ଅଫିସରରାଜ୍‌ରେ ପୂର୍ଣ୍ଣଚ୍ଛେଦ: ନେତା ଧରିଲେ ମଙ୍ଗ

ମଞ୍ଜୁଲତା କହଁର ଡେପୁଟି ମେୟର, ଶପଥ ନେଲେ ମେୟର, କର୍ପୋରେଟର

ଭୁବନେଶ୍ବର: ନୂଆ ନୂଆ ଦିଶୁଥିଲା ବିଏମ୍‌ସି କାର୍ଯ୍ୟାଳୟ। ଫୁଲ, ପତ୍ର ଓ ବେଲୁନ୍‌ରେ ଭର୍ତ୍ତି ହୋଇଥିଲା କାନ୍ଥ ବାଡ଼। କାର୍ଯ୍ୟାଳୟ ପରିସର ରାସ୍ତାରେ ବିଛା ହୋଇଥିଲା କାର୍ପେଟ୍‌। ଅତର ଅତର ମହକୁଥିଲା ପୂରା ଅଞ୍ଚଳ। ବଡ଼ ବଡ଼ ଫ୍ଲେକ୍ସରେ ଶୋଭା ପାଉଥିଲା ବିଏମ୍‌ସିର ପ୍ରଥମ ମହିଳା ମେୟରଙ୍କ ଫଟୋ। ଅବସର ଥିଲା, ମେୟର୍‌ ସୁଲୋଚନା ଦାସ ଓ ଅନ୍ୟ ସମସ୍ତ ୬୭ଜଣ କର୍ପୋରେଟର୍‌ଙ୍କ ଶପଥ ଗ୍ରହଣ ଉତ୍ସବ।

କନ୍‌ଫରେନ୍ସ ହଲ୍‌ରେ ଶପଥ ଗ୍ରହଣ ଉତ୍ସବର ଆୟୋଜନ କରାଯାଇଥିଲା। ସକା‌ଳ ୯ଟା ସୁଦ୍ଧା ବିଏମ୍‌ସିର ସମସ୍ତ କର୍ମଚାରୀଙ୍କଠାରୁ ଆରମ୍ଭ କରି ଅଧିକାରୀମାନେ କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ। ପ୍ରସ୍ତୁତିରେ କାଳେ କିଛି ଅଭାବ ରହିଯାଇଥିବ, ତାହାକୁ ଦାୟିତ୍ବରେ ଥିବା ଅଫିସର୍‌ମାନେ ମଝିରେ ମଝିରେ ପରଖି ନେଉଥିଲେ। ଜଣଙ୍କ ପରେ ଜଣେ କର୍ପୋରେଟର୍‌ ବିଏମ୍‌ସି ଅଫିସ୍‌ ପହଞ୍ଚୁଥିଲେ। ଠିକ୍‌ ୯ଟା ୨୭ ମିନିଟ୍‌ରେ ପହଞ୍ଚିଥିଲେ ମେୟର। କମିସନର ସଞ୍ଜୟ ସିଂହଙ୍କ ସମେତ ଅନ୍ୟ ଅଫିସର୍‌ମାନେ ତାଙ୍କୁ ଫୁଲତୋଡ଼ା ଦେଇ କନ୍‌ଫରେନ୍ସ ହଲ୍‌କୁ ପାଛୋଟି ନେଇଥିବା ବେଳେ କିଛି ମହିଳା କର୍ପୋରେଟର୍‌ ହୁଳହୁଳି ପକାଇ ତାଙ୍କୁ ସ୍ବାଗତ କରିଥିଲେ। ପରେ ପହଞ୍ଚିଥିଲେ ବିଜେଡିର ଦଳୀୟ ଏଜେଣ୍ଟ, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।

କନ୍‌ଫରେନ୍ସ ହଲ୍‌ରେ ଆରମ୍ଭ ହୋଇଥିଲା ଶପଥ ଗ୍ରହଣ କାର୍ଯ୍ୟକ୍ରମ। ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ପ୍ରଥମେ ମେୟରଙ୍କୁ ଶପଥ ଗ୍ରହଣ କରାଇଥିଲେ। ଭାରତର ସମ୍ବିଧାନ ପ୍ରତି ବିଶ୍ବାସ ଓ ଆନୁଗତ୍ୟ ବହନ କରିବା ସହ ସାର୍ବଭୌମତ୍ବ ଓ ଅଖଣ୍ଡତାକୁ ବଜାୟ ରଖିବା ପାଇଁ ମେୟରଙ୍କ ସହ ସମସ୍ତ କର୍ପୋରେଟର୍‌ ଶପଥ ନେଇଥିଲେ। ଏଥିସହ ଆଜିଠାରୁ ବିଏମ୍‌ସିରେ ଅଫିସରରାଜ୍‌ରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନେତା ଧରିଛନ୍ତି ଶାସନର ମଙ୍ଗ।

