ପୁରୁଣା ଭୁବନେଶ୍ବର: ୨୮ ବର୍ଷର ଫାଣ୍ଡିଟି ବଡ଼ ଦୟନୀୟ ଅବସ୍ଥାରେ ଠିଆହୋଇଛି। ପୁରୁଣା କୋଠା ଘରଟି ଚାରିକଡ଼ରେ ପାଚେରି ନାହିଁ। କିନ୍ତୁ ସମ୍ମୁଖ ଭାଗରେ ଖତିରା ବାଉଁଶ ଓ ଝାଟିତାଟିର ବାଡ଼ଟିଏ ରହିଛି। ଅଧାଅଧି ଅକ୍ଷର ଲିଭିଯାଇଥିବା ପୁରୁଣା ନାମଫଳକଟିଏ ଝୁଲୁଛି। ଫାଣ୍ଡିରେ ନା ଅଛି ପିସିଆର୍ ଭ୍ୟାନ୍, ନା ଅଛି ପିସିଆର୍ ବାଇକ୍। ତେଣୁ ପାଟ୍ରୋଲିଂ କ’ଣ ଏହି ଅଞ୍ଚଳର ଲୋକେ ଜାଣନ୍ତି ନାହିଁ। ବାହାରୁ ଦେଖି କେହି ବି ଏହାକୁ ଏକ ଫାଣ୍ଡି ବୋଲି ଭାବିପାରିବନାହିଁ। ଭିତରେ ବାବୁମାନେ ସବୁବେଳେ ବିନା ପୋଷାକରେ ଦେଖିବାକୁ ମିଳନ୍ତି। ଏମିତିକି ବାବୁମାନେ ବି ବାହାରେ ଲୁଙ୍ଗି ପିନ୍ଧି ସାଇକେଲରେ ବୁଲିବା ଦୃଶ୍ୟ ଏଠାରେ ନିତିଦିନିଆ ଘଟଣା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଠି ମାସ ମାସ ଧରି ମାମଲା ରୁଜୁ ହୁଏନାହିଁ। ଏହା ହେଉଛି ରାଜଧାନୀ ଉପକଣ୍ଠସ୍ଥିତ ପିପିଲି ଥାନା ଅଧୀନ ଓଇସି ଫାଣ୍ଡିର ବିକଳ ଚିତ୍ର। ଫାଣ୍ଡିଟି କାହା ସ୍ବାର୍ଥରେ କାମ କରୁଛି, ତାହାକୁ ନେଇ ଗତ କିଛି ବର୍ଷ ହେଲା ଚର୍ଚ୍ଚା ହୋଇଆସୁଛି।
ସୁନ୍ଦରପଦା-ଜଟଣୀ ମୁଖ୍ୟ ରାସ୍ତାରେ ଓଇସି କଲେଜ ଛକରେ ନିଜିଗଡ଼-କୁରୁକି ମୌଜାରେ ରହିଛି ଏହି ଫାଣ୍ଡି। ଜଟଣୀ ବ୍ଲକ୍ ଓ ପିପିଲି ବ୍ଲକ୍ ସୀମାରେ ଥିବା ଏହି ଫାଣ୍ଡିଟି ପୁରୀ ଜିଲ୍ଲା ପିପିଲି ଥାନା ଅଧୀନରେ ରହିଛି। ୧୯୯୩ ମସିହାରେ ତତ୍କାଳୀନ ପୁଲିସ ଡିଜି ଶରତଚନ୍ଦ୍ର ମିଶ୍ର ଏହାକୁ ଉଦ୍ଘାଟନ କରିଥଲେ। ସେତେବେଳେ ପିପିଲି ବ୍ଲକ୍ କଣ୍ଟି ପଞ୍ଚାୟତ ଓ ଓଇସି କଲେଜ ପାଇଁ ଏହି ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା। ଗତ କିଛି ବର୍ଷ ହେଲା ଓଇସି କଲେଜ ବନ୍ଦ ହୋଇଯିବା ପରେ ଫାଣ୍ଡିଟି ଏକପ୍ରକାର ଅଚଳ ଅବସ୍ଥାକୁ ଆସିଯାଇଛି। କେତେବେଳେ ଖୋଲା ରହୁଛି, କେତେବେଳେ ବନ୍ଦ ରହୁଛି, ବୁଝିବା କାଠିକର ପାଠ। ଏବେ ସେଠାରେ ମୁଖିଆ ହେଉଛନ୍ତି ଜଣେ ହାବିଲଦାର୍। ତାଙ୍କୁ ସହଯୋଗ କରିବାକୁ ଅଛନ୍ତି ଜଣେ କନେଷ୍ଟବଳ। ଅବଶ୍ୟ ଜଣେ ଏଏସ୍ଆଇଙ୍କୁ ନିଯୁକ୍ତି ମିଳିଛି, କିନ୍ତୁ ସେ ଅନ୍ୟତ୍ର ଡିଉଟି କରୁଛନ୍ତି। ଏହି ଫାଣ୍ଡିରେ ତାଙ୍କର ଦେଖାଦର୍ଶନ ମିଳିନଥାଏ। ତେଣୁ କୌଣସି ମାମଲା ଆସିଲେ, ଅଭିଯୋଗକାରୀ ପିପିଲି ଥାନା ଯିବାକୁ ବାଧ୍ୟ ହେଉଛନ୍ତି।
ପିସିଆର୍ ଭ୍ୟାନ୍ ବା ବାଇକ୍ ନଥିବାରୁ ଏହି ଅଞ୍ଚଳରେ ପାଟ୍ରୋଲିଂ ବୋଲି କିଛି ନାହିଁ। ଏମିତିକି କେହି ଅଭିଯୋଗକାରୀ କୌଣସି ମାମଲା ନେଇ ଏଠାକୁ ଆସିଲେ, ବାବୁମାନଙ୍କୁ ସେ ନିଜ ବାଇକ୍ରେ ଘଟଣାସ୍ଥଳକୁ ନିଅନ୍ତି ଓ ପୁଣି ଆଣି ଫାଣ୍ଡିରେ ଛାଡ଼ିଦେଇ ଫେରନ୍ତି। ଫାଣ୍ଡି କୋଠାରେ ବି ରହିଛି ବହୁ ସମସ୍ୟା। ପାଣି ବ୍ୟବସ୍ଥା ନଥିବାରୁ କର୍ମଚାରୀମାନେ ସ୍ନାନଶୌଚ ସବୁ ବାହାରେ କରୁଛନ୍ତି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଫାଣ୍ଡିର ଏଭଳି ଦୟନୀୟ ସ୍ଥିତି ମୋରମ୍ ମାଫିଆମାନଙ୍କ ପାଇଁ ବେଶ୍ ସୁହାଉଛି। ଖୋଦ୍ ମାଫିଆମାନେ ବି ଫାଣ୍ଡି ବାରଣ୍ଡାରେ ବସି ମଦ ଆସର ଜମାଉଛନ୍ତି। ଏନେଇ ପିପିଲି ଥାନାଧିକାରୀଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ଫାଣ୍ଡି ବାବଦରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଓ ରହିଥିବା ବିଭିନ୍ନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରସ୍ତାବ ମଧ୍ୟ ଦିଆଯାଇଛି। ତେବେ ଏହି ଫାଣ୍ଡିକୁ ତୁରନ୍ତ ଜଣେ ଅଫିସର ଏବଂ ପିସିଆର୍ ଭ୍ୟାନ୍ ଯୋଗାଇ ଦେବାକୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।