ଭୁବନେଶ୍ବର: ଭୁବନେଶ୍ବର ଭେଟେରାନ୍ ଫୁଟ୍ବଲ୍ ଖେଳାଳି ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଭୁବନେଶ୍ବର ଫୁଟ୍ବଲ୍ ଏକାଡେମୀଠାରେ ଚାଲିଥିବା ୟୁନିଲାଇଟ୍ କପ୍ ଅନ୍ତଃସ୍କୁଲ୍ ଫୁଟ୍ବଲ୍ ପ୍ରତିଯୋଗିତାର ଦ୍ବିତୀୟ କ୍ବାର୍ଟର୍ଫାଇନାଲ୍ରେ ଗଣ୍ଡରପୁରର ଅରବିନ୍ଦ ହାଇସ୍କୁଲ୍କୁ ୫-୪ (୧-୧) ଟାଇବ୍ରେକର୍ରେ ପରାସ୍ତ କରି ଓଡିଏମ୍ ଗ୍ଲୋବାଲ୍ ସ୍କୁଲ୍ ଦ୍ବିତୀୟ ଦଳ ଭାବେ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛି।
ନିର୍ଦ୍ଧାରିତ ସମୟ ମଧ୍ୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବରାବର ସ୍ଥିତିରେ ରହିବାରୁ ଟାଇବ୍ରେକର୍ରେ ବିଜେତା ବଛା ଯାଇଥିଲା। ପ୍ରଥମାର୍ଦ୍ଧରେ ଅରବିନ୍ଦ ହାଇସ୍କୁଲ୍ର ଓମ୍ ସାଇ ସତ୍ୟଜିତ ଦଳେଇ ପ୍ରଥମ ଗୋଲ୍ଟି ଦେବା ପରେ ଦ୍ବିତୀୟାର୍ଦ୍ଧରେ ଓଡିଏମ୍ ଗ୍ଲୋବାଲ୍ର ଆୟୁଷ ଗୋଗେ ଏହାକୁ ଶୁଝି ଦେଇଥିଲେ। ଅରବିନ୍ଦ ହାଇସ୍କୁଲ୍ର ଗୋଲ୍ରକ୍ଷକ ସତ୍ୟଜିତ ପଢ଼ିହାରୀଙ୍କୁ ଅତିଥି ରାଜକମଳ ମଣ୍ଡଳ ଓ ଅରୁଣ କୁମାର ବଳିୟାରସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ। ସଭାପତି ନବରଞ୍ଜନ ପଟ୍ଟନାୟକ ଓ ଅଶୋକ ପଟ୍ଟନାୟକ ଉପସ୍ଥିତ ଥିଲେ। ଖେଳ ପରିଚାଳନା କରିଥିଲେ ରାଜୁ ମହାନ୍ତ, ସରୋଜ ମହାରଣା, ଶେଖାୱତ୍ ଖାନ୍ ଓ ଅମିତ ନାୟକ। ମ୍ୟାଚ୍ କମିସନର ଥିଲେ ଟି ମୋହନ ରାଓ।