୧୭ ପ୍ରତିଭାଙ୍କୁ ଓଡ଼ିଶା ଯୁବ ସମ୍ମାନ-୨୦୧୯ : ଯୁବକ ବୟସ ନୁହେଁ, ଏକ ଚିନ୍ତାଧାରା

ଭୁବନେଶ୍ବର: ଯୁବକ ବୟସରେ ନ ଥାଏ। ଏହା ଏକ ଚିନ୍ତାଧାରା। କାରଣ ବୟସ ଯାହା ହେଉ ନା କାହିଁକି, ଯଦି ଜଣେ ସମାଜର ମଙ୍ଗଳ ପାଇଁ ଯୁବକ ଭଳି ଉତ୍ସାହ ଦେଖାଇ ନିଜକୁ ସମର୍ପିତ କରୁଛି ସେ ହିଁ ଯୁବକ। ସେହି ପ୍ରତିଭା ମାନଙ୍କୁ ଚିହ୍ନଟ କରି ସମାଜରେ ସ୍ବୀକୃତି ଦେବା ହିଁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ସାଂସଦ ଭର୍ତୃହରି ମହତାବ।

ଆଜି ଓଡ଼ିଆ ମିଡିଆ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ‘ଓଡ଼ିଶା ଯୁବ ସମ୍ମାନ-୨୦୧୯’ ସମ୍ବର୍ଦ୍ଧନା ଉତ୍ସବରେ ସାଂସଦ ଶ୍ରୀ ମହତାବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସହିତ୍ୟିକ ଦାଶ ବେନହୁର ଯୋଗ ଦେଇ କହିଥିଲେ, ଜୀବନର ପ୍ରଥମ ୩୫ ବର୍ଷ ଗୁରୁତ୍ବପୂର୍ଣ୍ଣ। ଏହି ସମୟରେ ଆମେ ଯାହା ଶିଖି ଥାଆନ୍ତି, ତହା ହିଁ ଭବି‌ଷ୍ୟତ ଗଠନରେ ସହାୟକ ହୋଇଥାଏ। ଆମେ ନିଜର ବିକାଶ କରି ନିଜ ମାଟି ସହ ବିଶ୍ବ ଦରବାରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓଡ଼ିଶାର ୧୭ ଯୁବ ପ୍ରତିଭାଙ୍କୁ ‘ଓଡ଼ିଶା ଯୁବ ସମ୍ମାନ-୨୦୧୯’ରେ ସମ୍ମାନିତ କରାଯାଇଥିଲା। ବିଜେଡି ନେତା ଅନୁଭବ ପଟ୍ଟନାୟକ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଅଲିମ୍ପିଆନ ଦୂତୀ ଚାନ୍ଦ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ସମ୍ବାଦର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ, ଇଣ୍ଟରନ୍ୟାସନାଲ ପବ୍ଲିକ୍‌ ସ୍କୁଲ ଫର୍‌ ରୁରାଲ ଇନୋଭେସନ୍‌ର ପ୍ରତିଷ୍ଠାତା ଅନିଲ ପ୍ରଧାନ, ସମାଜସେବୀ କଳ୍ପାଶା ଅଙ୍କିତା ଶ’, ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା, କଥାକାର ରବିନାରାୟଣ ଦାଶ, ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ, ବାଜିରାଓ ଆଇଏଏସ୍‌ ଏକାଡେମିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା, ଗୀତିକାର ସୁବ୍ରତ ସ୍ବାଇଁ, ପୋଷଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର, ଯୁବ ଔପନ୍ୟାସିକ ଅଭିଷେକ ପାଣି ଓ ଯୁବ ଉଦ୍ୟୋଗୀ ଅନୁକୂଳ ଅଗ୍ରୱାଲଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଓଡ଼ିଆ ମିଡିଆର ନିର୍ଦ୍ଦେଶକ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ଧନ୍ୟବାଦ ଦେଇଥିଲେ। ଯୁବ କବି ଅଗ୍ନିବେଶ ମହାପାତ୍ର ମଞ୍ଚ ସଂଚାଳନା କରିଥିଲେ। ରଜନୀକାନ୍ତ ତରାଇ, ଶୁଭଲକ୍ଷ୍ମୀ ମହାନ୍ତି, ସତ୍ୟବ୍ରତ ବଳିଆରସିଂହ, ମିଲନ ପ୍ରଧାନ, ଜିତେନ୍ଦ୍ର ଜେନା, ଆଶିଷ ରଥ, ପ୍ରଗତି ପଣ୍ଡିତ, ପ୍ରମିତାଭ ଶତପଥୀ, ପ୍ରଦ୍ୟୁମ୍ନ ମହାପାତ୍ର, ଜ୍ୟୋତିରଂଜନ ମୁଦୁଲି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର