ନୃତ୍ୟରେ ଗୁରୁଙ୍କୁ ନୈବେଦ୍ୟ

ଭୁବନେଶ୍ବର : ଶିବଙ୍କ ଶକ୍ତି ହେଉ ଅବା ଶ୍ରୀରାମଙ୍କ ଭକ୍ତି ଭାବ। ତୁଳସୀ ଦାସଙ୍କ ରାମ ଭଜନରୁ ନେଇ ଜୟଦେବଙ୍କ ଗୀତଗୋବିନ୍ଦ। ଓଡ଼ିଶୀ ନୃତ୍ୟରେ ଭକ୍ତି ଓ ଭାବରସକୁ ଉପସ୍ଥାପନ କରି ଦର୍ଶକଙ୍କ ମନୋରଂଜନ ସହ ଗୁରୁଙ୍କୁ ଭକ୍ତି ନୈବେଦ୍ୟ ଅର୍ପଣ କରିଥିଲେ ନୃତ୍ୟଶିଳ୍ପୀବୃନ୍ଦ। ଦିବଙ୍ଗତ ଓଡ଼ିଶୀ ନୃତ୍ୟଗୁରୁ ପଦ୍ମବିଭୂଷଣ କେଳୁଚରଣ ମହାପାତ୍ରଙ୍କ ୯୩ତମ ଜନ୍ମବାର୍ଷିକୀ ଅବସରରେ ନୃତ୍ୟରେ ଶ୍ରଦ୍ଧା ନିବେଦନ କରିଥିଲେ ଶିଳ୍ପୀବୃନ୍ଦ। ‘ସୃଜନ’ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମ ‘ଅନ୍ତର୍ଦୃଷ୍ଟି’ ଏମିତି ଏକ ଅବକାଶ ଆଣି ଦେଇଥିଲା।

ଶିଳ୍ପୀ ରିଦ୍ଧି ଭଟ୍ଟାଚାର୍ଯ୍ୟ ପରିବେଷଣ କରିଥିଲେ ‘ଜୟ ମହେଶ’। ନୃତ୍ୟ ସଂଯୋଜନା କରିଥିଲେ ରତିକାନ୍ତ ମହାପାତ୍ର। ପରେ ଶିଳ୍ପୀ ଭାରତୀ ମିଶ୍ର ପଲ୍ଲବୀ ପରିବେଷଣ କରିଥିଲେ। ନୃତ୍ୟଶିଳ୍ପୀ ରାଜଶ୍ରୀ ପ୍ରହରାଜ ରାମଚନ୍ଦ୍ର କୃପାଳୁ ଭଜମନ..ଭଜନରେ ନୃତ୍ୟ ପରିବେଷଣ କରିଥିଲେ। ବରିଷ୍ଠ ନୃତ୍ୟଶିଳ୍ପୀ ମୀରା ଦାସ ଜୟଦେବଙ୍କ ଅଷ୍ଟପଦୀରେ ରାଧାକୃଷ୍ଣଙ୍କ ନିଃସର୍ତ‌ ପ୍ରେମକୁ ନୃତ୍ୟରେ ବର୍ଣ୍ଣନା କରିଥିଲେ। ବେହେଲା ବାଦକ ଅଗ୍ନିମିତ୍ର ବେହେରା ଓ ବଂଶୀବାଦକ ଶ୍ରୀନିବାସ ଶତପଥୀ ବାଦ୍ୟ ବିଚିତ୍ରା ପରିବେଷଣ କରିଥିଲେ। ମଞ୍ଚରେ ଆଲୋକ ପରିଚାଳନା କରିଥିଲେ ରତିକାନ୍ତ ମହାପାତ୍ର ଓ ଦେବୀପ୍ରସାଦ ମିଶ୍ର। ବିଶିଷ୍ଟ କଣ୍ଠଶିଳ୍ପୀ ରାମହରି ଦାସ, ସଂଗୀତଜ୍ଞ ଲକ୍ଷ୍ମୀକାନ୍ତ ପାଲିତ୍‌, ନୃତ୍ୟ ସମୀକ୍ଷକ ତପତି ଚୌଧୁରୀ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟନିର୍ବାହୀ ସଂଗୀତା ଗୋସାଇଁ ଏବଂ ‘ସୃଜନ’ର ନିର୍ଦେଶକ ରତିକାନ୍ତ ମହାପାତ୍ର ମଞ୍ଚରେ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର