ଖୋଲିବ ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟ : ଲାଗିଲା ୧୦ବର୍ଷ, ଖର୍ଚ ହୋଇଛି ୭କୋଟି ୪୬ଲକ୍ଷ

ଭୁବନେଶ୍ୱର : ଭୁବନେଶ୍ୱରର ପ୍ରେକ୍ଷାଳୟ ଫର୍ଦରେ ଯୋଡ଼ି ହେବ ଆଉ ଏକ ଅଧ୍ୟାୟ। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ କାର୍ଯ୍ୟକ୍ଷମ ହେବ ଦୀର୍ଘ ୧୦ ବର୍ଷର ପ୍ରତୀକ୍ଷିତ ପ୍ରକଳ୍ପ। ୨ ଶହ ସିଟ୍‌ ବିଶିଷ୍ଟ ଏହି ପ୍ରେକ୍ଷାଳୟ ଆମ୍ପି ଥିଏଟର୍‌ ଶୈଳୀରେ ନିର୍ମିତ ହୋଇଛି। ଆସନ୍ତା ୨୮ ତାରିଖରେ ଏହି ମିନି ଅଡିଟୋରିୟମ୍‌ ଲୋକାର୍ପିତ ହେବାର ଥିଲେ ହେଁ ଏନେଇ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା ରହିଛି। ଆପାତତଃ ଚଳିତ ମାସ ଶେଷ ସପ୍ତାହରୁ ଏହି ଅଡିଟୋରିୟମ୍‌ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି।

ସୂର୍ଯ୍ୟନାରାୟଣ ପାତ୍ର ସଂସ୍କୃତି ମନ୍ତ୍ରୀ ଥିବା ସମୟରେ ୨୦୦୮ରେ ଏହି ରଙ୍ଗମଞ୍ଚ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଇଡ୍‌କୋକୁ ଏହାର ନିର୍ମାଣ କାର୍ଯ୍ୟ ଦିଆଯାଇଥିବା ବେଳେ ମୋଟ୍‌ ୭କୋଟି ୪୬ଲକ୍ଷ ଟଙ୍କା ବ୍ୟୟରେ ରଙ୍ଗମଞ୍ଚ ନିର୍ମିତ ହୋଇଛି। ବିଲ୍‌ଡିଂ ନିର୍ମାଣ ପାଇଁ ୩କୋଟି ୯୨ ଲକ୍ଷ ଟଙ୍କା ଏବଂ ବିଦ୍ୟୁତ୍‌, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ଶବ୍ଦ, ଆଲୁଅ ଓ ଅନ୍ୟ ଆନୁସଙ୍ଗିକ ଥିଏଟର୍‌ ଅନୁକୂଳ ଭିତ୍ତିଭୂମି (ସଭିଲ୍‌ କାମ) ପାଇଁ ୩କୋଟି ୫୪ ଲକ୍ଷ ଟଙ୍କା ଖର୍ଚ ହୋଇଛି। ଥିଏଟର୍‌ ଅନୁକୂଳ ସମସ୍ତ ଭିତ୍ତିଭୂମି ଥିବାରୁ ଏଠାରେ ନୃତ୍ୟ ଗୀତ ସମେତ ନାଟକ ମଧ୍ୟ ମଞ୍ଚସ୍ଥ ହୋଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଅରୁଣା ମହାନ୍ତି, ରତିକାନ୍ତ ମହାପାତ୍ର, ବିଶିଷ୍ଟ କଣ୍ଠଶିଳ୍ପୀ ରାମହରି ଦାସ ଏବଂ ନାଟ୍ୟ ନିର୍ଦେଶକ ଧୀରେନ୍ଦ୍ରନାଥ ମଲ୍ଲିକଙ୍କୁ ନେଇ ଗଠିତ ଏକ୍ସପର୍ଟ କମିଟିର ପରାମର୍ଶ ମୁତାବକ ଏହି ଥିଏଟର୍‌ରେ ଅନୁକୂଳ ଆଲୁଅ ଓ ଶବ୍ଦ ବ୍ୟବସ୍ଥା କରାଯାଇଛି। ଏହି ପରିସର ମଧ୍ୟରେ ଗ୍ରିନ୍‌ ରୁମ୍‌, କାଫେଟେରିଆ, ଭିଆଇପି ଲଞ୍ଜ୍‌ର ବ୍ୟବସ୍ଥା ହୋଇଛି ବୋଲି ଗବେଷଣା କେନ୍ଦ୍ରର ମୁଖ୍ୟ ନିର୍ବାହୀ ଡ.ସଂଗୀତା ଗୋସାଇଁ କହିଛନ୍ତି। ତେବେ ଗବେଷଣା କେନ୍ଦ୍ର ପରିସରର ଏକ ବୃହତ୍‌ ଅଂଶ ବସ୍ତିବାସିନ୍ଦାଙ୍କ ଦ୍ୱାରା ଅବରୋଧ ହୋଇଥିବାରୁ ପାର୍କିଂ ସମସ୍ୟା ଉପୁଜିପାରେ। ଏହି ମଞ୍ଚରେ କେବଳ ନାଚଗୀତ କି ନାଟକ ନୁହେଁ ବିଭିନ୍ନ ତାଲିମ ଶିବିର, ଆଲୋଚନାଚକ୍ର, ସଭା ସମିତି ଓ ରିଅଲିଟି ସୋର ଅଡିସନ୍‌ ଆଦି କାର୍ଯ୍ୟକ୍ରମ ପାଇଁ ମଧ୍ୟ ଅନୁକୂଳ ବ୍ୟବସ୍ଥା ରହିଛି। ଏହାକୁ ଭଡ଼ାରେ ଦେବା ପାଇଁ ବ୍ୟବସ୍ଥା ହୋଇଛି। ଦର ମୋଟାମୋଟି ଭାବେ ସ୍ଥିର ହୋଇ ନଥିଲେ ହେଁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆପାତତଃ ଦିନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୨ହଜାର ଟଙ୍କା, ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ୮ହଜାର ଟଙ୍କା ଏବଂ ପୂର୍ବାହ୍ନ ୧୦ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୧୫ହଜାର ଟଙ୍କା ଦର କରିବାକୁ ବ୍ୟବସ୍ଥା କରାଯାଉଛି। କର୍ପୋରେଟ୍‌ ପ୍ରୋଗ୍ରାମ ପାଇଁ ୨୫ହଜାର ଟଙ୍କା ନିର୍ଧାରଣ କରାଯାଇଛି। ଏହି ରଙ୍ଗମଞ୍ଚ ସ୍ଥାପନ ହେଲେ ଗବେଷଣା କେନ୍ଦ୍ରର ଆୟ ବୃଦ୍ଧି ପାଇବା ସହ କେନ୍ଦ୍ର ପକ୍ଷରୁ ଏଠାରେ ନିୟମିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ। ଏହି ରଙ୍ଗମଞ୍ଚର ନାମକରଣ ହୋଇ ନଥିଲେ ହେଁ ଓଡ଼ିଶୀ ସଂଗୀତ ଜଗତର ଜଣେ ଗୁରୁଙ୍କ ନାମରେ ରଖାଯିବ ବୋଲି ସୂଚନା ମିଳୁଛି।

ସମ୍ବନ୍ଧିତ ଖବର