ଆରମ୍ଭ ହେଲା ଓଡ଼ିଶୀ ସଙ୍ଗୀତ କାର୍ଯ୍ୟକ୍ରମ ‘ଉତ୍କର୍ଷ’

ଭୁବନେଶ୍ବର: ଓଡ଼ିଶୀ ସଙ୍ଗୀତର ସୁମଧୁର ମୁର୍ଚ୍ଛନାରେ ମୁଖରିତ ହେଉଥିଲା ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର। ବାଦ୍ୟ ଓ ସ୍ବରର ସଙ୍ଗମ ପରିବେଶରେ ଶାସ୍ତ୍ରୀୟତା ଭରି ଦେଉଥିଲା। ୬ ବରିଷ୍ଠ ଗୁରୁଙ୍କର ୧୮ ଶିଷ୍ୟ ଆଜି ମଞ୍ଚରେ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ। ଅବସର ଥିଲା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହଯୋଗରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଉତ୍କର୍ଷ’ କାର୍ଯ୍ୟକ୍ରମ।

କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଭାପତି ଅରୁଣା ମହାନ୍ତି, ଉପସଭାପତି ମନ୍ମଥ ମିଶ୍ର, ସଚିବ ପ୍ରବୋଧ ରଥ, କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମିର ପୂର୍ବତନ ସଭାପତି ଲିଲା ସାମସଙ୍ଗ, କର୍ଣ୍ଣାଟକୀ କଣ୍ଠଶିଳ୍ପୀ ଅଶ୍ବସ୍ଥ ନାରାୟଣ ରାଜଗୋପାଲ, ଗବେଷକ କୀର୍ତ୍ତନ ନାରାୟଣ ପାଢ଼ୀ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟନିର୍ବାହୀ ସୁବୋଧ ଆଚାର୍ଯ୍ୟ ଯୋଗ ଦେଇଥିଲେ।

ଏହି ଅବସରରେ ଗୁରୁ ଶ୍ୟାମାମଣି ଦେବୀଙ୍କୁ ସମ୍ପର୍ଦ୍ଧିତ କରାଯାଇଥିଲା। କ‌ାର୍ଯ୍ୟକ୍ରମକୁ ଅନୁଜା ତାରିଣୀ ମିଶ୍ର ପରିଚାଳନା କରିଥିଲେ। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଓଡ଼ିଶୀ ଗାୟନ ଓ ବାଦନର ୬ ଜଣ ପ୍ରତିଷ୍ଠିତ ଗୁରୁଙ୍କ ଅଧୀନ‌ରେ ତାଙ୍କ ଦ୍ବାରା ପ୍ରଶିକ୍ଷିତ ହୋଇଥିବା ଶିଷ୍ୟ/ଶିକ୍ଷ୍ୟାମାନଙ୍କ ମଧ୍ୟରୁ ସର୍ବୋତ୍ତମ ୩ ଜଣଙ୍କୁ ଚୟନ କରି ଶିକ୍ଷାଦାନ କରି ଜାତୀୟସ୍ତରରେ ପରିବେଷଣ କରିବା ପାଇଁ ବିଶେଷ ଭାବେ ପ୍ରଶିକ୍ଷିତ କରିବେ। ପ୍ରତି ୩ ମାସରେ ଥରେ ଶିଳ୍ପୀମାନେ ତାଙ୍କର କାର୍ଯ୍ୟକ୍ରମ ବିଶେଷଜ୍ଞଙ୍କ ସମ୍ମୁଖରେ ପ୍ରସ୍ତୁତ କରିବେ। ପ୍ରଥମ ପର୍ଯ୍ୟାୟରେ ଗୁରୁ ଗୋପାଳ ପଣ୍ଡା, ଗୁରୁ ରାମହରି ଦାସ, ଗୁରୁ କେଶବ ଚନ୍ଦ୍ର ରାଉତ, ଗୁରୁ ବିଜୟ ଜେନା, ଗୁରୁ ଧନେଶ୍ବର ସ୍ବାଇଁ ଓ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କୁ ଦାୟିତ୍ବ ଦିଆଯାଇଛି। ଏଥିସହ ଗୁରୁମାନଙ୍କ ସମ୍ମାନାର୍ଥେ ମାସକୁ ୧୫ ହଜାର ଟଙ୍କା ଓ ପ୍ରତ୍ୟେକ ଶିଷ୍ୟଶିଷ୍ୟାଙ୍କୁ ମାସିକ ୫ ହଜାର ଟଙ୍କାର ବୃତ୍ତି ପ୍ରଦାନ କରାଯିବ। ଏକାସଙ୍ଗେ ୧୦ ଜଣ ଏକକ ଓଡ଼ିଶୀ କଣ୍ଠଶିଳ୍ପୀ, ଜଣେ ବେହେଲା ବାଦକ ଓ ଜଣେ ବଂଶୀବାଦକ ତଥା ୬ ଜଣ ମର୍ଦ୍ଦଳ ବାଦକ ରାଜ୍ୟ ବାହାରେ ଶାସ୍ତ୍ରୀୟ ଶୈଳୀରେ ଉଚ୍ଚକୋଟୀର ଗାୟନ ଓ ବାଦନ ପରିବେଷଣ କରିବେ।

ସମ୍ବନ୍ଧିତ ଖବର