ଭୁବନେଶ୍ବର: ‘ହାତରେ ବେଡ଼ି ପିଠିରେ କୋରଡ଼ା, କାନ୍ଦେ ଭାରତ ମା’... ପରାଧୀନତାର ଅନ୍ଧାର ତଳେ, ଡ଼ାକୁଛି ତତେରେ ମୁକ୍ତି ପୁରୁଷ ଆ’...। ମହାତ୍ମା ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରଚିତ ଏହି ଦେଶପ୍ରେମ ଓ ସଂଗ୍ରାମୀ ସଂଗୀତ ଆଜି ରବୀନ୍ଦ୍ର ମଣ୍ଡପରେ ଦର୍ଶକଙ୍କ ଭିତରେ ରୋମାଞ୍ଚ ଭରି ଦେଇଥିଲା। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ଦ୍ବାରା ଆୟୋଜିତ ‘ଆଜାଦି କି ଅମୃତ ମହୋତ୍ସବ’ ପାଳନ ଅବସରରେ ଓଡ଼ିଶା ଡ୍ୟାନ୍ସ ଏକାଡେମି ପକ୍ଷରୁ ଏହି ଗୀତକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲା।
ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ‘ଓଡ଼ିଶା ନୃତ୍ୟ ନାଟିକା ଉତ୍ସବ’ ଆଜାଦି ଅବସରରେ ବିଭିନ୍ନ ଦେଶପ୍ରେମ ସଂଗୀତ ସାଙ୍ଗକୁ ପ୍ରୋଜେକ୍ଟର୍ ସ୍କ୍ରିନ୍ରେ ବୃତ୍ତଚିତ୍ର ମାଧ୍ୟମରେ ପରିବେଷଣ କରାଯାଇଥିଲା। ପରେ ପରେ ନୃତ୍ୟାୟନ ନାଟ୍ୟ ସଂସ୍ଥା ପକ୍ଷରୁ ‘ବୀରଭୂମି ଉତ୍କଳ’ ପ୍ରସଙ୍ଗରେ ନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିଥି ଭାବେ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ପାଢ଼ୀ, ବିଶିଷ୍ଟ ନୃତ୍ୟଶିଳ୍ପୀ ପ୍ରିୟମ୍ବଦା ମହାନ୍ତି ହେଜ୍ମାଦି, ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ କୁମାର ଶତପଥୀ, ସଚିବ ପ୍ର ବୋଧ ରଥ ପ୍ରମୁଖ ଉପସ୍ଥିତ ଥିଲେ। ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।
ସୂଚନାଯୋଗ୍ୟ, ୧୯୭୫ ଜୁଲାଇ ୨୭ ଓ ୨୮ ତାରିଖରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ଆଧାରିତ ଏକ ଆଲୋଚନାଚକ୍ର ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଏହାର ତଥ୍ୟ ଓ ବିବରଣୀର ଇଂରାଜୀ ସଂସ୍କରଣ ଆଜି ଏହି ଅବସରରେ ଉନ୍ମୋଚିତ ହୋଇଥିଲା। ଏହାର ପୃଷ୍ଠଭୂମି ଇଲିୟାନ୍ ସୀତାରିଷ୍ଟ୍ ଲେଖିଥିବା ବେଳେ ଇଂରାଜୀ ଅନୁବାଦ କରିଛନ୍ତି ମାଳବିକା ପଟେଲ। ଆଜି ଉଭୟ ଲେଖିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ସୂଚନା ଦିଆଯାଇଛି।