ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିକଳ ସ୍ଥିତି: ସ୍ଥାୟୀ କର୍ମଚାରୀ ନାହାନ୍ତି, ମୁଖ୍ୟ ନିର୍ବାହୀ ବି ଭାରପ୍ରାପ୍ତ

ବର୍ଷ ବର୍ଷ ଧରି ପ୍ରକାଶ ପାଉନି ଗବେଷଣା ପୁସ୍ତିକା
ମୁଖ୍ୟ ନିର୍ବାହୀ ନିଯୁକ୍ତି ପାଇଁ ୭ ମାସ ହେଲା ପ୍ରକ୍ରିୟା ଆରମ୍ଭ ହେଉନି

ଭୁବନେଶ୍ୱର : ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଓ ଗବେଷଣା ପାଇଁ ପ୍ରତିଷ୍ଠା ହୋଇଛି ଗୁରୁ କେଳୁଚରଣ ମାହପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର। ଜାଭିୟର୍‌ ଛକ ନିକଟରେ ନିର୍ମିତ ଏହି କେନ୍ଦ୍ରର କୋଠାଟି ବାହାରକୁ ବେଶ୍‌ ଆକର୍ଷଣୀୟ ଲାଗୁଛି। କିନ୍ତୁ ଭିତରେ ସମ୍ପୂର୍ଣ୍ଣ ଫମ୍ପା ହେବାକୁ ଲାଗିଲାଣି। ଏବେ ଜଣେ ବି ସ୍ଥାୟୀ କର୍ମଚାରୀ ସେଠି ନାହାନ୍ତି। ଏପରିକି ମୁଖ୍ୟ ନିର୍ବାହୀ ପଦବି ଜଣେ ଭାରପ୍ରାପ୍ତ ଅଧିକାରୀଙ୍କ ହାତରେ। ବର୍ଷବର୍ଷ ଧରି ପ୍ରକାଶ ପାଇନି ଗବେଷଣା ପୁସ୍ତିକା। ଗୋଟିଏ ପଟେ ସରକାର ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେନ୍ଦ୍ରରେ ଦାବି ଉଠାଉଥିଲା ବେଳେ ଅନ୍ୟ ପଟେ ଏହି ସରକାରୀ ଗବେଷଣା କେନ୍ଦ୍ରଟିର ସ୍ଥିତି ବିଗିଡ଼ିବାରେ ଲାଗିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଏହାର ସଭାପତି ଓ ମୁଖ୍ୟ ଶାସନ ସଚିବ ପରିଚାଳନା କମିଟି ସଦସ୍ୟ ଥିଲା ବେଳେ ଅନୁଷ୍ଠାନର ଏପରି ବିକଳ ସ୍ଥିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାକୁ ନେଇ ରାଜ୍ୟର ସାଂସ୍କୃତିକ ଜଗତରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Careers360

