ଓଡ଼ିଶା ଯୋଗାଥନ୍‌ : ଯୋଗରେ ଆତ୍ମସ୍ଥ

ଭୁବନେଶ୍ବର : ଯୋଗରେ ଆତ୍ମସ୍ଥ ହୋଇଥିଲା ତନ ଆଉ ମନ। ଅଡିଓର ଏକ-ଦୁଇ ରିଦିମ୍ ସହ ତାଳ ଦେଇ ଯୋଗରେ ନିମଗ୍ନ ହୋଇଯାଇଥିଲେ ଆବାଳବୃଦ୍ଧ ବନିତା। କିଏ ବେତାଳିଆ ହେଉହେଉ ନିଜକୁ ସଜାଡ଼ି ଦେଉଥିଲା ତ କିଏ ଏ ବିଶାଳ ଆଡ଼ମ୍ବର ମଧ୍ୟରେ ନିଜର ଯୋଗମୁଦ୍ରାକୁ ସେଲ୍ଫିରେ କଏଦ କରିବାରେ ମଜିଯାଇଥିଲା। ଅବସର ଥିଲା, ‘ସମ୍ବାଦ’ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ‘ଯୋଗାଥନ’। ଓଡ଼ିଶାରେ ପ୍ରଥମଥର ଯୋଗକୁ ନେଇ ବିଶ୍ବ ସ୍ବାସ୍ଥ୍ୟ ଦିବସରେ ଏଭଳି ନିଆରା ଚିନ୍ତା କରିଥିଲା ‘ସମ୍ବାଦ’ ଓ ‘ଓଡ଼ିଶା ଯୋଗ ସଂଘ’।

ରାତିଦିନ ଉଜାଗର ବ୍ୟସ୍ତବହୁଳ ରାଜଧାନୀରେ ସହରିଆଙ୍କ ସକାଳଟା ଟିକେ ଡେରିରେ ଆସେ ବୋଲି ଅନେକ ମଜାରେ କହୁଥିବା ବେଳେ ଏହାକୁ ଆଜି ଭୁଲ ପ୍ରମାଣିତ କରିଥିଲା ‘ଓଡ଼ିଶା ଯୋଗାଥନ୍’। ରାତି ନପାହୁଣୁ କଳିଙ୍ଗ ଷ୍ଟାଡିୟମକୁ ଛୁଟିଥିଲା ଯୋଗମନସ୍କ ବ୍ୟକ୍ତିଙ୍କ ଗାଡ଼ି। ବ୍ରାହ୍ମ ମୁହୂର୍ତରେ ବହୁ ସଂଖ୍ୟାରେ ବ୍ୟକ୍ତିବିଶେଷଙ୍କୁ ଏକାଠି ଯୋଡ଼ିଥିଲା ‘ଯୋଗ’। ଯୋଡ଼ି ଶଙ୍ଖର ମାଙ୍ଗଳିକ ଧ୍ବନି ସହ ପରମଯୋଗୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହ ଆରମ୍ଭ ହୋଇଥିଲା ଯୋଗର ଏହି ପର୍ବ। ସନ୍ଥ ଶିବଚିଦାନନ୍ଦ ସରସ୍ବତୀ, ରାଜେନ୍ଦ୍ର ପ୍ରସାଦ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ଡ.ପ୍ରଫୁଲ୍ଲ କୁମାର ମିଶ୍ର, ‘ସମ୍ବାଦ’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ପ୍ରଫେସର ସୁବାସ ଚନ୍ଦ୍ର ଦାସ, ପ୍ରଶାନ୍ତ ଆଚାର୍ଯ୍ୟ, ବିଭୂଦତ୍ତ ରାଉତ, ଅରୁଣ କୁମାର ରାଉତ ପ୍ରମୁଖ ଅତିଥି ଭାବେ ସାମିଲ୍ ହୋଇ ଯୋଗାଥନର ଶୁଭାରମ୍ଭ କରିଥିଲେ। ଶିବଚିଦାନନ୍ଦ ସରସ୍ବତୀ ଯୋଗୀ ହେବା ସହ ଯୋଗର ପ୍ରଚାର କରିବାକୁ ପ୍ରତିଜ୍ଞା ନେବାକୁ ପରାମର୍ଶ ଦେଇଥିଲେ। ଡ. ମିଶ୍ର ଶିକ୍ଷାନୁଷ୍ଠାନରେ ଯୋଗର ମହତ୍ତ୍ବ ଏବଂ ଯୋଗ ଶିକ୍ଷାର ପୁନଃ ପ୍ରତିଷ୍ଠା କରିବା ନେଇ ଗୁରୁତ୍ବାରୋପ କରିଥିଲେ। ଶ୍ରୀମତୀ ପଟ୍ଟନାୟକ କହିଥିଲେ, ଏହା ଓଡ଼ିଶାରେ ପ୍ରଥମଥର ଆୟୋଜିତ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ କରାଯିବ।

ଏହି ଅବସରରେ ପତଞ୍ଜଳି ଯୋଗ ସମିତି, ଭାରତୀୟ ଯୋଗ ସଂସ୍ଥାନ, ଆର୍ଟ ଅଫ୍ ଲିଭିଙ୍ଗ୍, ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ, ଶିବାନନ୍ଦ ଶତବାର୍ଷିକ ବାଳକ ଉଚ୍ଚ ବିଦ୍ୟାଳୟ, ଶ୍ରୀଶ୍ରୀ ବିଶ୍ବବିଦ୍ୟାଳୟ, ଶିବାନନ୍ଦ ଯୋଗ ବେଦାନ୍ତ ଏକାଡେମି, ବାସ୍ତୁ ଏକାଡେମି, ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟ, ବାଲେଶ୍ବରର ନାଚୁରୋପାଥି କଲେଜ୍, ବିବେକାନନ୍ଦ କେନ୍ଦ୍ର ଏବଂ କିଟ୍ ସ୍କୁଲ୍ ଅଫ୍ ଯୋଗର ଯୋଗ ପ୍ରଶିକ୍ଷାର୍ଥୀଙ୍କ ସମେତ ବହୁ ସାଧାରଣ ଜନତା ସାମିଲ୍ ହୋଇଥିଲେ। କାର୍ଯ୍ୟକ୍ରମ ଆୟୋଜନ ପାଇଁ ସହଯୋଗର ହାତ ବଢ଼ାଇଥିଲା ଡିଏନ୍ ରେଗାଲିଆ ମଲ୍, ମାୟାଧର କ୍ଲାସେସ୍, ଗୋ ଫିଟ୍, ସିମ୍ଫୋନି, ବିଏନ୍ ସ୍କୁଲ୍, ପିଡବ୍ଲ୍ୟୁ ପ୍ଲସ୍, ୱେଫେ ଇଣ୍ଟରନେଟ୍, ଡିକାଥ୍ଲନ୍, ଅଡିଜୋନ୍ ସ୍ପିଚ୍ ଆଣ୍ଡ୍ ହିୟରିଂ କ୍ଲିନିକ୍, ଖୁରାନା ବ୍ରଦର୍ସ। ସ୍ବାସ୍ଥ୍ୟ ସହଯୋଗୀ ଆମ୍ରି ହସ୍ପିଟାଲ୍‌ ଥିବା ବେଳେ ମନୋରଂଜନ ସହଯୋଗୀ ଥିଲା ଚଳଚ୍ଚିତ୍ର ‘ବିଜୁ ବାବୁ’। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ।

ସମ୍ବନ୍ଧିତ ଖବର