ଚନ୍ଦ୍ରଶେଖରପୁର: ଓଡ଼ିଶା ମାଟିର ମଣିଷପଣିଆ ବିଶ୍ବରେ ଅନନ୍ୟ। ଜଗନ୍ନାଥ ସଂସ୍କୃତିର ଏହି ମାଟିରେ ପ୍ରାକୃତିକ ସମ୍ପଦର ପ୍ରାଚୁର୍ଯ୍ୟ ଠାରୁ ମଣିଷପଣିଆ ଓ ମହାନତା ବେଶ୍ ଅଧିକ ରହିଛି। ଏହି ମାଟିରେ ଯାହା ଅଛି, ବିଶ୍ବର ଅନ୍ୟ କୌଣସି ସ୍ଥାନରେ ନାହିଁ। ତେବେ ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ପ୍ରାକୃତିକ ସମ୍ପଦର ଭରପୁର ବିନିଯୋଗ କରାଯିବା ଆବଶ୍ୟକ। ଫୋରମ୍ ଫର୍ ସ୍ମାର୍ଟ ବିଜିନେସ୍ ଓଡ଼ିଶା ପକ୍ଷରୁ ଇନ୍ଫୋସିଟିସ୍ଥିତ ସଂକଳ୍ପ କନ୍ଭେନ୍ସନ୍ଠାରେ ଆୟୋଜିତ ଦୁଇଦିନିଆ କାର୍ଯ୍ୟକ୍ରମ ‘ଶତାବ୍ଦୀର ଓଡ଼ିଶା’ର ଉଦ୍ଘାଟନୀ ଉତ୍ସବ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଏଭଳି କହିଛନ୍ତି।
୨୦୩୬ ମସିହାରେ ଓଡ଼ିଶା ୧୦୦ ବର୍ଷରେ ପଦାର୍ପଣ କରିବ। ଭାଷାଭିତ୍ତିକ ରାଜ୍ୟ ଭାବେ ସମଗ୍ର ଭାରତରେ ପ୍ରଥମେ ଓଡ଼ିଶା ଗଠିତ ହୋଇଥିଲା। ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଓଡ଼ିଶା ପ୍ରଦେଶ ଗଠନର ନିର୍ମାତାମାନେ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ଅନେକାଂଶରେ ଅସମ୍ପୂର୍ଣ୍ଣ ରହିଛି। ତେଣୁ ଶହେ ବର୍ଷରେ ପଦାର୍ପଣ କଲା ବେଳକୁ ଓଡ଼ିଶା କିଭଳି ଉନ୍ନତି କରିଥିବ, ତାହା କଳ୍ପନା କରିବା ଥିଲା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ। ଫୋରମ୍ ଫର ସ୍ମାର୍ଟ ବିଜିନେସ୍ ଓଡ଼ିଶାର ପ୍ରତିଷ୍ଠାତା ବିଜୟ କୁମାର ପଟ୍ଟନାୟକ ୧୦୦ ବର୍ଷର ଓଡ଼ିଶାର ନୂଆ ଇତିହାସ କିପରି ରଚିତ ହେବ, ତାହା ଉପରେ ଆଲୋକପାତ କରିଥିଲେ। ଓଡ଼ିଶାର ସାମାଜିକ ସମସ୍ୟା, ପର୍ଯ୍ୟଟନ, କୃଷି, ଶିକ୍ଷା ଆଦି ବିଷୟ ଉପରେ ସେ ଆଲୋକପାତ କରିଥିଲେ। ପୂର୍ବତନ ରାଜ୍ୟ ସୂଚନା କମିସନ ଜଗଦାନନ୍ଦ ଓ ସଂକଳ୍ପ ଟିଭି ମିଡ଼ିଆର ପ୍ରତିଷ୍ଠାତା ଅଶୋକ ଦାସ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ୭ ଦମ୍ପତିଙ୍କୁ ପୁରସ୍କୃତ କରାଯାଇଥିଲା। କରୋନା ମହାମାରୀ ସଂକଟ ସମୟରେ ଲକ୍ଡାଉନ୍ ବେଳେ ଘରେ ରହି ବଗିଚାରେ ବିଭିନ୍ନ ପନିପରିବା ଫସଲ କରି ‘କିଚେନ୍ ଗାର୍ଡେନ୍’ କରି ଉଦାହରଣ ସୃଷ୍ଟି କରିଥିବା ଏହି ୭ ଦମ୍ପତିଙ୍କୁ ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମର ଦ୍ବିତୀୟ ଅଧିବେଶନ ଅବସରରେ ଫୋରମ୍ ଫର୍ ଏଣ୍ଟରପ୍ରାଇଜ୍ ଡେଭେଲପ୍ମେଣ୍ଟ ପ୍ରେସିଡେଣ୍ଡ, ଏମ୍ଏସ୍ଏମ୍ଇ ପୂର୍ବତନ ଓଡ଼ିଶା ସଚିବ, ପୂର୍ବତନ ଚେୟାରମ୍ୟାନ, ଓଏସ୍ଏଫ୍ସି, ଏମ୍ଆଇସି ନିଗମ ଓ ଆଇଇଡିଓ ପଞ୍ଚାନନ ଦାଶ, ‘ଆଇନା’ର ପ୍ରତିଷ୍ଠାତା ଏବଂ ଓପିଏସ୍ଡବ୍ଲ୍ୟୁଆର୍ ସଭାପତି ସ୍ନେହା ମିଶ୍ର, ଅନ୍ତଜାର୍ତୀୟ ବିକାଶ ବୃତ୍ତିଗତ ବସନ୍ତ କୁମାର କର, ଓଏସ୍ଏଏମ୍ଇ ସଚିବ ସାତ୍ବିକ ସ୍ବାଇଁ, ସାଇ ରୋବୋଟିକ୍ ଲ୍ୟାବ୍ର ପ୍ରତିଷ୍ଠାତା ଶାକ୍ୟସିଂ ମହାପାତ୍ର, ସାରନାର ସହ ପ୍ରତିଷ୍ଠାତା ଜିତୁ ମିଶ୍ର ଉପସ୍ଥିତ ରହି ବିଭିନ୍ନ ପ୍ଲାନେଲ୍ ଆଲୋଚନାରେ ନିଜର ମତାମତ ରଖିଥିଲେ। ଏହି ଦୁଇଦିନିଆ ଆଲୋଚନାରେ କୃଷି, ଶିକ୍ଷା, ସାମାଜିକ ପ୍ରସଙ୍ଗ, ମହିଳା ସଶକ୍ତୀକରଣ, ସ୍ଥାନାନ୍ତର, ପୁଷ୍ଟିକର ଖାଦ୍ୟ, ମାଇକ୍ରୋ ସ୍ମଲ୍ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇସେସ୍, ଷ୍ଟାର୍ଟଅପ୍ ଏବଂ ପର୍ଯ୍ୟଟନ କ୍ଷ୍ରେତରେ ବିପୁଳ ଅଭିଜ୍ଞତା ରଖିଥିବା ଅତିଥିମାନେ ଯୋଗ ଦେଇଥିଲେ। ଉଦ୍ଯାପନୀ କାର୍ଯ୍ୟକ୍ରମରେ ଶତାଧିକ ଲୋକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/56-1.jpg)