ମଉଳି ଗଲାଣି ଓଡ଼ିଶୀ ସଂଗ୍ରହାଳୟ ସ୍ୱପ୍ନ,୧୦ ବର୍ଷ ହେଲା ଝୁଲି ରହିଛି ପ୍ରକଳ୍ପ

ଭୁବନେଶ୍ବର : ଓଡ଼ିଶୀର ଟିକିନିଖି କଥା ବଖାଣିବ ଓଡ଼ିଶୀ ସଂଗ୍ରହାଳୟ। ସମର୍ପିତ ଆଦ୍ୟଗୁରୁଙ୍କ ଶେଷ ସନ୍ତକକୁ ପାଖରୁ ଉପଲବ୍ଧି କରିବେ ନୃତ୍ୟ ପିପାସୁ ନର୍ତକ ନର୍ତକୀ ଓ ନୃତ୍ୟଗ୍ରାହୀ ଦର୍ଶକ। ଆକର୍ଷଣୀୟ ନୃତ୍ୟ ମୁଦ୍ରାଠୁ ନେଇ ପରିପାଟ୍ଟୀ। ଓଡ଼ିଶୀ ସଂଗୀତଠୁ ନେଇ ଓଡ଼ିଶୀ ନୃତ୍ୟର ଇତିକଥାକୁ ଏକାଠି ଉପସ୍ଥାପିତ କରିବା ପାଇଁ ୨୦୦୯ରେ ଅବଧାରଣା ଆଧାରିତ ‘ଓଡ଼ିଶୀ ସଂଗ୍ରହାଳୟ’ ଗଢ଼ିବାର ନିଷ୍ପତ୍ତି ନିଆଗଲା। ତତ୍କାଳୀନ ସଂସ୍କୃତି ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ସମୟରେ ଏନେଇ ପ୍ରାରମ୍ଭିକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ମାତ୍ର ୧୦ ବର୍ଷ ବିତି ଯାଇଥିଲେ ସୁଦ୍ଧା ସଂଗ୍ରହାଳୟ ନେଇ କୌଣସି କାମ ଆରମ୍ଭ ହୋଇପାରିନାହିଁ। ରାଜ୍ୟ ସରକାର ‘୫-ଟି’ କଥା କହି ବାଃ ବାଃ ନେଉଥିଲେ ହେଁ ୧୦ ବର୍ଷ ପରେ ମଧ୍ୟ ଏକ ପରିକଳ୍ପିତ ପ୍ରକଳ୍ପକୁ ଝୁଲେଇ ରଖିବା କି ପ୍ରକାର ଲକ୍ଷଣ‌ ବୋଲି ନୃତ୍ୟପ୍ରେମୀମାନେ ପ୍ରଶ୍ନ କରିଛନ୍ତି।

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ୨୦୦୯ ମସିହାରେ ଓଡ଼ିଶୀ ସଂଗ୍ରହାଳୟ ସ୍ଥାପନ ନେଇ ପ୍ରସ୍ତାବ ଦିଆଯାଇଥିଲା। ପ୍ରାରମ୍ଭରେ ଗବେଷଣା କେନ୍ଦ୍ର ପରିସରରେ ଖାଲି ଥିବା ଜମିରେ ଏହି ସଂଗ୍ରହାଳୟ ହେବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୨୦୧୦ ମସିହାରେ ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ୧୦‌ କୋଟି ଟଙ୍କାର ଏକ ହିସାବ ଦିଆଯାଇଥିଲା। ଏନେଇ ନୂଆଦିଲ୍ଲୀରେ ଭାରତର ୧୯ ଜଣ ଧୂରୀଣ ବ୍ୟକ୍ତି ତଥା ଏକ୍ସପର୍ଟଙ୍କ ଉପସ୍ଥିତିରେ ଏକ ବୈଠକ ହୋଇଥିଲା। କେଉଁ ଧରଣର ସଂଗ୍ରହାଳୟ କରାଯିବ ସେନେଇ ମତ ରଖିବାକୁ କୁହାଯାଇଥିଲା। ଏନେଇ ପରେ କିଶୋର ଚନ୍ଦ୍ର ବାସାଙ୍କ ଅଧ୍ୟକ୍ଷତାରେ ଏକ ବୈଠକରେ ନିଷ୍ପତ୍ତି ‌ହୋଇଥିଲା ଯେ, ଅବଧାରଣା ଆଧାରିତ ଅର୍ଥାତ ‘କନ୍‌ସେପ୍ଟ ବେସ୍‌ଡ ଓଡ଼ିଶୀ ମ୍ୟୁଜିୟମ’ ସ୍ଥାପନ ହେବ। ପରେ ନୂଆ ବିଲ୍‌ଡିଂ କରାନଯାଇ ସଂପ୍ରତି ମହଜୁଦ ଥିବା ବିଲ୍‌ଡିଂର ଖାଲି ଥିବା ଗୃହଗୁଡ଼ିକୁ ‘ଗ୍ୟାଲେରି’ରେ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଗଲା। ଏନେଇ ଇଡ୍‌କୋକୁ ଦାୟିତ୍ବ ଦିଆଗଲା। ମହଜୁଦ ଥିବା ଗୃହଗୁଡ଼ିକୁ ଗ୍ୟାଲେରିର ରୂପ ଦେବା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଡ୍‌କୋକୁ ୧ କୋଟି ଟଙ୍କା ଦିଆଗଲା। କାମ ଆରମ୍ଭ କରି ସମ୍ପୂର୍ଣ୍ଣ ହିସାବ ଦେଲେ ଆଉ ଅର୍ଥ ଦେବା ନେଇ ନିଷ୍ପତ୍ତି ହୋଇଥିଲା। ମାତ୍ର ଏଯାଏ କାମ ଆରମ୍ଭ ହେଲା ନାହିଁ।

ଓଡ଼ିଶୀ ଗବେଷଣା କେନ୍ଦ୍ରର ଜଣେ ଅଧିକାରୀଙ୍କ କହିବା ମୁତାବକ, ସଂପ୍ରତି କେନ୍ଦ୍ର ମଧ୍ୟରେ ଉପରେ ଓ ତଳ ତାଲାରେ ଗ୍ୟାଲେରି ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏନେଇ ଏକ ବୈଠକ ବି ବସିଥିଲା। ୧୦ଟି ଗ୍ୟାଲେରି ହେବା ନେଇ ସ୍ଥିର ହୋଇଥିଲା। ଓଡ଼ିଶୀ ନୃତ୍ୟ, ଓଡ଼ିଶୀ ସଂଗୀତ, ଓଡ଼ିଶୀ ବେଶଭୂଷା, ପାଠାଗାର, ପ୍ରକାଶନୀ କେନ୍ଦ୍ର, ମୁଦ୍ରା ସମ୍ବନ୍ଧୀୟ ଗ୍ୟାଲେରି ହେବା ନେଇ ଆଲୋଚନା ହୋଇଥିଲା। ଗୁରୁ କେଳୁଚରଣ ମହାପାତ୍ର, ଗୁରୁ ସଂଯୁକ୍ତା ପାଣିଗ୍ରାହୀଙ୍କ ପରିବାର ସହ ଆଲୋଚନା କରି ଗୁରୁଙ୍କ ନୃତ୍ୟ ସଂଶ୍ଳିଷ୍ଟ କିଛି ଜିନିଷ ଆଣି ସଂଗ୍ରହାଳୟରେ ସ୍ଥାନିତ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା। ମାତ୍ର ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ ବୋଲି ସେ କହିଛନ୍ତି। ଓଡ଼ିଶୀର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡ଼ିଶୀ ଗବେଷଣା କେନ୍ଦ୍ର ସ୍ଥାପନ ‌ହୋଇଥିଲେ ହେଁ ଗବେଷଣା ନେଇ କ’ଣ କରାଯାଉଛି ବା ଗବେଷକମାନଙ୍କୁ ଏହା କେତେଦୂର ସହାୟକ ହେଉଛି ତାହା ଅସ୍ପଷ୍ଟ। ତେବେ ଗବେଷଣା କେନ୍ଦ୍ର ମଧ୍ୟରେ ଓଡ଼ିଶୀ ସଂଗ୍ରହାଳୟର ଏ ପରିକଳ୍ପନା ଅନ୍ତତଃ ଏ ପ୍ରକାର ଅଭାବବୋଧକୁ ଦୂର କରିବା ସହ ଗବେଷଣା ପାଇଁ ଆହୁରି ବାଟ ପ୍ରଶସ୍ତ କରିପାରନ୍ତା। ଏହି ପ୍ରକଳ୍ପ ଯେ ଆଗାମୀ ଦିନରେ ବାସ୍ତବ ରୂପ ନେବ ତାହାର ଉତ୍ତର ବି ଅଧିକାରୀମାନେ ଦେଇପାରୁନାହାନ୍ତି। ଏଣେ ନୂଆ ଯୋଜନା ଓ ପ୍ରକଳ୍ପ କରିବା ନେଇ ଘୋଷଣା କରିବାରେ ସରକାର ଯେତିକି ଆଗ୍ରହ ଦେଖାଉଛନ୍ତି, ସେଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ସେତିକି ଆନ୍ତରିକତା ଦେଖାଉନଥିବାରୁ ଅନେକ ପ୍ରକଳ୍ପ ବାସ୍ତବ ରୂପ ନେବା ପୂର୍ବରୁ ମଉଳି ଯାଉଛି।

ସମ୍ବନ୍ଧିତ ଖବର