ଭୁବନେଶ୍ବର: ଆଜିର ବ୍ୟସ୍ତବହୁଳ ଜୀବନରେ ମଣିଷ ପାଇଁ ଯୋଗାଭ୍ୟାସ ଏକାନ୍ତ ଅପରିହାର୍ଯ୍ୟ ହୋଇପଡ଼ିଛି। ଯୋଗ ଦ୍ବାରା ମଣିଷ ମେଦବହୁଳ, ଉଚ୍ଚ ରକ୍ତଚାପ, କର୍କଟ, ମାନସିକ ଅବସାଦ ଭଳି ବହୁ ମାରାତ୍ମକ ରୋଗର ଆଶଙ୍କାକୁ ଟାଳି ପାରିବ। ପ୍ରତିଦିନ କିଛି ସମୟର ଯୋଗାଭ୍ୟାସ, ମଣିଷର ଉଭୟ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟକୁ ଉତ୍ତମ ରଖିଥାଏ। ତେଣୁ ଅଧିକରୁ ଅଧିକ ଲୋକଙ୍କୁ ଯୋଗାଭ୍ୟାସ ପ୍ରତି ଆକୃଷ୍ଟ କରାଇବା ଲକ୍ଷ୍ୟ‌ ନେଇ ଓଡ଼ିଶାର ସର୍ବାଧିକ ପଠିତ ଖବରକାଗଜ ‘ସମ୍ବାଦ’ ପକ୍ଷରୁ ପ୍ରତିବର୍ଷ ‘ଓଡ଼ିଶା ଯୋଗାଥନ୍‌’ ଆୟୋଜିତ ହୋଇଆସୁଅଛି।

Advertisment

କେନ୍ଦ୍ରୀୟ ବିଦ୍ୟାଳୟ-୧ ଖେଳ ପଡ଼ିଆରେ ଆୟୋଜିତ ହେବ
ପ୍ରବେଶ ନିଃଶୁଳ୍କ, ହ୍ବାଟସ୍‌ଆପ୍‌ରେ ପଞ୍ଜୀକରଣ ବାଧ୍ୟତାମୂଳକ
ପଡ଼ିଆକୁ ଆଗୁଆ ଆସିଥିବା ୪୦୦ ଅଂଶଗ୍ରହଣକାରୀ ପାଇବେ ଆକର୍ଷଣୀୟ ପୁରସ୍କାର

ଆସନ୍ତା ୫ ତାରିଖ (ରବିବାର) ଦିନ ରାମମନ୍ଦିର ନିକଟସ୍ଥ କେନ୍ଦ୍ରୀୟ ବିଦ୍ୟାଳୟ-୧ ଖେଳପଡ଼ିଆରେ ‘ଓଡ଼ିଶା ଯୋଗାଥନ୍‌’ର ଚତୁର୍ଥ ସଂସ୍କରଣ ଅନୁଷ୍ଠିତ ହେବ। ଉକ୍ତ ଦିନ ଭୋର୍‌ ୫ଟାରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଧ୍ୟାନ, ପ୍ରାଣାୟମ, ସୂର୍ଯ୍ୟ ନମସ୍କାର ସହ ବିଭିନ୍ନ ପ୍ରକାର ଯୋଗାଭ୍ୟାସ, ଅଲ୍‌ ଓଡ଼ିଶା ଯୋଗ ଆସୋସିଏସନ୍‌ (ଏଓୱାଇଏ)ର ପ୍ରଶିକ୍ଷିତ ଯୋଗଗୁରୁଙ୍କ ଦ୍ବାରା କରାଯିବ। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ କୌଣସି ପ୍ରବେଶିକା ଫି’ ଦେବାକୁ ପଡ଼ିବ ନାହିଁ। କିନ୍ତୁ, ଆଗ୍ରହୀ ବ୍ୟକ୍ତି ‌ହ୍ବାଟ୍‌ସଆପ୍‌ ମାଧ୍ୟମରେ ନିଜ ନାମ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ। ନାମ ପଞ୍ଜୀକରଣ କରିବା ଲାଗି ନିଜର ନାମ, ବୟସ, ମୋବାଇଲ ନମ୍ବର ଏବଂ ଠିକଣା ଲେଖି ସଷ୍ମିତେଶ୍‌ଙ୍କୁ ମୋ: ୮୪୫୫୯୩୭୧୩୭ ନମ୍ବରରେ ହ୍ବାଟ୍‌ସଆପ୍‌ କରିବାକୁ କୁହାଯାଇଛି। ସେହିପରି ପଡ଼ିଆରେ ପହଞ୍ଚିଥିବା ପ୍ରଥମ ୪୦୦ ପଞ୍ଜୀକୃତ ଅଂଶଗ୍ରହଣକାରୀଙ୍କ ପାଇଁ ଆକର୍ଷଣୀୟ ପୁରସ୍କାରର ବ୍ୟବସ୍ଥା ରହିଛି। ଅଧିକ ବିବରଣୀ ପାଇଁ ଉମାକାନ୍ତଙ୍କୁ ମୋ: ୭୫୦୪୮୬୩୨୪୩ରେ ମଧ୍ୟ ଯୋଗଯୋଗ କରିହେବ।

ସୂଚନାଯୋଗ୍ୟ‌, ‘ସମ୍ବାଦ’ ପକ୍ଷରୁ ଏହି ମହତ୍‌ କାର୍ଯ୍ୟକ୍ରମ (ଓଡ଼ିଶା ଯୋଗାଥନ୍‌) ପ୍ରତିବର୍ଷ ଅନୁଷ୍ଠିତ ହୋଇଆସୁଛି। ଫ୍ରିଡମ୍‌ ହେଲ୍‌ଦି କୁକିଙ୍ଗ ଅଏଲ ପ୍ରାୟୋଜିତ ଏବଂ ଅଲ୍‌ ଓଡ଼ିଶା ଯୋଗ ଆସୋସିଏସନ୍‌ (ଏଓୱାଇଏ) ସହଯୋଗରେ ଏଥର ଏହାର ଚତୁର୍ଥ ସଂସ୍କରଣ ଆୟୋଜିତ ହେବାକୁ ଯାଉଛି।