ଚଳଚଞ୍ଚଳ ହେବ ଓଡ଼ିଶୀ ଗବେଷଣା ‌କେନ୍ଦ୍ର

ଭୁବନେଶ୍ୱର: ଦୀର୍ଘ ଦିନ ଧରି ଦୁଃସ୍ଥିତିରେ ରହିବା ପରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର କାୟା ବଦଳିବାକୁ ଯାଉଛି। ଖୁବ୍‌ଶୀଘ୍ର ଚଳଚଞ୍ଚଳ ହୋଇଉଠିବ ଏହି କେନ୍ଦ୍ର। ଏହି ଗବେଷଣା କେନ୍ଦ୍ରର ବହୁ ଦିନର ସମସ୍ୟା ଯେପରିକି, ସ୍ଥାୟୀ କର୍ମଚାରୀଙ୍କ ଅଭାବ, ନିଷ୍କ୍ରିୟ ୱେବ୍‌ସାଇଟ୍‌, ବ୍ୟାଖ୍ୟାନ କେନ୍ଦ୍ର ଓ ଅଭିଲେଖାଗାର ଆଦିର ନବକଳେବର ହେବ। ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କେବଳ ଅର୍ଥ ବିଭାଗର ବଜେଟ ମଞ୍ଜୁରିକୁ ଅପେକ୍ଷା। ଏଥିସହ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଓଡ଼ିଶୀ ଗବେଷଣା କେନ୍ଦ୍ର ମିଳିତ ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଆସର ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହେବାକୁ ଯାଉଛି।

କେନ୍ଦ୍ରର ଭାରପ୍ରାପ୍ତ ମୁଖ୍ୟନିର୍ବାହୀ ସୁବୋଧ ଆଚାର୍ଯ୍ୟ କହିଛନ୍ତି ଯେ ଅଗଷ୍ଟ ଓ ସେପ୍ଟେମ୍ବରରେ ଚେନ୍ନାଇ ଓ ବେଙ୍ଗାଲୁରୁରେ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ଆସର ହେବ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ମିଳିତ ଭାବେ ଓଡ଼ିଶୀ ସଙ୍ଗୀତ, ନୃତ୍ୟର ପରିବେଷଣ ସହ ଆସର ଜମିବ। ଏଥିସହ ନାଟକ ମଧ୍ୟ ପରିବେଷିତ ହେବ। ଚେନ୍ନାଇ ଓ ବେଙ୍ଗାଲୁରୁରେ ପ୍ରେକ୍ଷାଳୟର ଉପଲବ୍ଧତାକୁ ଦେଖି ତାରିଖ ଧାର୍ଯ୍ୟ କରାଯିବ। ଅଗଷ୍ଟ ତୃତୀୟ ସପ୍ତାହରେ ଚେନ୍ନାଇ ଓ ସେପ୍ଟେମ୍ବର ଦ୍ବିତୀୟ କିମ୍ବା ତୃତୀୟ ସପ୍ତାହରେ ବେଙ୍ଗାଲୁରୁରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଲକ୍ଷ୍ୟ ରଖାଯାଇଛି।

ଜାଭିୟର୍‌ ଛକ ନିକଟରେ ନିର୍ମିତ ଏହି କେନ୍ଦ୍ରର କୋଠାଟି ବାହାରକୁ ବେଶ୍‌ ଆକର୍ଷଣୀୟ ହୋଇଥିଲେ ବି ଭିତର ସମ୍ପୂର୍ଣ୍ଣ ଫମ୍ପା। ଏଠାରେ ଏବେ ଜଣେ ବି ସ୍ଥାୟୀ କର୍ମଚାରୀ ନାହାନ୍ତି। ତେଣୁ ଗବେଷଣା କେନ୍ଦ୍ର ପକ୍ଷରୁ ହେବାକୁ ଥିବା ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତ ପ୍ରଚାର, ପ୍ରସାର ଓ ଗବେଷଣା ଆଦି କାର୍ଯ୍ୟରେ ନାନା ବାଧା ଉପୁଜୁଛି। ଏଣୁ ଏହି ସମସ୍ୟାକୁ ଗୁରୁତ୍ବର ସହ ବିଚାର କରାଯାଉଛି। ଗତ ୧୨ ତାରିଖରେ କେନ୍ଦ୍ରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା।

ସୃଷ୍ଟି ହେବ ୩ ନୂଆ ବିଭାଗ, ଖୁବ୍‌ ଶୀଘ୍ର ସ୍ଥାୟୀ କର୍ମଚାରୀ ନିଯୁକ୍ତି
ଅଗଷ୍ଟ, ସେପ୍ଟେମ୍ବରରେ ଚେନ୍ନାଇ ଓ ବେଙ୍ଗାଲୁରୁରେ ଓଡ଼ିଶୀ କାର୍ଯ୍ୟକ୍ରମ
ଖୋଲିବ ବ୍ୟାଖ୍ୟାନ କେନ୍ଦ୍ର ଓ ଅଭିଲେଖାଗାର