କାର୍ଯ୍ୟକ୍ରମ ଅନୁଯାୟୀ, ଡେପୁଟି ମେୟର୍‌ ପଦ ପାଇଁ ପ୍ରାର୍ଥିପତ୍ର ଆହ୍ୱାନ କରାଯାଇଥିଲା। ୱାର୍ଡ ନଂ୨୨ର କର୍ପୋରେଟର୍‌ (ବିଜେଡି) ମଞ୍ଜୁଲତା କହଁର ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦାଖଲ ସମୟ ମଧ୍ୟରେ ଆଉ କୌଣସି ପ୍ରାର୍ଥିପତ୍ର ନ ଆସିବାରୁ ମଞ୍ଜୁଲତା ଡେପୁଟି ମେୟର ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ପାଇଁ ବାଲାଟ୍‌ ପେପର୍‌ ଓ ଭୋଟଦାନ ବାକ୍ସ ପ୍ରସ୍ତୁତ କରାଯାଇଥିଲେ ହେଁ ସେସବୁର ଆବଶ୍ୟକତା ପଡ଼ିନଥିଲା।
ଏହା ପରେ ଆରମ୍ଭ ହୋଇଥିଲା ସ୍ବାଗତ ସମ୍ବର୍ଦ୍ଧନାର ପର୍ବ। ମେୟରଙ୍କ ଚାମ୍ବରରେ ଲାଗିଗଲା ଭିଡ଼। କର୍ପୋରେଟର୍‌ଙ୍କ ସହ କର୍ମଚାରୀମାନେ ଫୁଲତୋଡ଼ା ଧରି ପହଞ୍ଚିଥିଲେ ସେଠାରେ। ବେଶ୍‌ କିଛି ସମୟ ଧରି ସେଲ୍ଫି, ଫଟୋ ଭିଡିଓ ସୁଟିଂ ହୋଇଥିଲା। ମହିଳା କର୍ପୋରେଟରମାନେ ଭିତରେ ଶପଥ ନେଉଥିବା ବେଳେ ବାହାରେ ପ୍ରତୀକ୍ଷାରତ ସ୍ବାମୀମାନେ ମଧ୍ୟ ମେୟରଙ୍କ ପାଖରେ ପହଞ୍ଚି ଫଟୋ ଉଠାଇବାକୁ ଭୁଲି ନଥିଲେ। ଏହା ପରେ ଡେପୁଟି ମେୟରଙ୍କ ପାଖରେ ଜମିଥିଲା ଭିଡ଼। ମାତ୍ର କିଛି ସମୟ ପୂର୍ବରୁ ବିଜୟ ମୁକୁଟ ପିନ୍ଧିଥିବା ପ୍ରଥମ ମହିଳା ଡେପୁଟି ମେୟରଙ୍କୁ ସମ୍ବର୍ଦ୍ଧନାର ସୁଅ ଛୁଟିଥିଲା।

ମନ୍ତ୍ରୀ, ମେୟର ଓ କର୍ପୋରେଟର୍‌ମାନଙ୍କୁ ଡେପୁଟି କମିସନର (ମାର୍କେଟ୍) ପ୍ରମୋଦ କୁମାର ପୃଷ୍ଟି ଓ ଡେପୁଟି କମିସନର (ସୂଚନା ଓ ପ୍ରଯୁକ୍ତି) କମଲ୍‌ଜିତ୍ ଦାସ ସ୍ବାଗତ କରିଥିଲେ। ଡେପୁଟି ମେୟର ନିର୍ବାଚନ ପ୍ରକ୍ରିୟାରେ ଡେପୁଟି କମିସନର (ସାନିଟେସନ୍) ଶୁଭେନ୍ଦୁ କୁମାର ସାହୁ ଓ ଗାୟତ୍ରୀ ସାମନ୍ତରାୟ ସହଯୋଗ କରିଥିଲେ। ଡେପୁଟି କମିସନର (ନିର୍ବାଚନ) ଶ୍ରୀମନ୍ତ ମିଶ୍ର ବୈଠକ ବିବରଣୀ ପ୍ରସ୍ତୁତ କରିଥିଲେ। ସଂଯୋଜନା କରିଥିଲେ ଅତିରିକ୍ତ କମିସନର ବିନୟ କୁମାର ଦାସ। ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ମୁଖ୍ୟ ବିତ୍ତ ଅଧିକାରୀ ସଞ୍ଜୀବ କୁମାର ସିଂ ଉପସ୍ଥିତ ଥିଲେ। ସହକାରୀ କମିସନର ଲିଲନ୍ ପ୍ରସାଦ ସାହୁ ଗଣମାଧ୍ୟମ ପରିଚାଳନା ଦାୟିତ୍ୱରେ ରହିଥିଲେ।

ସମ୍ବନ୍ଧିତ ଖବର