ଭୁବନେଶ୍ୱର: କଳିଙ୍ଗ କଳାକ୍ଷେତ୍ର ପକ୍ଷରୁ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟା ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ପ୍ରତିଷ୍ଠାତା ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କ ସଂଯୋଜନାରେ ତିନିଗୋଟି ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ଭାଓଲିନ୍‌ରେ ସ୍ୱର୍ଣ୍ଣ ଖୁଣ୍ଟିଆଙ୍କ ସହ ବଂଶୀରେ ଶୁଭକାନ୍ତ ସାହୁ ଓ ତବଲାରେ ହରମୋହନ ଖୁଣ୍ଟିଆ ରାଗ ଗୌରବ କଲ୍ୟାଣ ପରିବେଷଣ କରିଥିଲେ। ଦ୍ୱିତୀୟରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଭୋକାଲରେ ବୀଣା ମାରଦୁରଙ୍କ ସହ ହାରମୋନିୟମ୍‌ରେ ଆକାଶ, ରଞ୍ଜୀବ ବିଶ୍ୱାଳ ଓ କୁଳମଣି ସାହୁଙ୍କ ତବଲା ବାଦନ ବେଶ୍‌ ରୋମାଞ୍ଚକର ଥିଲା। ଶେଷରେ ପ୍ରବୀଣ ଗଡ଼ଖିନ୍ଦୀଙ୍କ ବଂଶୀ ବାଦନ ସହ ତବ୍‌ଲାରେ କିରଣ ଗଡ଼ଖିନ୍ଦୀଙ୍କ ଶାସ୍ତ୍ରୀୟ ସଙ୍ଗୀତ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ପଦ୍ମବିଭୂଷଣ ପଣ୍ଡିତ ହରିପ୍ରସାଦ ଚୌରାସିଆ, ପୂର୍ବତନ ପ୍ରଶାସକ ସୁଦର୍ଶନ ଦାସ ଓ ମ୍ୟୁଜିକ୍‌ ସର୍କଲର ସମ୍ପାଦକ କ୍ଷୀରୋଦ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଗାୟତ୍ରୀ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ଦୀପ୍ତି ଦାଶ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।