ଭୁବନେଶ୍ବର: ଅଧିକରୁ ଅଧିକ ଲୋକଙ୍କୁ ଯୋଗାଭ୍ୟାସ ପ୍ରତି ଆକୃଷ୍ଟ କରାଇବା ଲକ୍ଷ୍ୟ ନେଇ ଓଡ଼ିଶାର ସର୍ବାଧିକ ପଠିତ ଖବରକାଗଜ ‘ସମ୍ବାଦ’ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ବି ଆଜି ‘ଓଡ଼ିଶା ଯୋଗାଥନ୍’ ଆୟୋଜିତ ହୋଯାଇଛି। ଏହି କାର୍ଯ୍ୟକ୍ରମକୁ ‘ସମ୍ବାଦ’ ଗ୍ରୁପ୍ ଅଧ୍ୟକ୍ଷ ତଥା ‘ସମ୍ବାଦ’ ସଂପାଦକ ଓ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ଓ ଯୋଗ ଗୁରୁ ଆଚାର୍ଯ୍ୟ ଭାବାମିତ୍ରାନନ୍ଦ ଅବଧୂତ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ। ରାମମନ୍ଦିର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ-୧ ଖେଳପଡ଼ିଆରେ ଅନୁଷ୍ଠିତ ‘ଓଡ଼ିଶା ଯୋଗାଥନ୍’ରେ ୫୦୦ରୁ ଅଧିକ ବିଭିନ୍ନ ବର୍ଗ ଓ ବୟସର ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ।
ଏଥିରେ ଯୋଗ ଉପରେ ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଶେଷ କରି ପଦ୍ମଶ୍ରୀ ମହାନ୍ତିଙ୍କ ଏକକ ଯୋଗ ନୃତ୍ୟ, ସ୍ମାରକ ଏବଂ ଅର୍ପିତାଙ୍କ ଦ୍ବୈତ ଯୋଗ ନୃତ୍ୟ ମନୋମୁଗ୍ଧକର ହୋଇଥିଲା। ଏହାଛଡ଼ା ଅମ୍ରିତ ବିଦ୍ୟାଳୟ ଏବଂ ଚନ୍ଦ୍ରଶେଖର ଡିଏଭି ପକ୍ଷରୁ ଦଳଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ‘ସମ୍ବାଦ’ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।