନିମଗ୍ନ ଥିଲା ମନ ଆଉ ଶରୀର। ସୂର୍ଯ୍ୟ ନମସ୍କାରଠୁ ନେଇ ଯୋଗ ଓ ପ୍ରାଣାୟାମର ବିଭିନ୍ନ ମୁଦ୍ରାରେ ପିଲାଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଥିଲେ ଯୋଗମନସ୍କ। ଓଁକାର ଧ୍ବନିରେ ତଲ୍ଲୀନ ହୋଇ ଅନ୍ତର୍ମୁଖୀ ହେବ‌ାର ଏମିତି ଏକ ମହାର୍ଘ୍ୟ ଅବସର ସୃଷ୍ଟି କରିଥିଲା ‘ସମ୍ବାଦ’ର ଅଭିନବ ପ୍ରୟାସ ଓଡ଼ିଶା ଯୋଗାଥନ୍। ରବିବାର ଭୋରରୁ ଏକ ଆଧ୍ୟାତ୍ମିକ ପରିବେଶରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଓଡ଼ିଶା ଯୋଗାଥନର ଏହି ଦ୍ବିତୀୟ ସଂସ୍କରଣରେ ଏକାଠି ହୋଇଥି‌ଲେ ରାଜଧାନୀର ଶହଶହ ଯୋଗପ୍ରେମୀ। ଉଦ୍ଦେଶ୍ୟ ଥିଲା, ବ୍ୟସ୍ତବହୁଳ ଜୀବନରୁ ଭାରାକ୍ରାନ୍ତ ମନକୁ ପ୍ରଫୁଲ୍ଲିତ କରିବା ଏବଂ ଅଭିଜ୍ଞ ଯୋଗଗୁରୁମାନଙ୍କଠାରୁ ଶରୀରକୁ ସୁସ୍ଥ ରଖିବାର ଉପାୟ ଶିଖିବା।

ଓଁକାର ଉଚ୍ଚାରଣ ସାଙ୍ଗକୁ ଶଙ୍ଖ ଧ୍ବନି ମଧ୍ୟରେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଆରମ୍ଭ ହୋଇଥିଲା ଯୋଗାଥନ୍ ପର୍ବ। ‘ସମ୍ବାଦ’ ଓ ‘ଓଡ଼ିଶା ଯୋଗ ସଂଘ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ବିଶାଳ ସମାବେଶରେ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ଭୁବନେଶ୍ବର-କଟକ ଦ୍ବୈତନଗରୀର ପୁଲିସ୍ କମିସନର ସୁଧାଂଶୁ ଷଡ଼ଙ୍ଗୀ, ସମ୍ବାଦ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ବେଦାନ୍ତ ବିଜ୍ଞାନର ସ୍ବାମୀ ଭଗବତନନ୍ଦ ସରସ୍ବତୀ, ଆଚାର୍ଯ୍ୟ ଲୋକାନନ୍ଦ, ଓଡ଼ିଶା ଯୋଗ ସଂଘର ସଭାପତି ନବକିଶୋର ମହାନ୍ତି ଓ ସାଧାରଣ ସମ୍ପାଦକ ଆଦିତ୍ୟ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଶ୍ରୀଜଗନ୍ନାଥଙ୍କ ନାମ ଉଚ୍ଚାରଣ କରି ବକ୍ତବ୍ୟରେ କହିଲେ ଯେ ଯୋଡ଼ିବା ବା ଯୋଗ କରିବା, ବିଯୋଗ ନୁହେଁ; ଯୋଗ। ଶରୀର ଓ ମନକୁ ଯୋଡ଼ିବା ଏବଂ ତା ସହିତ ସମସ୍ତେ ଯୋଗାଥନ୍ ସହିତ ଯୋଡ଼ି ହେବାକୁ ସେ ଆହ୍ବାନ ଦେଇଥିଲେ। ଏହା ସହିତ ବଡ଼ି ଭୋରରୁ ଉଠି ନିର୍ଦ୍ଧାରିତ ସମୟରେ ପହଞ୍ଚି ସଚେତନତାର ବଳିଷ୍ଠ ପ୍ରମାଣ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ପୁଲିସ୍ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ସମ୍ବାଦ ପକ୍ଷରୁ ଆୟୋଜିତ ଏହି ଅଭିନବ ପ୍ରୟାସକୁ ସ୍ବାଗତ କରି କହିଲେ, ମନ ଚଗଲା ରହିଲେ ଶରୀର ଭଲ ରହିବ ନାହିଁ। ଯୋଗ ମନକୁ ଶୃଙ୍ଖଳିତ କରି ରଖିବାର ଏକ ଉପାୟ। ଓଡ଼ିଶା ଯୋଗାଥନର ଦ୍ବିତୀୟ ସଂସ୍କରଣରେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତିକୁ ସେ ସ୍ବାଗତ କରିଥିଲେ। ପ୍ରାରମ୍ଭରେ ସ୍ବାମୀ ଭଗବତନନ୍ଦ ସରସ୍ବତୀ ଓ ଆଚାର୍ଯ୍ୟ ଲୋକାନନ୍ଦ ଯୋଗର ଉପକାରିତା ସମ୍ବନ୍ଧରେ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗର ହାତ ବଢ଼ାଇଥିଲେ ଫ୍ରିଡମ୍ ଅଏଲ୍, ଲିଓଟ୍ରୋନିକ୍ସ ଷ୍ଟାବିଲାଇଜର୍, ଵିଫି ଇଣ୍ଟରନେଟ୍, ଓପୁଲେଣ୍ଟ୍ ଡେକର୍, ଜେନକ୍ସ ଡାଇଗ୍ନୋଷ୍ଟିକ୍ସ, ବୈଦ୍ୟବୁଟି ଆୟୁର୍ବେଦ, ୩୨ ଜେମ୍ସ ଅଫ୍ ସ୍ମାଇଲ୍, ଦ ମାର୍ଟ, ଆନନ୍ଦ ମିଲ୍କ ଟ୍ରେଡ୍ସ, ସଦିଦ୍ ରଘୁ ସର୍ଦ୍ଦାର, ସତ୍ୟସାଇ ମେଡିକାଲ କଲେଜ। ହେଲ୍‌ଥ ପାର୍ଟନର ଭାବେ ସମ୍ ଅଲ୍ଟିମେଟ୍ ମେଡିକେୟାର ଥିବା ବେଳେ ନ୍ୟୁଟ୍ରିସନ୍ ପାର୍ଟନର ପିଆଇ ଇଲୋକ୍ଟ୍ରଲାଇଟ୍ ଏବଂ ବେଭେରେଜ୍ ପାର୍ଟନର୍ ଥିଲା ବବଲ୍ସ। କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଶ୍ରୀନିବାସ ଘଟୁଆରି।

ସମ୍ବନ୍ଧିତ ଖବର