ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଓଡ଼ିଶା ଇଞ୍ଜିନିୟରିଂ କଲେଜ ଏମ୍ପ୍ଲଇଜ୍ ୟୁନିୟନ ପକ୍ଷରୁ ସୋମବାର ପଲାସପଲ୍ଲୀ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପୁଲିସ ବିକ୍ଷୋଭ ସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ କିଛି ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖାଗଲା ବୋଲି ସଂଘ ଘୋଷଣା କରିଥିଲା। ଡିସିପି ଅନୁପ ସାହୁଙ୍କ ସହ ୟୁନିୟନର ସଭାପତି ସୁରେଶ କୁମାର ରାଉତରାୟ ଓ ୧୧ଜଣ ସଭ୍ୟ ସଚିବାଳୟ ଯାଇ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦିଲ୍ଲୀପ ମହାନ୍ତିଙ୍କ ସହ ଆଲୋଚନା କରିଥିଲେ। କିଛି ମାସର ଦରମା ଦିଆଯିବା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯିବା ସହ ଖବ୍ଶୀଘ୍ର ଅନ୍ୟ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ।
ପ୍ରକାଶ ଥାଉକି, ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ଓଡ଼ିଶାର ସର୍ବ ପୁରାତନ ଏହି କଲେଜର ପରିଚାଳନା କମିଟି ବିରୋଧରେ ଅର୍ଥ ତୋଷାରପାତ ଅଭିଯୋଗ ରହିଛି। ଏଠାରେ ୪ଶହ କୋଟି ଟଙ୍କାର ଘୋଟାଲା ହୋଇଥିବା ଯୋଗୁଁ କ୍ରାଇମ୍ ବ୍ରାଂଚ ତଦନ୍ତ କରୁଛି। ଦୀର୍ଘ ବର୍ଷ ହେଲା ୩୫୦ରୁ ଊର୍ଦ୍ଧ୍ବ କର୍ମଚାରୀ ଯଥା ପ୍ରଫେସର, ଆସିଷ୍ଟାଣ୍ଡ ପ୍ରଫେସର, ପ୍ରୋଗ୍ରାମର, କ୍ଲର୍କ, ପିଅନ ଆଦି କାମ କରୁଛନ୍ତି । କଲେଜ ଓ ଏତେ ସଂଖ୍ୟକ କର୍ମଚାରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଦୁର୍ନୀତିର ତୁରନ୍ତ ତଦନ୍ତ ସାରିବା ସହ ଏହାର ପରିଚାଳନା ଭାର ସରକାର ହାତକୁ ନେବା, ନିୟମିତ ଦରମା ଦେବା ଆଦି ଦାବି କରାଯାଇଛି।ୟୁନିୟନ ପକ୍ଷରୁ କୁହାଯାଇଛି ଚଳିତ ବର୍ଷ କଲେଜ ବନ୍ଦ କରିବା ପାଇଁ ଚକ୍ରାନ୍ତ କରାଯାଉଛି। ଫଳରେ ୩୫୦ କର୍ମଚାରୀ ନିଜର ଜୀବିକା ହରାଇବା ଆଶଙ୍କା ପ୍ରକାଶ ପାଇଲାଣି। ତେବେ ଏହି ଦାବି ପୂରଣ ନ ହେଲେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଦିଆଯିବ ବୋଲି ଚେତାବନୀ ଦିଆଯାଇଛି।