ଓଡ଼ିଶୀ ନୃତ୍ୟରେ ଝଙ୍କୃତ ହେଲା ଭାରତ ନିବାସ: ଉପଭୋଗ କଲେ ୭୨ ଦେଶର ନୃତ୍ୟପ୍ରେମୀ

ଭୁବନେଶ୍ୱର: ଓଡ଼ିଶୀ ଛାନ୍ଦରେ ଭାବ, ରଙ୍ଗ ଓ ତାଳର ସମ୍ମିଶ୍ରଣରେ ପରିବେଷିତ ହେଲା ଶ୍ରୀଜଗନ୍ନାଥଙ୍କ ବନ୍ଦନା। କଳାକାରମାନଙ୍କ ନୃତ୍ୟାଭିନୟରେ ପରିବେଷିତ ହେଲା ପୌରାଣିକ କଥାବସ୍ତୁ। ଉପସ୍ଥିତ ଦର୍ଶକ ତଥା ଭର୍ଚୁଆଲ୍‌ ମାଧ୍ୟମରେ ଦେଖୁଥିବା ଦର୍ଶକ ବି‌ମୋହିତ ହୋଇଥିଲେ। ଶ୍ରୀଜଗନ୍ନାଥଙ୍କ ବନ୍ଦନାର ସ୍ବର ସାଙ୍ଗକୁ କଳାକାରମାନଙ୍କ ଛନ୍ଦ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ଏମିତି ଥିଲା ଆଜି ତାମିଲନାଡ଼ୁ ଅରୋଭିଲେ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଟାଉନ୍‌ସିପ୍ ପରିସରସ୍ଥିତ ଭାରତ ନିବାସର ୫୦ତମ ପ୍ରତିଷ୍ଠା ଦିବସ ସନ୍ଧ୍ୟା। ଏହି ଟାଉନ୍‌ସିପ୍‌ରେ ରହୁଥିବା ପ୍ରାୟ ୭୨ ଦେଶର ଶ୍ରୀ ଅରବିନ୍ଦ ଓ ଶ୍ରୀ ମା ଭକ୍ତ ବା ଅନୁଗାମୀମାନେ ଏହି ଓଡ଼ିଶୀ ନୃତ୍ୟ ଉପଭୋଗ କରିବା ସହ ସେମାନଙ୍କ ଦେଶର ସମ୍ପର୍କୀୟମାନେ ବି ଭର୍ଚୁଆଲ୍‌ ମାଧ୍ୟମରେ ଏହାର ମଜା ନେଇଥିଲେ।

ଭାରତ ନିବାସ ଶ୍ରୀଅରବିନ୍ଦ ସଭାଗୃହରେ ଅନୁଷ୍ଠିତ ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଓଡ଼ିଶୀ ନୃତ୍ୟ। ଶ୍ରୀଜଗନ୍ନାଥଙ୍କ ବନ୍ଦନାରେ ନୃତ୍ୟ ପରିବେଷଣ କରିଥିଲେ ଭୁବନେଶ୍ୱର ଡମଣାସ୍ଥିତ ବ୍ଲୁ ଲାଇଟ୍ ଡ୍ୟାନ୍ସ ଷ୍ଟୁଡିଓର କଳାକାରମାନେ। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ଉପରେ ଆଧାରିତ ବିଭିନ୍ନ ପୌରାଣିକ ତତ୍ୱକୁ ନେଇ ନୃତ୍ୟ ପରିବେଷଣ କରାଯାଇଥିଲା। ଷ୍ଟୁଡିଓର ପ୍ରତିଷ୍ଠାତା ତଥା କ୍ରିଏଟିଭ୍ ହେଡ୍ ଜନ୍ମେଜୟ ମହାନ୍ତିଙ୍କ ସୂଚନାନୁସାରେ ବ୍ଲୁ ଲାଇଟ୍ ଡ୍ୟାନ୍ସ ଷ୍ଟୁଡିଓର ଆଜିର କାର୍ଯ୍ୟକ୍ରମ ଏକ ନିଆରା ଅନୁଭୂତି ଦେଇଛି। ଏକାସାଙ୍ଗରେ ୭୨ ଦେଶର ନାଗରିକମାନେ ଓଡ଼ିଶୀ ନୃତ୍ୟ ଉପଭୋଗ କରିବା ଓ ତାଙ୍କ କଳାକାରମାନେ ସେମାନଙ୍କଠାରୁ କରତାଳି ସହ ପ୍ରଶଂସା ପାଇବା ବେଶ୍ ରୋମାଞ୍ଚକର ଅନୁଭୂତି ଆଣି ଦେଇଛି। ଏ ପର୍ଯ୍ୟନ୍ତ ତାଙ୍କ ଶିକ୍ଷାନୁଷ୍ଠାନରୁ ପ୍ରାୟ ଏକ ହଜାରରୁ ଅଧିକ ନୃତ୍ୟ ଶିଳ୍ପୀ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ ଦେଶ ବିଦେଶରେ ନୃତ୍ୟ ପ୍ରଦର୍ଶନ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ତେଣୁ ଆଜିର କାର୍ଯ୍ୟକ୍ରମ ବିଦେଶରେ ଓଡ଼ିଶୀ ନୃତ୍ୟର ପ୍ରସାର ଦିଗରେ ବେଶ୍ ସହାୟକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର