ଓଡିଏମ୍‌ ଶିକ୍ଷକଙ୍କୁ ଗ୍ଲୋବାଲ ଟିଚର୍ସ ଆଓ୍ଵାର୍ଡ

ଭୁବନେଶ୍ୱରୀ: ‘ଆଲର୍ଟ ନଲେଜ୍‌ ସର୍ଭିସେସ୍‌’ ନୂଆଦିଲ୍ଲୀ ପକ୍ଷରୁ ଗତ ୧୬ ତାରିଖ (ରବିବାର) ଗ୍ଲୋବାଲ ଟିଚର୍ସ ଆଓ୍ଵାର୍ଡ-୨୦୧୮ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକସ୍ତରରେ ଶିକ୍ଷା କ୍ଷେତ୍ରରେ ବଳିଷ୍ଠ ଭୂମିକା ଏବଂ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଗଠନରେ ବିଶେଷ ଅବଦାନ ପାଇଁ ଏଥିରେ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଏହି ଉତ୍ସବରେ ତୁର୍କୀ, ଇଂଲଣ୍ଡ, ଦୁବାଇ, ୟୁନାଇଟେଡ୍‌ ଆରବ ଏମିରେଟ୍‌ସ ପ୍ରଭୃତି ଦେଶରୁ ୫୦୦ ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଅଧ୍ୟକ୍ଷ ସମ୍ବର୍ଧିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ପଟିଆସ୍ଥିତ ଓଡିଏମ୍‌ ପବ୍ଲିକ୍‌ ସ୍କୁଲର ଯୁକ୍ତ ଦୁଇ ବାଣିଜ୍ୟ ବିାଭଗର ଅଧ୍ୟାପକ ବିଶ୍ୱଜିତ୍‌ ବ୍ରହ୍ମା, ବିଜ୍ଞାନ ବିଭାଗର ଅଧ୍ୟାପକ ଡ. ବିକ୍ରମ କେଶରୀ ନାୟକ, ସଂଯୋଜିକା ସଂଧ୍ୟାରାଣୀ ସ୍ୱାଇଁ, ଡ. ସୁମିତା ବିଶ୍ୱାସ, ସୁଲତାରାଣୀ ଶାହା ଏବଂ ଶିକ୍ଷୟିତ୍ରୀ ବିଶ୍ୱବନିତା ସାମଲ ପ୍ରମୁଖଙ୍କୁ ‘ଗ୍ଲୋବାଲ ଟିଚର୍ସ ଆଓ୍ଵାର୍ଡ’ରେ ସମ୍ବର୍ଧିତ କରାଯାଇଥିଲା। ଆନ୍ତର୍ଜାତିକସ୍ତରରେ ଗୁଣାତ୍ମକ ଏବଂ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ସମ୍ବର୍ଧିତ ହୋଇଥିବାରୁ ସେମାନଙ୍କୁ ବିଦ୍ୟାଳୟ ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ. ସତ୍ୟବ୍ରତ ମୀନକେତନ, ନିର୍ଦେଶିକା ଇନ୍ଦୁମତୀ ରାୟ, ମୁଖ୍ୟ ପରାମର୍ଶଦାତା ବ୍ରହ୍ମାନନ୍ଦ ରାଉତ, ଉପାଧ୍ୟକ୍ଷ ରାଜେଶ କୁମାର ପାଢ଼ୀ, ଉପାଧ୍ୟକ୍ଷା ଝିନୁକ୍‌ଦତ୍ତା ରାୟ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର