ଓଡ଼ିଶାର ଅଲୋଡ଼ା ରେକର୍ଡ, କମୁନି ନାରୀ ନିର୍ଯାତନା

କେବଳ ପାଳନରେ ସୀମିତ ଦିବସ

ଭୁବନେଶ୍ୱର: ୨୦୧୮ ଅଗଷ୍ଟରେ ପୁରୀ-ଗୁଣୁପୁର ପାସେଞ୍ଜର ଟ୍ରେନ୍‌ର ଶୌଚାଳୟ ଭିତରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର କରାଯାଇଥିଲା। ହତ୍ୟାର ଶିକାର ହୋଇଥିଲେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ତିର୍ଚୀପୁର ଖଣ୍ଡିପାଲ ଗ୍ରାମର ଗୀତାଞ୍ଜଳି ମଲ୍ଲିକ(୩୫)। ସ୍ବାମୀ ବାମନ ଚରଣ ମଲ୍ଲିକ ଓରଫ କପିଳ ଚଳନ୍ତା ଟ୍ରେନ୍‌ରେ ତାଙ୍କ ଗଳା କା‌ଟି ହତ୍ୟା କରିବା ପରେ କଟାମୁଣ୍ଡକୁ ପଲିଥିନ୍‌ରେ ପୂରାଇ ସେଠାରେ ଛାଡ଼ି ଦେଇଥିଲେ। ୨୦୧୯ ଜାନୁଆରି ୨୫ ତାରିଖରେ ଏହି ହତ୍ୟାକାଣ୍ଡର ପର୍ଦାଫାସ୍‌ ହୋଇଥିଲା। ହତ୍ୟାର କାରଣ ଥିଲା ପରକୀୟା ପ୍ରୀତି। ଏହି ଘଟଣା ସେତେବେଳେ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି କରିଥିଲା। ସେହିପରି ୨୦୧୯ ସେପ୍ଟେମ୍ବର ୧୭ ତାରିଖରେ ଜଗତସିଂହପୁରସ୍ଥିତ ବିଲୁଆଖାଇ ନଦୀପଠାରୁ ଅଖା ଭିତରେ ହାତଗୋଡ଼ ବନ୍ଧା ଅବସ୍ଥାରେ ନର୍ସ ନୀହାରିକାଙ୍କ ମୃତଦେହ ଜବତ ହୋଇଥିଲା। କଟକର ଏକ ଘରୋଇ ହସ୍‌ପିଟାଲ୍‌ରେ କାମ କରୁଥିବା ନୀହାରିକାଙ୍କୁ ତାଙ୍କ ପ୍ରେମିକ ତଣ୍ଟି ଚିପି ହତ୍ୟା କରିବା ପରେ ଶବକୁ ନଦୀରେ ଭସାଇ ଦେଇଥିଲେ।

ଖାଲି ଏହି ଦୁଇଟି ମାମଲା ନୁହେଁ, ଏଭଳି ଅନେକ ନାରୀ ହତ୍ୟା ମାମଲା ସହ ନାବାଳିକା ଦୁଷ୍କର୍ମ, ଯୌତୁକ ନିର୍ଯାତନା, ଯୁବତୀ ଚାଲାଣ, କନ୍ୟାଭ୍ରୂଣ ହତ୍ୟା ଭଳି ମହିଳାଙ୍କ ପ୍ରତି ଅପରାଧରେ ଓଡ଼ିଶା ଏକ ଅଲୋଡ଼ା ରେକର୍ଡ କରୁଛି। ୨୦୧୯ ଅକ୍ଟୋବରରେ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ତଥ୍ୟ ଅନୁଯାୟୀ, ୨୦୧୭ରେ ନାରୀବିରୋଧୀ ଅପରାଧରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ପ୍ରଥମ ସ୍ଥାନରେ ଆସାମ ରହିଛି। ଉକ୍ତ ତଥ୍ୟ ଅନୁଯାୟୀ, ୨୦୧୩ ମସିହାରେ ରାଜ୍ୟରେ ୧୪,୧୭୩ ନାରୀ ନିର୍ଯାତନା ମାମଲା ରୁଜୁ ହୋଇଥିବା ବେଳେ ୨୦୧୪ରେ ଏହା ୧୪,୬୦୬, ୨୦୧୫ରେ ୧୭,୧୪୪ଟି, ୨୦୧୬ରେ ୧୭,୮୩୭ଟି ଓ ୨୦୧୭‌‌‌ରେ ଏହା ୨୦,୦୯୮ଟି ମାମଲା ରୁଜୁ ହୋଇଥିଲା। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆମ ରାଜ୍ୟରେ ମହିଳାଙ୍କ ପ୍ରତି ଅପରାଧ ସଂଖ୍ୟା କ୍ରମଶଃ ବଢ଼ିବା‌ରେ ଲାଗିଛି। ଅଧିକାଂଶ ମହିଳା ସ୍ବାମୀଙ୍କ ଦ୍ବାରା ନିର୍ଯାତିତ ହୋଇଥିବା ଜଣାଯାଇଛି। କେବଳ ୨୦୧୭ରେ ରାଜ୍ୟରେ ସ୍ବାମୀ ଦ୍ବାରା ଅତ୍ୟାଚାରିତ ୨,୫୨୫ଟି ମାମଲା ରୁଜୁ ହୋଇଥିଲା। ସେହିପରି ଏନ୍‌ସିଆର୍‌ବି ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ରାଜ୍ୟରେ ପ୍ରତିଦିନ ୫ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ସେଥିମଧ୍ୟରୁ ନାବାଳିକା ଦୁଷ୍କର୍ମର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ଅଧିକାଂଶ ମାମଲାରେ ଅପରାଧୀ ସଂପର୍କୀୟ, ପଡ଼ୋଶୀ କିମ୍ବା ଜଣାଶୁଣା ବ୍ୟକ୍ତି। ତେବେ ଏତେ ସଚେତନତା, ଦଣ୍ଡବିଧାନ ଓ ଆଇନ ବ୍ୟବସ୍ଥାରେ ପରିବର୍ତ୍ତନ ସତ୍ତ୍ବେ ସ୍ଥିତିରେ କିନ୍ତୁ ପରିବର୍ତ୍ତନ ଘଟୁନି। ନାରୀ ନିର୍ଯାତନା କମୁନି। ପ୍ରତିବର୍ଷ ଅନ୍ତର୍ଜାତୀୟ ମହିଳା ଦିବସ ଆସେ। ମହିଳାମାନଙ୍କ ସଶକ୍ତୀକରଣ, ସ୍ୱାଧୀନତା ଓ ସୁରକ୍ଷାକୁ ନେଇ ବହୁ ଭାଷଣବାଜି ହୁଏ। କିନ୍ତୁ ପ୍ରକୃତରେ କିପରି ମହିଳା ବିରୋଧୀ ହିଂସା, ନିର୍ଯାତନା ଉପରେ ରୋକ୍‌ ଲାଗି ପାରିବ, ସେଥିପ୍ରତି କେହି ଯତ୍ନବାନ ନୁହଁନ୍ତି। ଫଳରେ ପ୍ରତିବର୍ଷ ଏହି ମହିଳା ଦିବସ କେବଳ ପାଳନରେ ହିଁ ସୀମିତ ରହିଯାଏ।

ସମ୍ବନ୍ଧିତ ଖବର