୧୯୮୬ ମସିହାରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶୀ ଗବେଷଣା କେନ୍ଦ୍ର। ପ୍ରତିଷ୍ଠା ହେଲା ପରେ ଏହି କେନ୍ଦ୍ର ନିଜର ଉଦ୍ଦେଶ୍ୟ ସାଧନ ପାଇଁ କାର୍ଯ୍ୟ ଜାରି ରଖିଥିଲା। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ବିଭିନ୍ନ ଦିଗ ସମ୍ପର୍କରେ ଗବେଷଣା ହୋଇ ଦସ୍ତାବିଜ୍‌ ପ୍ରସ୍ତୁତ ହେଉଥିଲା। କିଛି ପୁସ୍ତକ ପ୍ରକାଶ ପାଇଲା, ସିଡି ମଧ୍ୟ ରିଲିଜ୍‌ ହେଲା। ୨୦୦୪ ପରେ କେନ୍ଦ୍ରର ପରିଚାଳନାରେ ଅବ୍ୟବସ୍ଥା ଆରମ୍ଭ ହୋଇଗଲା। ବହୁ ସମୟରେ ସ୍ଥାୟୀ ମୁଖ୍ୟ ନିର୍ବାହୀ ନିଯୁକ୍ତି ହେଲେ ନାହିଁ। ଆଉ ଭାରପ୍ରାପ୍ତ ଅଧିକାରୀଙ୍କ ଅଣଦେଖାର ଶିକାର ହେଲା ଗବେଷଣା କେନ୍ଦ୍ର। ଏବେ କେନ୍ଦ୍ରରେ ନା ଅଛନ୍ତି ସ୍ଥାୟୀ ମୁଖ୍ୟ ନିର୍ବାହୀ ନା ସ୍ଥାୟୀ କର୍ମଚାରୀ। ସଂପୂର୍ଣ୍ଣ ଅଚଳ ହେଲା ପରି ସ୍ଥିତିକୁ ଆସିଲାଣି ପ୍ରଖ୍ୟାତ ଗୁରୁ କେଳୁଚରଣ ମହାପାତ୍ରଙ୍କ ନାମରେ ଉତ୍ସର୍ଗୀକୃତ ଏହି ଗବେଷଣା କେନ୍ଦ୍ର।
ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ପ୍ରସଙ୍ଗରେ ଗତ ବର୍ଷ ଦୁଇ ଦୁଇଥର ସଂସଦରେ ଏ ନେଇ ପ୍ରଶ୍ନ ଉଠିଲା। କୌଣସି ସାଙ୍ଗୀତିକ ଧାରାକୁ ଶାସ୍ତ୍ରୀୟ ମାନ୍ୟତା ଦେବା କେନ୍ଦ୍ର ସରକାରଙ୍କ ପରିସରଭୁକ୍ତ ନୁହେଁ ଓ କୌଣସି ସାଙ୍ଗୀତିକ ଧାରାକୁ ଏଯାଏ ଶାସ୍ତ୍ରୀୟ ମାନ୍ୟତା କେନ୍ଦ୍ର ସରକାର ଦେଇ ନାହାନ୍ତି ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ରୋକ୍‌ଠୋକ୍‌ ଜଣାଇ ଦେଇ‌ଥିଲେ। ଏଥିରୁ ଆଉ କାହାର ବୁଝିବାକୁ ବାକି ରହିଲାନି ଯେ କେବଳ ବ୍ୟାପକ ପ୍ରଚାର ପ୍ରସାରରେ ହିଁ ଲୋକମୁଖରେ ଏହାକୁ ଶାସ୍ତ୍ରୀୟ ମାନ୍ୟତା ମିଳି ପାରିବ। ଏନେଇ ଅଧିକ ଗବେଷଣା ଓ ପ୍ରଚାରପ୍ରସାରର ଆବଶ୍ୟକତା ପଡ଼ିବ। କିନ୍ତୁ ଏ ଦିଗରେ ଓଡ଼ିଶୀ ଗବେଷଣା କେନ୍ଦ୍ର ଯେତିକି ତତ୍ପରତା ପ୍ରକାଶ କରିବା କଥା, କରୁନି। ଏହାର ଏକ ପ୍ରମୁଖ କାରଣ ହେଲା, କେନ୍ଦ୍ରରେ କର୍ମଚାରୀ ଓ ଅଭିଜ୍ଞ ଅଧିକାରୀଙ୍କ ଅଭାବ ବୋଲି କଳାପ୍ରେମୀମାନେ ଅଭିଯୋଗ କରୁଛନ୍ତି।

କେନ୍ଦ୍ରର ପୂର୍ବତନ ମୁଖ୍ୟ ନିର୍ବାହୀ ସଙ୍ଗୀତା ଗୋସାଇଁଙ୍କ କାର୍ଯ୍ୟକାଳ ୨୦୨୧ ଜୁନ୍‌ରେ ଶେଷ ହୋଇଥିଲା ବେଳେ ଆଉ ୬ମାସ ଅର୍ଥାତ ଡିସେମ୍ବର ୩୧ତାରିଖ ଯାଏ ତାଙ୍କ କାର୍ଯ୍ୟକାଳକୁ ବଢ଼ା ଯାଇଥିଲା। କିନ୍ତୁ ଏହି ୬ ମାସରେ ସ୍ଥାୟୀ ମୁଖ୍ୟ ନିର୍ବାହୀ ନିଯୁକ୍ତି ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ନା ବିଜ୍ଞପ୍ତି ପ୍ରକାଶ ପାଇଲା ନା ନିଯୁକ୍ତି ଦିଆଗଲା। ଶେଷରେ ଜାନୁଆରି ମାସରେ ସଂସ୍କୃତି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କୁ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଏହା ମଧ୍ୟରେ ଏକ ମାସ ବିତିଯାଇଥିଲେ ବି ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇପାରୁନି। ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ମଧ୍ୟ ବିଭାଗସ୍ତରରେ ଆଗ୍ରହ ପ୍ରକାଶ ପାଉନାହିଁ। କେନ୍ଦ୍ରର ୱେବ୍‌ସାଇଟ୍‌ରେ ମଧ୍ୟ ମାଳମାଳ ତ୍ରୁଟି ‌ଦେଖିବାକୁ ମିଳୁଛି। ଏବେ ବି ସଙ୍ଗୀତା ଗୋସାଇଁ ମୁଖ୍ୟ ନିର୍ବାହୀ ଅଛନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ସେହିପରି ପରିଚାଳନା ବୋର୍ଡରେ ସଦସ୍ୟ ଭାବେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମିର ସଚିବ ଜୟନ୍ତ କସ୍ତୁରଙ୍କ ନାମ ଲେଖାଯାଇଛି। କିନ୍ତୁ ସେ କେବେଠାରୁ ଦାୟିତ୍ବରୁ ଅବ୍ୟାହତି ନେଇସାରିଲେଣି।

tourmet.com

ଗବେଷଣା କେନ୍ଦ୍ରର ଅବ୍ୟବସ୍ଥା ନେଇ ପୂର୍ବତନ ମୁଖ୍ୟନିର୍ବାହୀ ଅଧିକାରୀ ତଥ‌ା ପ୍ରଖ୍ୟାତ ନୃତ୍ୟଶିଳ୍ପୀ କୁମ୍‌କୁମ୍‌ ମହାନ୍ତିଙ୍କୁ ଯୋଗାଯୋଗ କରିଥିଲୁ। ତାଙ୍କ କହିବା ଅନୁଯାୟୀ, ସେ ଦାୟିତ୍ବରୁ ଅବସର ନେଲା ପରେ ଏଯାଏ ଓଡ଼ିଶୀ ସଙ୍ଗୀତ କିମ୍ବା ନୃତ୍ୟ ଉପରେ କୌଣସି ଗବେଷଣା ପୁସ୍ତିକା ପ୍ରକାଶ ପାଇନାହିଁ। ୧୯୮୬ରୁ ୨୦୦୪ ଯାଏ ସେ କେନ୍ଦ୍ରର ମୁଖ୍ୟନିର୍ବାହୀ କାର୍ଯ୍ୟ ତୁଲାଇଥିଲେ। ଏହି ସମୟ କାଳରେ ଓଡ଼ିଶୀ ସଙ୍ଗୀତର ରାଗ ଉପରେ ୧୧୨ଟି ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ଏହି ସମୟରେ ଓଡ଼ିଶୀ ସଙ୍ଗୀତ ଉପରେ ଗବେଷଣା ପୁସ୍ତକ ‘ରାଗ ସରଣୀ’ ୨ଟା ଓ ‘ନୃତ୍ୟ ସରଣୀ’ ୨ଟା ପ୍ରକ‌ାଶ ପାଇଥିଲା। ଏଥିସହ ‘ଛାନ୍ଦ ଚମ୍ପୁ’, ହସ୍ତମୁଦ୍ରାର ବିନିଯୋଗ ସମ୍ପର୍କରେ ଯଦୁନାଥ ସିଂହଙ୍କର ଅଭିନୟ ଦର୍ପଣ ପ୍ରକାଶ ଉପରେ ସିଡି ପ୍ରକାଶ କରାଯାଇଥିଲା। ଏଥିସହ ଓଡ଼ିଶୀ ସଙ୍ଗୀତ ଶୈଳୀକୁ ସଂରକ୍ଷିତ କରିବା ପାଇଁ ଓଡ଼ିଶାର ବହୁ ବିଶିଷ୍ଟ ସଙ୍ଗୀତଜ୍ଞଙ୍କ ରାଗ ଉପରେ ଓଡ଼ିଶୀ ସଙ୍ଗୀତ ରେକର୍ଡିଂ ହୋଇଥିଲା। କିନ୍ତୁ ଏବେ ଆଉ କିଛି ନୂଆ ଗବେଷଣା ଓ ତଥ୍ୟ ଉପରେ ପୁସ୍ତକ ବା ରେକର୍ଡିଂ ପ୍ରକାଶ ପାଉନି। ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ସହ ଜଡ଼ିତ ଓ ସମର୍ପିତ ଲୋକମାନେ ଏହାର ଦାୟିତ୍ବରେ ରହିଲେ ଗବେଷଣା କାମ ତ୍ବରାନ୍ବିତ ହୋଇପାରନ୍ତା। ଏଥି ସହ ରାଜ୍ୟ ସରକାରଙ୍କର ସ୍ବତନ୍ତ୍ର ଦୃଷ୍ଟି ରହିବା କଥା ବୋଲି ଶ୍ରୀମତୀ ମହାନ୍ତି କହିଛନ୍ତି।

