ଭୁବନେଶ୍ୱର: ଦୁଇ ଦିନ ଧରି ଚାଲିଥିବା ଓଡିଏମ୍ ପବ୍ଲିକ୍ ସ୍କୁଲର ୩୦ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍ଯାପିତ ହୋଇଛି। ସ୍ଥାନୀୟ ରେଳବାଇ ଷ୍ଟାଡିୟମ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କିସ୍ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଯୋଗଦେଇ କହିଲେ, ଶିକ୍ଷା କେବଳ ପ୍ରମାଣପତ୍ର ପାଇଁ ନୁହେଁ, ବରଂ ଅନ୍ତର୍ନିହିତ ଗୁଣର ବିକାଶର ଅନ୍ୟନାମ। ସେହିଭଳି କ୍ରୀଡ଼ା କେବଳ ଶାରୀରିକ ଉନ୍ନତି ନୁହେଁ, ବରଂ ମାନସିକ ବିକାଶ ପାଇଁ ଏହା ଜରୁରୀ। ଶିକ୍ଷା ସହ ଏହା ସମାନ୍ତରାଳ ଭାବରେ ଚାଲୁଥିବାରୁ ପ୍ରତ୍ୟେକ ବିଦ୍ୟାର୍ଥୀ ଏଥିରେ ସାମିଲ ହେବା ବାଞ୍ଛନୀୟ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟର ପଟ୍ଟନାୟକ ଯୋଗଦେଇ କହିଲେ, ପରିଶ୍ରମ ହିଁ ସଫଳତା ଆଣେ; ତାହା ଖେଳ ହେଉ କି ପାଠ। ଏଣୁ କଠିନ ପରିଶ୍ରମ କଲେ ସମସ୍ତ କ୍ଷେତ୍ରରେ ବିଜୟ ସମ୍ଭବ ବୋଲି ସେ କହିଥିଲେ। ଅନ୍ତର୍ଜାତୀୟ ଅଲିମ୍ପିକ୍ ଖେଳାଳି ଅନୁରାଧା ବିଶ୍ବାଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କହିଲେ, ଜଣେ ଶିଶୁକୁ ଗଢ଼ି ତୋଳିବାରେ ମୁଖ୍ୟ ଭୂମିକା ଅଭିଭାବକଙ୍କର। ଏଣୁ ଅଭିଭାବକମାନେ ଶିଶୁର ଅନ୍ତର୍ନିହିତ ଗୁଣକୁ ଚିହ୍ନି ତାକୁ ସେହି ଦିଗରେ ଆଗେଇ ନେଲେ ସେ ବି ଜଣେ ଉଜ୍ଜ୍ବଳ ତାରକା ହୋଇ ଝଲସିବ। ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ ଅଧ୍ୟକ୍ଷତା କରି କହିଲେ, କ୍ରୀଡ଼ା ଶିଶୁର ମାନସିକ ଉନ୍ନତି ଆଣିଥାଏ। ଏଥିପାଇଁ ଶିଶୁଠାରୁ ଆରମ୍ଭ କରି ଅଭିଭାବକ ଓ ଅନୁଷ୍ଠାନ ପର୍ଯ୍ୟନ୍ତ ପ୍ରଯତ୍ନ ଜରୁରୀ। ବିଦ୍ୟାଳୟର ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ୪ଟି ହାଉସ୍ ଦ୍ବାରା ଆୟୋଜିତ ପରେଡ୍ରେ ଅତିଥି ଅଭିବାଦନ ଗ୍ରହଣ କରିଥିଲେ। ଅରେଞ୍ଜ ହାଉସ୍ ବିଜେତା ହୋଇଥିବା ବେଳେ ଶାନ୍ତି ହାଉସ୍ ଉପବିଜେତା ହୋଇଥିଲା। ଝିନ୍କୁ ଦତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।
ଓଡିଏମ୍ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡ଼ା ଉଦ୍ଯାପିତ
/sambad/media/post_attachments/wp-content/uploads/2018/12/Untitled-9-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)