ଶୀତୁଆ ସନ୍ଧ୍ୟାରେ ‘ମଧୁ ମଳୟ ମନ୍ଦ ବହିଲା ରେ’

ରାଗ, ତାଳରେ ଜମିଲା ଓଡ଼ିଶୀ ସଂଗୀତ ମହୋତ୍ସବ

ଭୁବନେଶ୍ବର: ରାଗ ଥିଲା ‘ବସନ୍ତ’। ତାଳ ଥିଲା ‘ଏକ ତାଳି’। ଭାରତୀ ଜେନାଙ୍କ କଣ୍ଠରେ ଏହି ରାଗ ଓ ତାଳରେ ଓଡ଼ିଶୀ ଗୀତଟି ଥିଲା ‘ମଧୁ ମଳୟ ମନ୍ଦ ବହିଲା ରେ, ରସାଳ କୁଞ୍ଜେ ପିକ ଗାଇଲା ରେ’। ସେହିଭଳି ରାଗ ଥିଲା ‘ବରାଡ଼ି’। ତାଳ ଥିଲା ‘ଯତି ଏବଂ ଏକ ତାଳି’। ଏହି ରାଗ ଓ ତାଳରେ ଓଡ଼ିଶୀ ସଂଗୀତ ‘ଜାଣି ଜାଣି ହୁଡ଼ି ଗଲି ଟି’ ପରିବେଷଣ କରିଥିଲେ ସଂଗୀତା ପଣ୍ଡା। ଓଡ଼ିଶୀ ରାଗ ଓ ତାଳରେ ଏଭଳି ଗୀତ ଆଜି ଜୟଦେବ ଭବନରେ ଶ୍ରୋତାଙ୍କ ଭିତରେ ଶୀତୁଆ ସନ୍ଧ୍ୟାରେ ବସନ୍ତର ଆଗମନର ଅନୁଭୂତି ଭରି ଦେଇଥିଲା। ଦର୍ଶକମାନେ ଭୁଲି ଯାଇଥିଲେ ଶୀତ। ଅବସର ଥିଲା ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଫାଉଣ୍ଡେସନ୍ ପକ୍ଷରୁ ଆୟୋଜିତ ଓଡ଼ିଶୀ ସଂଗୀତ ମହୋତ୍ସବ-୨୦୨୧ର ଉଦ୍‌ଘାଟନ ଉତ୍ସବ।

ଆରମ୍ଭରୁ ‘କାହା ଚିତ୍ତ, ତାହା ଚାହିଁ ନ ବଦଳିବ, ଯାହା ଦେଖିଗୋ ମା’ ଓଡ଼ିଶୀ ଗୀତରେ ଗୁଞ୍ଜରିତ ହୋଇଥିଲା ଜୟଦେବ ଭବନ। ରାଗ ‘କାଲିବାଣ’ ଓ ତାଳ ‘ଏକ ତାଳି’ରେ ଗୁରୁ ଗୋପାଳକୃଷ୍ଣଙ୍କ ରଚନା ଏହି ସଂଗୀତକୁ ରୂପକ କୁମାର ପରିଡ଼ା ଗାଇଥିଲେ। ଏହା ପରେ ‘କହିବୁ ଯାହା ଶ୍ୟାମବନ୍ଧୁଙ୍କୁ ମନ ମନାଇ’ ସଂଗୀତକୁ ଗୀତମଞ୍ଜରୀ ବେହେରା ପରିବେଷଣ କରିଥିଲ। ଏହାର ରାଗ ଥିଲା ‘ବକୁଳା ବରଣ’ ଏବଂ ତାଳ ଥିଲା ‘ଏକ ତାଳି’। ଦର୍ଶକମାନେ ବିଭୋର ହୋଇପଡ଼ିଥିବା ବେଳେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରସ ପଞ୍ଚକ ସଂଗୀତ ‘ରମଣୀବର ଆସୁଛି କରି ଭଙ୍ଗୀ’ ଗାଇଥି‌ଲେ ଗୁରୁ ଚନ୍ଦ୍ରମଣି ଲେଙ୍କା। ଏହାର ତାଳ ଥିଲା ‘ତ୍ରିପଟ୍ଟା’ ଏବଂ ରାଗ ଥିଲା ‘କେଦାର କାମୋଦୀ’। ଏହା ଦର୍ଶକମାନଙ୍କୁ ରୋମାଞ୍ଚିତ କରିଥିଲା। ରାସବିହାରୀ ନାଥଙ୍କ କଣ୍ଠରୁ ଆସିଥିଲା ‘ଚକ୍ର ବାଙ୍କ’ ରାଗ ଓ ତାଳ ‘ଯତି’ରେ ‘କାହିଁକି ନଇଁଲେ ଶ୍ୟାମ ରଜନୀରେ’।

ଶେଷ ସଙ୍ଗୀତଟିକୁ ଗୁରୁ ନିମାକାନ୍ତ ରାଉତରାୟ ଗାଇଥିଲେ। କବି ସୂର୍ଯ୍ୟଙ୍କ ବଳଦେବ ରଥଙ୍କ ‘ମହୀମଣ୍ଡନା ତୁ ନମାର ମାର ମାର’ ଏବଂ କବି ରଘୁନାଥଙ୍କ ‘ତାର ଛଇକି ଛବିକି ମାରରେ’ ସଂଗୀତ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ଏହାର ରାଗ ‘ ମାର୍ଗ ବିହାଗ’ ଥିବା ବେଳେ ଏହାକୁ ‘ଏକ ତାଳିରେ’ ଗାନ କରାଯାଇଥିଲା। ଏମିତି ବିଭିନ୍ନ ରାଗ ଓ ତାଳର ସମାହାର ଆଜି ଜୟଦେବ ଭବନରେ ଶ୍ରୋତାମାନଙ୍କୁ ବସନ୍ତ ଋତୁର ଆଗମନ କଥା ମନେ ପକାଇଦେଇଥିଲା।

କାର୍ଯ୍ୟକ୍ରମରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥିଭାବେ ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭେନ୍ଦୁ କୁମାର ନାୟକ ଯୋଗ ଦେଇଥିଲେ। ଅନୁଷ୍ଠାନର ସଂପାଦକ ଗୁରୁ ରାମହରି ଦାସ, ଅରକ୍ଷିତ ଦାଶ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୃତ୍ୟୁଞ୍ଜୟ ରଥ ସଂଯୋଜନା ଦାୟିତ୍ବ ନିର୍ବାହ କରିଥିଲେ।

ସମ୍ବନ୍ଧିତ ଖବର