ନିକଟରେ ମୁଖ୍ୟ ନିର୍ବାହୀ ପଦରୁ ଅବସର ନେଇଥିବା‌ ସଙ୍ଗୀତା ଗୋସାଇଁ କହିଛନ୍ତି, ଓଡ଼ିଶୀ ଗବେଷଣା କେନ୍ଦ୍ର ଏହା ଭିତରେ ବହୁତ ଉନ୍ନତି କରିଛି। ୨୦୧୬ ମସିହାରୁ ମୁଁ ସଂସ୍କୃତି ବିଶ୍ବବିଦ୍ୟାଳୟରେ ଥିଲା ବେଳେ କେନ୍ଦ୍ରର ଅତିରିକ୍ତ ଦାୟିତ୍ବରେ ରହିଥିଲି। ଏହା ଭିତରେ ଏକ ‘ଓଡ଼ିଶୀ ସଂଗ୍ରହାଳୟ’ କାର୍ଯ୍ୟ ଆରମ୍ଭ ହୋଇଛି। କେନ୍ଦ୍ର ଭିତରେ ପ୍ରେକ୍ଷାଳୟ ନଥିଲା, ପାଚେରି ନ ଥିଲା। ଏସବୁ କାର୍ଯ୍ୟ ତ୍ବରାନ୍ବିତ କରିବା ସହ ସଫଳ ମଧ୍ୟ ହୋଇଛୁ। କେନ୍ଦ୍ର ଅଭିଲେଖାଗାରରେ ଥିବା ସମସ୍ତ ଭିଏଲ୍‌ଏଚ୍‌ଏସ୍‌ର ଡିଜିଟାଇଜେସନ୍‌ ଚାଲିଛି। ଏଥିସହ ଏହି ଅବଧି ମଧ୍ୟରେ ବହୁ ଗବେଷଣା କାର୍ଯ୍ୟ ସମ୍ପାଦିତ ହୋଇଛି। ୩ଟି ବହି ଛପା ହୋଇ ପ୍ରେସ୍‌ରେ ରହିଛି। ଓଡ଼ିଶୀ ସଙ୍ଗୀତ ପାଇଁ ‘ଓଡ଼ିଶୀ ମ୍ୟୁଜିକାଲ୍‌ ମନୋଗ୍ରାଫ୍‌’ ଓ ‘ରାଗ ସରଣୀ’ର ପ୍ରଥମ ଭାଗର ହିନ୍ଦୀ ଅନୁଦିତ ପୁସ୍ତକ ଏବଂ ନୃତ୍ୟ ପାଇଁ ଗୁରୁ କେଳୁଚରଣ ମହାପାତ୍ରଙ୍କ ଅସଲ ନୃତ୍ୟଶୈଳୀକୁ ଆଧାର କରି ତାଙ୍କ ସଂଯୋଜିତ ଓଡ଼ିଶୀ ନୃତ୍ୟାଭିନୟର ସବିଶେଷ ବିବରଣୀକୁ ନେଇ ପୁସ୍ତକଟିଏ ପ୍ରକାଶ ପାଇଛି। ଏହି ୩ ପୁସ୍ତକ ଛପା ସରିଛି ବୋଲି ଶ୍ରୀମତୀ ଗୋସାଇଁ କହିଛନ୍ତି।

ସମ୍ବନ୍ଧିତ ଖବର