ଜାତୀୟତା ଗୋଟେ ଚେତନା, ଜାତୀୟ ଗୋଟିଏ ପରିଚୟ: ଦେବୀପ୍ରସନ୍ନ

ଜାତୀୟତାକୁ ବଞ୍ଚାଇବାକୁ ଭାବର ଏକତା ଆଣିବା ଜରୁରି: ସୌମ୍ୟ

ଭୁବନେଶ୍ବର : ‘ଜାତୀୟତା’ ଗୋଟେ ଚେତନା, ‘ଜାତୀୟ’ ଗୋଟିଏ ପରିଚୟ। ଜାତିରୁ ଜାତୀୟତା ଯାଏଁ ଦୁର୍ଗମ ପଥକୁ ଲେଖିକା ଅତି ଚମତ୍କାର ଭାବେ ଅତିକ୍ରମ କରିଛନ୍ତି। ଜଣେ ପଣ୍ଡିତ କହିଥି‌ଲେ କିଛି ଶିଖିବାକୁ ହେଲେ ପୃଥିବୀକୁ ଦେଖ। ପୃଥିବୀ ଆମର ଜନନୀ। ଆମେ ସମସ୍ତେ ତା’ର ସନ୍ତାନ। ମଣିଷ ସମାଜର ପରିଚୟ ଥିଲା, ମାନବିକତା। ପରିପୂରକତା ଓ ପାରସ୍ପରିକତାରେ ପରିପୁଷ୍ଟ ବ୍ୟବସ୍ଥାର ସଂକୀର୍ଣ୍ଣ ରୂପ ହେଉଛି ଜାତୀୟତା। ଜାତି, ଧର୍ମ, ଗୋଷ୍ଠୀ, ଅଞ୍ଚଳ, କାଳରେ ଏହାର ପରିବ୍ୟାପ୍ତୀ। ବିଶ୍ବ ନାଗରିକତା, ଭାରତ ଜାତୀୟତା, ଓଡ଼ିଆ ଜାତୀୟତା ସବୁ ପରିପୂରକ। ଉତ୍କଳ ରଙ୍ଗମଞ୍ଚରେ ‘କେତକୀ ଫାଉଣ୍ଡେସନ୍‌ ଟ୍ରଷ୍ଟ୍‌’ ପକ୍ଷରୁ ଆୟୋଜିତ ଐତିହାସିକ ନିବେଦିତା ମହାନ୍ତିଙ୍କ ଲିଖିତ ଇଂରାଜୀ ପୁସ୍ତକ ‘ଓରିୟା ନ୍ୟାସିନାଲ୍‌ଜିମ୍‌: କ୍ବେଷ୍ଟ୍‌ ଫର୍‌ ଏ ୟୁନାଇଟେଡ ଓଡ଼ିଶା’ର ସୁଭାଷ ଶତପଥୀଙ୍କ ଦ୍ବାରା ଓଡ଼ିଆ ଅନୂଦିତ ପୁସ୍ତକ ‘ଓଡ଼ିଆ ଜାତୀୟତା: ଏକ ପୂର୍ଣ୍ଣାଙ୍ଗ ଓ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନର ପ୍ରୟାସ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ ଏହା କହିଛନ୍ତି।

‘ଓଡ଼ିଆ ଜାତୀୟତା: ଏକ ପୂର୍ଣ୍ଣାଙ୍ଗ ଓ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନର ପ୍ରୟାସ’ ଉନ୍ମୋଚିତ

ଏଥିରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ସଭାପତିତ୍ବ କରି କହିଲେ, ବର୍ତ୍ତମାନ ସମୟରେ ସମକାଳୀନ ଇତିହାସ ସମୃଦ୍ଧ ନୁହେଁ। ଏଥିପାଇଁ ସାହିତ୍ୟିକ, ରାଜନେତା ଓ ଐତିହାସିକମାନେ ଅନେକାଂଶରେ ଦାୟୀ। ସମକାଳୀନ ଇତିହାସକୁ ଯେପରି ଢଙ୍ଗରେ ଉତ୍ତର ପିଢ଼ି ପାଖରେ ପହଞ୍ଚାଇବା କଥା ତାହା ଆମେ କରିପାରିନାହୁଁ। ହଜାରେ ବର୍ଷ ଭାଷା ଅତି ହୀନିମାନିଆ ହୋଇଛି। ଏହି ପୁସ୍ତକଟି ଆମକୁ ଜାତୀୟ ଆନ୍ଦୋଳନ ବିଷୟରେ ସଚେତନ କରାଉଛି। ପୂର୍ଣ୍ଣାଙ୍ଗ ଉତ୍କଳ ଗଠନ କରିଥିବା ବ୍ୟକ୍ତିବିଶେଷଙ୍କୁ ଆମ ସହ ପୁସ୍ତକ ମାଧ୍ୟମରେ ପରିଚିତ କରାଇ ପାରିଛନ୍ତି। ହେଲେ ଜାତୀୟତା ଆଜି ଏକ ଦ୍ବନ୍ଦ୍ବାତ୍ମକ ପରିସ୍ଥିତି ଦେଇ ଗତି କରୁଛି। ଜାତୀୟତାକୁ ଆମେ ଭାଷା, ଭୂଗୋଳ ଓ ଭାବ ଦୃଷ୍ଟିରେ ଦେଖି ଏହି ତିନିଟି ‘ଭ’ ସମ୍ପର୍କରେ ସଚେତନ ହୋଇପାରିଲେ, ଆମେ ଜାତୀୟତାର ଆଜିର ଦ୍ବନ୍ଦ୍ବ ସମ୍ପର୍କରେ କିଛି ପରିମାଣରେ ସଚେତନ ହୋଇପାରିବା। ଭାଷା ଓ ଭୂଗୋଳ ବିଷୟରେ ବହୁ ବର୍ଣ୍ଣନା ଅଛି। ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଏକତ୍ରିତ କରିବା ପାଇଁ ପୂର୍ବରୁ ଅନେକ ଲୋକ ଉଦ୍ୟମ କରିଛନ୍ତି। ହେଲେ ଷଢ଼େଇକଳା, ଖରସୁଆଁ ଆଦି ବିଚ୍ଛିନ୍ନାଞ୍ଚଳକୁ ଆମେ ଯୋଡ଼ିବାରେ ବିଫଳ ହୋଇଛୁ। ଏବେ କୋଟିଆ ଆମ ହାତରୁ ଛାଡ଼ି ଛାଡ଼ି ଯାଉଥିଲେ ମଧ୍ୟ ଏହାକୁ ସୁରକ୍ଷା ଦେବା କ୍ଷେତ୍ରରେ ଆମର ଆଶାନୁରୂପ ଉଦ୍ୟମ ନାହିଁ। ‌ତେଣୁ ଭାଷା ଓ ଭୂଗୋଳ ତ ବିକ୍ଷିପ୍ତ ହୋଇଗଲାଣି। ଏବେ ଓଡ଼ିଆ ଭାବନାକୁ ଗୁରୁତ୍ବ ଦେଇ ଆମେ ଏକ ପୂର୍ଣ୍ଣାଙ୍ଗ ଜାତୀୟତା ସୃଷ୍ଟି କରିବାର ଆବଶ୍ୟକତା ରହିଛି। ଉତ୍କଳର ଜାତୀୟତାକୁ ବଞ୍ଚାଇବାକୁ ଭାବର ଏକତା ଆଣିବା ଜରୁରି ବୋଲି ସେ କହିଥିଲେ।