ଅର୍ଥ ବିଭାଗରୁ ଅତିରିକ୍ତ ବଜେଟ ଆସିବା ପରେ ସ୍ଥାୟୀ କର୍ମଚାରୀ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଏବଂ ଗବେଷଣା ଓ ପ୍ରକାଶନୀ ଭଳି ୩ଟି ବିଭାଗ ଖୋଲାଯିବ। ପ୍ରତି ବିଭାଗ ପାଇଁ ଜଣେ ଜଣେ ବିଭାଗ ମୁଖ୍ୟ ରହିବେ। ତାଙ୍କ ଅଧୀନରେ ଆବଶ୍ୟକ ସହକର୍ମୀ ରହିବେ। ଏହି ୩ ବିଭାଗ କେନ୍ଦ୍ରର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବେ। ବିଭିନ୍ନ ଜିଲ୍ଲା, ରାଜ୍ୟରେ ତଥା ‌ଦେଶ ବାହାରେ କ’ଣ କ’ଣ କାର୍ଯ୍ୟକ୍ରମ ସବୁ ଆୟୋଜିତ ହେବ, କିଭଳି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ଅଧିକରୁ ଅଧିକ ପ୍ରଚାରପ୍ରସାର ହେବ ଓ ଗବେଷଣା କାର୍ଯ୍ୟ କିଭଳି ତ୍ବରାନ୍ବିତ ହେବ, ତାହା ନିର୍ଦ୍ଧାରଣ କରିବେ। ଫଳରେ ଓଡ଼ିଶୀ ଗବେଷଣା କେନ୍ଦ୍ର ନିର୍ମାଣର ଲକ୍ଷ୍ୟ ଶୃଙ୍ଖଳିତ ଓ ବ୍ୟବସ୍ଥିତ ଢଙ୍ଗରେ ପରିଚାଳିତ ହୋଇପାରିବ। କାର୍ଯ୍ୟକାରିଣୀ ପରିଷଦରେ ଏସବୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଖୁବ୍‌ଶୀଘ୍ର ସାଧାରଣ ପରିଷଦ ବୈଠକ ହେବାକୁ ଯାଉଛି। ଅନ୍ୟପ‌ଟେ ଗବେଷଣା କେନ୍ଦ୍ରର ବ୍ୟାଖ୍ୟାନ କେନ୍ଦ୍ର ଓ ଅଭିଲେଖାଗାରକୁ ମଧ୍ୟ ନୂଆରୂପ ଦିଆଯିବାକୁ ଯୋଜନା ହୋଇଛି। କେନ୍ଦ୍ରର ୱେବ୍‌ସାଇଟ୍‌କୁ ଅଧିକ କ୍ରିୟାଶୀଳ ଓ ସକ୍ରିୟ କରାଯିବ। ଫଳରେ ଏହି କେନ୍ଦ୍ରରେ ହେଉଥିବା ସମସ୍ତ କାର୍ଯ୍ୟକଳାପ ତଥା ଗବେଷଣା, ପୁସ୍ତିକା ସମ୍ପର୍କରେ ସର୍ବସାଧାରଣ ସବିଶେଷ ବିବରଣୀ ପାଇପାରିବେ।

ସୂଚନା ଥାଉ କି, ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ପ୍ରଚାର, ପ୍ରସାର ଓ ଗବେଷଣା ପାଇଁ ୧୯୮୬ ମସିହାରେ ଗୁରୁ କେଳୁଚରଣ ମାହପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା। କିଛି ବର୍ଷ ଏହା ସୁରୁଖୁରୁରେ ଚାଲିଥିଲା। ମାତ୍ର ୨୦୦୪ ମସିହା ଆଡ଼କୁ କେନ୍ଦ୍ରର ପରିଚାଳନାରେ ଅବ୍ୟବସ୍ଥା ଆରମ୍ଭ ହୋଇଗଲା। ବହୁ ସମୟରେ ସ୍ଥାୟୀ ମୁଖ୍ୟନିର୍ବାହୀ ନିଯୁକ୍ତି ହେଲେ ନାହିଁ। ଭାରପ୍ରାପ୍ତ ଅଧିକାରୀଙ୍କ ଅଣଦେଖାର ଶିକାର ହେଲା ଏହି କେନ୍ଦ୍ର। ଏବେ ମଧ୍ୟ ଗବେଷଣା କେନ୍ଦ୍ର‌ରେ ସ୍ଥାୟୀ ମୁଖ୍ୟନିର୍ବାହୀ ନିଯୁକ୍ତି ନେଇ ସଂସ୍କୃତି ବିଭାଗ ପକ୍ଷରୁ କୌଣସି ଆଗ୍ରହ ପ୍ରକାଶ ପାଉନାହିଁ।

ସମ୍ବନ୍ଧିତ ଖବର