ଓଡ଼ିଶୀ ସଙ୍ଗୀତ ଆପେ ଶାସ୍ତ୍ରୀୟ ହୋଇଯିବ: ସୋହିନୀ

ପିଲା ଦିନୁ ସଙ୍ଗୀତକୁ ନିଶା ଭାବେ ଗ୍ରହଣ କରିଥିଲେ। ଜଣେ ପ୍ରଶିକ୍ଷିତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଭାବେ ବହୁବାର ପୁରସ୍କୃତ ହୋଇ ପରେ ରିଅଲିଟି ସୋ’କୁ ମାଧ୍ୟମ କରି ନିଶାକୁ ପେସା କରିବା ଯାତ୍ରା ଆରମ୍ଭ କରିଥିଲେ। ‘ଆମରି ସ୍ବର’, ଜୀ ଟିଭିରେ ପ୍ରସାରିତ ‘ସାରେଗାମାପା’ ଓ ପରେ ସୋନି ଚ୍ୟାନେଲର ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୬’ ସେ ଯୋଗ ଦେଇ ନିଜ ଗାୟନ ଶୈଳୀକୁ ଅଧିକ ଶାଣିତ କଲେ। ଏହାପରେ ହିନ୍ଦୀ, ଓଡ଼ିଆ, ବଙ୍ଗଳୀ, ମାଲାୟାଲମ୍‌ ଭଳି ବହୁ ଭାଷାରେ ଗୀତ ଗାଇ ଜାତୀୟସ୍ତରରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି କଟକ ଝିଅ ସୋହିନୀ ମିଶ୍ର। ତାଙ୍କ ସହ ‘ସମ୍ବାଦ’ ପକ୍ଷରୁ ସସ୍ମିତା ସାହୁଙ୍କ ଅଳ୍ପ ଆଳାପ…

ରିଅଲିଟି ସୋ’ ପ୍ରତିଭା ବିକଶିତ କରିବା ଦିଗରେ କେତେ ଉପଯୋଗୀ?
କିଛି ବର୍ଷ ହେଲା ରିଅଲିଟି ସୋ’ଗୁଡ଼ିକ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଏହା ସବୁ ବର୍ଗର ଲୋକଙ୍କ ପ୍ରତିଭା ପରିସ୍ଫୁଟନର ମାଧ୍ୟମ ହୋଇଛି। ମୁଁ ଜୀ ଟିଭିରେ ପ୍ରସାରିତ ‘ସାରେଗାମାପା…’ ଓ ପରେ ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌ ୬ରେ ଯୋଗ ଦେଇଛି। ଏହା ନିହାତି ଭାବେ ମୋ ଗାୟନ ଶୈଳୀକୁ ଗୁଣାତ୍ମକ କରିଛି ଓ ମୋତେ ଲାଇମ୍‌ ଲାଇଟ୍‌କୁ ଆଣିବାରେ ସାହାଯ୍ୟ କରିଛି। କିନ୍ତୁ ଧୀରେଧୀରେ ରିଅଲିଟି ସୋ’ଗୁଡ଼ିକର ବ୍ୟବସାୟୀକରଣ ଅନେକ ପ୍ରତିଭାଙ୍କୁ ମାନସିକ ଭାବେ ନିର୍ଯାତିତ କରୁଛି।

ହିନ୍ଦୁସ୍ତାନୀ ଓ ଓଡ଼ିଶୀ ସଙ୍ଗୀତ ମଧ୍ୟରେ ପ୍ରଭେଦ କ’ଣ?
ମୁଁ ପିଲାଟି ବେଳୁ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଗାଇ ଆସୁଛି। ଏଥିରେ ମୁଁ ନିପୁଣା। ଓଡ଼ିଶୀ ଓ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଅନେକ କ୍ଷେତ୍ରରେ ଭିନ୍ନ ହୋଇଥିଲେ ହେଁ ଉଭୟଙ୍କର ଶାସ୍ତ୍ରୀୟ ଲକ୍ଷଣ ରହିଛି। ଉଭୟଙ୍କ ଲକ୍ଷଣ, ଗାୟନ, ଶାସ୍ତ୍ର ଭିନ୍ନ। ସ୍ବରର ଅଭ୍ୟାସ ବା ବ୍ୟାୟାମ ପାଇଁ ହିନ୍ଦୁସ୍ତାନୀ ସଙ୍ଗୀତକୁ ଶ୍ରେଷ୍ଠ ବୋଲି ବିଶ୍ବାସ କରାଯାଏ। ହିନ୍ଦୁସ୍ତାନୀ ସଙ୍ଗୀତ ଶିଖିଥିଲେ ସବୁ ପ୍ରକାର ସଙ୍ଗୀତ ଗାଇବା ସହଜ ହୋଇଥାଏ। କିନ୍ତୁ ଓଡ଼ିଶୀ ସଙ୍ଗୀତ ବି ପଛରେ ରହିଯାଇନାହିଁ। ଏହା ମଧ୍ୟ ସମାନ ଶ୍ରେଣୀବାଚ୍ୟ।

ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦାବି ନେଇ କ’ଣ କହିବେ?
ନିହାତି ଭାବେ ଓଡ଼ିଶୀ ସଙ୍ଗୀତ ଶାସ୍ତ୍ରୀୟ ମାନ୍ୟତା ପାଇବା‌ ଆବଶ୍ୟକ। କିନ୍ତୁ ଏହା ପୂର୍ବରୁ ରାଜ୍ୟ ଓ ରାଜ୍ୟ ବାହାରେ ଏହାର ଅଧିକ ଗାୟନ, ପରିବେଷଣ, ଭିତ୍ତିଭୂମି ବିକାଶ ଓ ଗ୍ରହଣୀୟତା ବଢ଼ିବା ଆବଶ୍ୟକ। ଏନେଇ କୌଣସି ଦ୍ବିମତ ନ ହୋଇ କେବଳ ଅଧିକ ଗବେଷଣା ଓ ପରିବେଷଣରେ ଆମ ସମୟ ଆମେ ଲଗାଇଲେ, ଓଡ଼ିଶୀ ସଙ୍ଗୀତକୁ ନେଇ ରାଜ୍ୟ ଦେଖିଥିବା ସ୍ବପ୍ନ ଆପେ ପୂରଣ ହୋଇଯିବ।

ଆପଣଙ୍କ ସଙ୍ଗୀତ ଜୀବନ ଯାତ୍ରା କେମିତି ଥିଲା?
ଯାତ୍ରା ସବୁବେଳେ ସଂଘର୍ଷମୟ। କିନ୍ତୁ ସଙ୍ଗୀତକୁ ମୁଁ ଭଲ ପାଏ। ଏଣୁ ଏଥିପାଇଁ କରିଥିବା ମୋର ସବୁ ଯାତ୍ରା ସୁଖଦ। ପିଲାଟି ବେଳୁ ମୁଁ ସଙ୍ଗୀତ ଶିକ୍ଷା କରୁଛି। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ସହ ଓଡ଼ିଶାର ସଙ୍ଗୀତ ରିୟଲିଟି ସୋ’ ‘ଆମରି ସ୍ବର’ରେ ଅଂଶଗ୍ରହଣ କରିଥିଲି। ଏହାପରେ ‘ଇଣ୍ଡିଆନ୍‌ ଆଇଡଲ୍‌ ସିଜିନ୍‌-୬’ରେ ଯୋଗ ଦେଇଥିଲି। ‌ଏହା ମୋ ସଙ୍ଗୀତ ଯାତ୍ରାର ଏକ ବଡ଼ ମାଇଲଖୁଣ୍ଟ ଥିଲା। ଏହା ମୋ ସଙ୍ଗୀତ ପରିବେଷଣ ଶୈଳୀ, ସ୍ବରରେ ଏକ ପରିପକ୍ବତା ଆଣିଥିଲା। ଯାହା ପରେ ମୋତେ ହିନ୍ଦୀ, ବଙ୍ଗାଳୀ, ମାଲାୟାଲମ୍‌ ଓ ଓଡ଼ିଆ ଭାଷାରେ ବହୁ ଗୀତ ଗାଇବାର ସୁଯୋଗ ଦେଲା।

କେଉଁ ଗୀତ ଗାଇଲେ ଆପଣଙ୍କୁ ଆତ୍ମସନ୍ତୋଷ ମିଳେ?
ମୋତେ ଦକ୍ଷିଣ ଭାରତୀୟ ଭାଷାରେ ସଙ୍ଗୀତ ଗାଇବାକୁ ବେଶ୍ ଭଲ ଲାଗେ। ଯଦିଓ ମୁଁ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିନାହିଁ, ତଥାପି ଏହାର ଗାୟନଶୈଳୀ ମୋର ପ୍ରିୟ। ଏଣୁ ଦକ୍ଷିଣ ଭାରତୀୟ ଭାଷାରେ ଗୀତ ଗାଇଲେ ମୁଁ ଆତ୍ମସନ୍ତୋଷ ପାଏ।

ଓଡ଼ିଆ ସଙ୍ଗୀତ ଜଗତର ସ୍ଥିତି ଏବେ କିଭଳି?
ଓଡ଼ିଆ ସଙ୍ଗୀତର ଲୋକପ୍ରିୟତା ସବୁବେଳେ ରହିଛି। ମଝିରେ ସଙ୍ଗୀତ ସଂ‌ଯୋଜନା ନକଲ ହେଉଛି ବୋଲି ଅଭିଯୋଗ ‌ହେଉଥିଲା। ଏବେ ଆଉ ତାହା ନାହିଁ। କିନ୍ତୁ କିଛି ଅଣ-କଳାକାର ବା ସଙ୍ଗୀତ ଜ୍ଞାନ ନଥିବା ଲୋକ ସଙ୍ଗୀତ ଜଗତକୁ ପଶି ଏହାକୁ କଳୁଷିତ କରୁଛନ୍ତି। ଫଳରେ ଓଡ଼ିଆ ସଙ୍ଗୀତର ମାନ ହ୍ରାସ ପାଉଛି।

ସମ୍ବନ୍ଧିତ ଖବର