‘ସମ୍ବାଦ’ ପକ୍ଷରୁ ଓଡ଼ିଶା ଯୋଗାଥନ୍‌-୨୦୨୨: ବରଫ ଓ କଣ୍ଟାରେ ଯୋଗ

ଭୁବନେଶ୍ବର: ଯୋଗାଥନ୍‌-୨୦୨୨ର ଅନ୍ୟତମ ଆକର୍ଷଣ ଥିଲା ବରଫ ଓ କଣ୍ଟା ଉପରେ ଯୋଗାଭ୍ୟାସ। ସାମାନ୍ୟ କଣ୍ଟାଟିଏ ପାଦରେ ଫୁଟିଗଲେ ରକ୍ତ ଝରେ, ଭାରି ଯନ୍ତ୍ରଣା ହୁଏ। ଶହ ଶହ ଲୁହାକଣ୍ଟା ଉପରେ ଯୋଗ କରିବା କେତେ କଷ୍ଟଦାୟକ ହୋଇ ନଥିବ? ସେହିପରି ବରଫ ଖଣ୍ଡ ଉପରେ ଯୋଗ କରିବା ମଧ୍ୟ ଅତ୍ୟନ୍ତ କଷ୍ଟସାଧ୍ୟ। କିନ୍ତୁ ପୁରୀର ଦୁଇ ଯୁବ ପ୍ରତିଭା, ୨୨ବର୍ଷୀୟ ଭବାନୀ ଶଙ୍କର ଦାସ ଓ ୨୪ ବର୍ଷୀୟ ନୃସିଂହ ପାଣିଗ୍ରାହୀ ଏହି ଅସାଧ୍ୟ କାମକୁ କରି ଉପସ୍ଥିତ ଲୋକଙ୍କୁ ଚକିତ କରିଥିଲେ।

ଲୁହାକଣ୍ଟା ଉପରେ ଜଣେ ଶୋଇ ରହି ଅନ୍ୟଜଣଙ୍କୁ ନିଜ ଉପରେ ଧରି ରଖି ଯୋଗାଭ୍ୟାସ କରିଥିଲେ। ଚାରୋଟି କାଚ ବୋତଲ ଉପରେ ଷ୍ଟୁଲ୍‌, ଷ୍ଟୁଲ୍‌ ଉପରେ ଶହଶହ କଣ୍ଟା, କଣ୍ଟା ଉପରେ ଯୁବକ, ଯୁବକଙ୍କ ଉପରେ ପୁଣି କଣ୍ଟା, ତା’ ଉପରେ ବରଫ ଏବଂ ବରଫ ଉପରେ ଅନ୍ୟ ଜଣେ ଯୁବକଙ୍କ ଯୋଗ। ଏହା ଆଜିର ଯୋଗାଥନ୍‌ରେ ସବୁଠୁ ଆକର୍ଷଣୀୟ ଥିଲା। ଏ ସଂପର୍କରେ ଭବାନୀ କୁହନ୍ତି, ଦୀର୍ଘ ୧୦ ବର୍ଷରୁ ଅଧିକ ହେବ ଅଭ୍ୟାସ କରି ଆସୁଛି। ପିଠି, ପିଚା ଓ ଦେହର ଅନ୍ୟ ସ୍ଥାନରେ କଣ୍ଟା ଫୁଟି ଫୁଟି ଚମଡ଼ା ପଥର ହୋଇଗଲାଣି। ମହାପ୍ରଭୁଙ୍କ ଆଶୀର୍ବାଦ ନଥିଲେ ଆମେ କ’ଣ ଏମିତି କରିପାରିଥା’ନ୍ତୁ। ସବୁ ସେହି ମହାବାହୁଙ୍କ ଇଚ୍ଛା।

ଆକର୍ଷଣ ପାଲଟିଲା ମାଲ୍‌ଖମ୍ବ

ଖୁମ୍ବରେ ଦୁଃସାହସିକ ପ୍ରଦର୍ଶନ। ଦେଖିଲେ ଆଖିକୁ ବିଶ୍ବାସ ହେଉନଥିଲା, ଚିକ୍କଣ ଖୁମ୍ବରେ ଯେ ଏଭଳି ସମର କଳା ପ୍ରଦର୍ଶନ କରିହୁଏ, ନିଜ ଆଖିରେ ନଦେଖିଲେ ବିଶ୍ବାସ କରିହେବ ନାହିଁ। ଆଜି ଓଡ଼ିଶା ଯୋଗାଥନ୍‌ରେ ପ୍ରାୟ ୨୦ଜଣ ସଦସ୍ୟଙ୍କ ଦ୍ବାରା ମାଲ୍‌ଖମ୍ବ ପ୍ରଦର୍ଶନ ଦେଖଣାହାରୀଙ୍କୁ ରୋମାଞ୍ଚିତ କରିଥିଲା। ପୁରୀର ଉଦୀୟମାନ ଯୁବକ ପ୍ରକାଶ କୁମାର ଗୋଛି ଓ ତାଙ୍କ ଟିମ୍‌ ଏହାକୁ ପ୍ରଦର୍ଶନ କରିଥିଲେ। ସଦସ୍ୟମାନେ ଏକକ ଭାବେ ବିଭିନ୍ନ ଆସନ କରିଥିଲେ। ଖୁମ୍ବର ଅଗ୍ରଭାଗରେ ଗୋଟିଏ ଗୋଡ଼ରେ ଛିଡ଼ା ହୋଇ ସୂର୍ଯ୍ୟ ନମସ୍କାର, ଶେଷ ଭାଗରେ ଦୁଇ ହାତ ଲଗାଇ ମୟୂର ଆସନ, ଦଶରଙ୍ଗ, ତେଲିଘାନା, ବଜରଙ୍ଗପକଡ, ନଟରାଜ୍‌ ଆସନ, ଧନୁଆସନ ପ୍ରଦର୍ଶନ ବେଶ୍‌ ଆକର୍ଷକ ଥିଲା। ଏକତ୍ର ଭାବେ ଗୋଟିଏ ଖମ୍ବରେ ବିଭିନ୍ନ ଆସନ ସମୟରେ ଦର୍ଶକଙ୍କ କରତାଳି ହିଁ ପ୍ରଦର୍ଶନର ସଫଳତା ବର୍ଣ୍ଣନା କରୁଥିଲା।

ଶ୍ରୀ ଗୋଚ୍ଛିଙ୍କ କହିବା କଥା, ମାଲ୍‌ଖମ୍ବ ହେଉଛି ଏକ ଐତିହାସିକ ଖେଳ। ମଲ୍ଲ ଜଣେ ଯୋଦ୍ଧା ଓ ଖମ୍ବ ଜଣେ ଯୋଦ୍ଧା। ତେଣୁ ଉଭୟକୁ ମିଶାଇ ମାଲ୍‌ଖମ୍ବ କୁହାଯାଏ। ଓଡ଼ିଶାରେ ଏବେ ହାତଗଣତି କିଛି ସ୍ଥାନରେ ମାଲ୍‌ଖମ୍ବ ପ୍ରଦର୍ଶନ କରାଯାଉଛି। ଏଥିରେ ଭାଗନେବା ପାଇଁ ବୟସସୀମା ନଥାଏ। ଶାରିରୀକ ସୁସ୍ଥ ବ୍ୟକ୍ତି ଏହି କଳାକୃତି ପ୍ରଦର୍ଶନ କରିପାରିବେ। ଶ୍ରୀ ଗୋଚ୍ଛି ୨୦୧୨ ମସିହାରୁ ପୁରୀରେ ମାଲ୍‌ଖମ୍ବ ଏକାଡେମି ନାମକ ଏକ ସଂସ୍ଥା ଗଢ଼ି ପ୍ରଶିକ୍ଷଣ ଦେଉଛନ୍ତି। ସଦସ୍ୟମାନେ ରାଜ୍ୟ ଓ ଜାତୀୟସ୍ତରରେ ପ୍ରଦର୍ଶନ କରିଛନ୍ତି। ଓଡ଼ିଶାରେ ଧୀରେଧୀରେ ଏଥିପ୍ରତି ଆଗ୍ରହ ବଢ଼ୁଥିବାରୁ ପ୍ରତି ଜିଲ୍ଲାରେ ସେ ପ୍ରଶିକ୍ଷଣ ୟୁନିଟ୍‌ ଖୋଲିବାକୁ ଲକ୍ଷ୍ୟ ରଖିଛନ୍ତି।

ସାଥିଆ… ଗୀତରେ ଯୋଗ ନୃତ୍ୟ

ଯୋଗାଥନ୍‌ରେ ଅନ୍ୟତମ ଆକର୍ଷଣ ପାଲଟିଥିଲା ‘ଯୋଗ ନୃତ୍ୟ’। କୁନି ଝିଅ ସ୍ନିଗ୍ଧା କାନୁନଗୋ ଲୋକପ୍ରିୟ ସାଥିଆ… ଗୀତରେ ଯୋଗମୁଦ୍ରାକୁ ନେଇ ନୃତ୍ୟ ପ୍ରଦର୍ଶନ କରିଥିଲେ। ସେ ୩ଟି ଯୋଗ କୌଶଳ ପ୍ରଦର୍ଶନ କରିଥିଲେ। ସ୍ନିଗ୍ଧାଙ୍କ କହିବା ମୁତାବକ, ପାଞ୍ଚବର୍ଷ ବୟସରୁ ସେ ଯୋଗ ଆରମ୍ଭ କରିଥିଲେ। ସେ ଜାତୀୟସ୍ତରରେ ଯୋଗ ନୃତ୍ୟ ପ୍ରଦର୍ଶନ କରି ବହୁ ପଦକ ହାସଲ କରିଛନ୍ତି। ଯୋଗକୁ ନୃତ୍ୟକଳା ମାଧ୍ୟମରେ ସମସ୍ତଙ୍କ ନିକଟରେ ପହଞ୍ଚାଇବା ତାଙ୍କର ଲକ୍ଷ୍ୟ। ସମସ୍ତେ ଯୋଗ ମାଧ୍ୟମରେ ସୁସ୍ଥ ରହିବାକୁ ସେ ଆହ୍ବାନ କରିଛନ୍ତି।

ସମ୍ବନ୍ଧିତ ଖବର