ଏହି ଅବସରରେ ଲେଖିକା ଡ. ମହାନ୍ତି ନିଜ ଲେଖକୀୟ ବକ୍ତବ୍ୟରେ କହିଥିଲେ ଯେ ଏହି ବହିର ଇଂରାଜୀ ସଂସ୍କରଣଟି ଲେଖିବା ପାଇଁ ମୋତେ ବହୁତ ‌ପ୍ରଦେଶ ବୁଲି ଗବେଷଣା କରିବାକୁ ପଡ଼ିଥିଲା। ଏଥିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ଗଠନ ଓ ଏଥିରେ ପୂର୍ବସୂରୀମାନଙ୍କ ଅବଦାନ ବିଷୟରେ ବିସ୍ତୃତ ଭାବେ ଜାଣିବାର ସୁଯୋଗ ମିଳିଥିଲା। ଭାଷା ଆନ୍ଦୋଳନକୁ ଭିତ୍ତିକରି ଗଢ଼ି ଉଠିଥିବା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରୟାସ ଥିଲା ଉଦାରବାଦ। ମଧୁସୂଦନ ଦାସଙ୍କ ମତରେ ଓଡ଼ିଶାରେ ଜନ୍ମ ହୋଇଥିବା ଲୋକଟି କେବଳ ଓଡ଼ିଆ ନୁ‌ହେଁ, ଓଡ଼ିଶା ପ୍ରତି ଭଲପାଇବା ଥିବା ପ୍ରତିଟି ଲୋକ ଓଡ଼ିଆ। ଏହି ପୁସ୍ତକକୁ ସମୀକ୍ଷା କରି ପ୍ରାବନ୍ଧିକ ତଥା ଶିକ୍ଷାବିତ୍‌ ଅଭିରାମ ବିଶ୍ବାଳ କହିଲେ ଯେ ଭାରତବର୍ଷରେ ପ୍ରଥମକରି ଭାଷା ଭିତ୍ତିରେ ୧୯୩୬ ମସିହାରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଓଡ଼ିଆ ଭାଷାର ବିଶେଷତ୍ବ ହେଲା, ଏହାର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ ଓ ସର୍ବଗ୍ରାହୀ ସ୍ବଭାବ। ଯେଉଁଥିରେ ବିଭିନ୍ନ ଜାତି, ଶ୍ରେଣୀ, ଅଞ୍ଚଳ, ଧର୍ମ ଓ ବିଶ୍ବାସର ଲୋକେ ଲେଖନୀ ଚାଳନା କରିଥିଲେ। ସେମାନଙ୍କ ଭିତରେ ଫକୀରମୋହନଙ୍କ ଠାରୁ ଆରମ୍ଭ କରି କୁନ୍ତଳା କୁମାରୀ ସାବତଙ୍କ ପର୍ଯ୍ୟନ୍ତ ଲେଖିକା ଆଧୁନିକ ସାମାଜିକ ବିଜ୍ଞାନର ପଦ୍ଧତି ଓ ବି‌ଶ୍ଲେଷଣ ‌ଶୈଳୀ ଅବଲମ୍ବନ କରିଛନ୍ତି। ଯାହା ଫଳରେ ଉତ୍କଳୀୟ ଜାତୀୟତା ଓ ମହାଭାବୀୟ ଜାତୀୟତାବାଦ ଭିତରେ ସମ୍ପର୍କ ପରିପୂରକ ହୋଇପାରିଛି।

ପୁସ୍ତକର ଅନୁବାଦକ ତଥା ବରିଷ୍ଠ ସାମ୍ବାଦିକ ସୁଭାଷ ଶତପଥୀ ନିଜର ଅନୁବାଦ ସମୟର ଅନୁଭୂତି ବର୍ଣ୍ଣନା କରିଥିଲେ।

କାର୍ଯ୍ୟକ୍ରମରେ କବି ରବୀନ୍ଦ୍ର ସ୍ବାଇଁ ସଂଯୋଜନା କରିଥିବାବେଳେ ବିଶିଷ୍ଟ ଚିତ୍ରଶିଳ୍ପୀ ରାମହରି ଜେନା ଧନ୍ୟବାଦ ଦେଇଥିଲେ। ଅନୁଷ୍ଠାନ ପକ୍ଷରୁ ପ୍ରକାଶକ ଜ୍ୟୋତିରଂଜନ ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର