‘ଓଡ଼ିଶୀ ନୃତ୍ୟ ନାଟିକା ଉତ୍ସବ’ ଆଜାଦି ଉଦ୍‌ଯାପିତ: ରୋମାଞ୍ଚିତ କଲା ଉତ୍କଳମଣି ଓ ବିଜୟାନନ୍ଦଙ୍କ କାହାଣୀ

ଭୁବନେଶ୍ବର: ଉତ୍କଳମଣି ଗୋପବନ୍ଧୁ ଦାସ ଥିଲେ ଓଡ଼ିଆ ଜାତିର ତ୍ୟାଗ ଓ ତପସ୍ୟାର କାହାଣୀ। ଓଡ଼ିଆ ଜାତି ପାଇଁ ସେ ଥିଲେ ଆଲୋକବର୍ତ୍ତିକା। ଓଡ଼ିଆ ଯୁବପ୍ରାଣରେ ଶିକ୍ଷା, ସ୍ବାଧୀନତା ଓ ସ୍ବାବଲମ୍ବନର ମହାମନ୍ତ୍ର ଦେଇଥିବା ଉତ୍କଳମଣି ଗୋପବନ୍ଧୁଙ୍କ ଜୀବନୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋଇଥିବା ନୃତ୍ୟନାଟିକା ‘ଉତ୍କଳମଣି’ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା। କେଦାର ମିଶ୍ରଙ୍କ ରଚିତ ଏହି ନୃତ୍ୟନାଟିକାକୁ ଗୁରୁ ମୀରା ଦାସଙ୍କ ନିର୍ଦ୍ଦେଶନାରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମିର କଳାକାରମାନେ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ଏଥିରେ ଗୁରୁ ଶ୍ରୀନିବାସ ଶତପଥୀ ସଂଗୀତ ସଂଯୋଜନା କରିଥିବା ବେଳେ ଗୁରୁ ଧନେଶ୍ବର ସ୍ବାଇଁ ବାଦ୍ୟ ସଂଯୋଜନା କରିଥିଲେ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମି ପକ୍ଷରୁ ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଓଡ଼ିଆ ବରପୁତ୍ରମାନଙ୍କ ଜୀବନୀ ଉପରେ ଆଧାରିତ ‘ଓଡ଼ିଶୀ ନୃତ୍ୟ ନାଟିକା ଉତ୍ସବ’ ଆଜାଦିର ଆଜି ଥିଲା ଉଦ୍‌ଯାପନ ଦିବସ। ଏହି ଅବସରରେ ସୃଜନ ଅନୁଷ୍ଠାନ ପକ୍ଷରୁ ‘ମହାନାୟକ ବିଜୟାନନ୍ଦ’ ନୃତ୍ୟନାଟିକା ପରିବେଷଣ କରାଯାଇଥିଲା। ଏଥିରେ ବିଜୁବାବୁଙ୍କ ଓଡ଼ିଶା ତଥା ଦେଶ ପାଇଁ ଅବଦାନକୁ ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ଛନ୍ଦରେ ଉପସ୍ଥାପନ କରିଥିଲେ।

ଜୟଦେବ ଦାସଙ୍କ ରଚିତ ଏହି ନୃତ୍ୟନାଟିକା ପାଇଁ ପଣ୍ଡିତ ନିତ୍ୟାନନ୍ଦ ମିଶ୍ର ଗୀତ ରଚନା କରିଥିଲେ। ଲକ୍ଷ୍ମୀକାନ୍ତ ପାଲିତ୍‌ ସଂଗୀତ ସଂଯୋଜନା କରିଥିବା ବେଳେ ରତିକାନ୍ତ ମହାପାତ୍ର ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଭାପତି ଅରୁଣା ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ସମ୍ମାନିତ ଅତିଥି ଭାବେ ଗୁରୁ ରାମହରି ଦାସ ଯୋଗ ଦେଇଥିଲେ। ଓଡ଼ିଶା ସଂଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ ସ୍ବାଗତ ଭାଷଣ ଦେଇଥିଲେ। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର