ଭୁବନେଶ୍ବର: ଶୀତତାପ ନିୟନ୍ତ୍ରିତ କକ୍ଷରେ ନ ବସି ସପ୍ତାହକୁ ୩ ଦିନ ୱାର୍ଡ ବୁଲିବେ ଅଧିକାରୀ। କ୍ଷେତ୍ର ପରିଦର୍ଶନ କରି ପରିମଳଠାରୁ ଆରମ୍ଭ କରି ସମସ୍ତ ଉନ୍ନୟନ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବେ। ସପ୍ତାହର ପ୍ରତି ସୋମବାର ଏହାର ସମୀକ୍ଷା କରାଯିବ। ନୂଆ ଦାୟିତ୍ବ ଗ୍ରହଣ ପରେ ଅଧିକାରୀଙ୍କୁ ଏଭଳି ଆଦେଶ (ଚିଠି ନମ୍ବର-୩୯୯୪୪/୧୨.୮.୨୦୨୫) ଦେଇଥିଲେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) କମିସନର୍ ଚଞ୍ଚଳ ରାଣା। ଏଥିପାଇଁ ଅଧିକାରୀଙ୍କୁ ଚିଠି ହେଲା ଓ ଦାୟିତ୍ବ ବଣ୍ଟନ ବି କରାଗଲା। ଲକ୍ଷ୍ୟ ଥିଲା, ଭୁବନେଶ୍ବର ମହାନଗର ନିଗମର ପରିମଳ ଓ ଉନ୍ନୟନ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ କରିବା। କିନ୍ତୁ ଚିଠି ତା ବାଟରେ ଓ ଅଧିକାରୀମାନେ ସେମାନଙ୍କ ବାଟରେ। ଇତିମଧ୍ୟରେ ଦେଢ଼ ମାସ ବିତିଲାଣି, କିନ୍ତୁ କେହି ବି ଏହି ନିର୍ଦ୍ଦେଶକୁ ଅନୁପାଳନ କରୁନାହାନ୍ତି। ଫଳସ୍ବରୂପ ସ୍ବଚ୍ଛତାରେ ଭୁବନେଶ୍ବରକୁ ୧ ନମ୍ବର କରିବାକୁ ମେୟର ଓ କମିସନର୍ ଯେଉଁ ଅଣ୍ଟା ଭିଡ଼ିଛନ୍ତି, ତାହା ଫଳପ୍ରଦ ହେଲା ଭଳି ଲାଗୁନି।
ପୂର୍ବତନ କମିସନର୍ ରାଜେଶ ପ୍ରଭାକର ପାଟିଲ୍ଙ୍କ ବଦଳି ପରେ ଗତ ଜୁଲାଇ ୨୯ରେ ଚଞ୍ଚଳ ରାଣା ଭୁବନେଶ୍ବର ମହାନଗର ନିଗମର ନୂଆ କମିସନର୍ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ଦାୟିତ୍ବ ଗ୍ରହଣ ଦିନ ହିଁ ଶ୍ରୀ ରାଣା ସ୍ବଚ୍ଛତାରେ ସାରା ଦେଶରେ ନବମ ସ୍ଥାନରେ ଥିବା ରାଜଧାନୀକୁ ୧ ନମ୍ବର କରିବେ ବୋଲି କହିଥିଲେ। ଜଳବନ୍ଦି ସମସ୍ୟା ଦୂର ପାଇଁ ମାଷ୍ଟରପ୍ଲାନ୍ ସହ ସାଧାରଣ ଲୋକଙ୍କ ଅଭିଯୋଗର ତ୍ବରିତ ସମାଧାନ ଦିଗରେ ଦୃଷ୍ଟି ଦେବେ ଓ ଅଧିକାରୀଙ୍କୁ ନେଇ ସମନ୍ବୟ ଭିତ୍ତିରେ ଭୁବନେଶ୍ବରର ବିକାଶ କରିବେ ବୋଲି କହିଥିଲେ। ନୂଆ ଟିମ୍ ସହ କାମ କରିବା ପୂର୍ବରୁ ଅଗଷ୍ଟ ୨ରେ ସେ ଭୁବନେଶ୍ବର ମହାନଗର ନିଗମର ସମସ୍ତ ଅଧିକାରୀଙ୍କ ଦାୟିତ୍ବ ଅଦଳବଦଳ କରିଥିଲେ। କିଏ କେଉଁ ବିଭାଗ ସମ୍ଭାଳିବ, ଦାୟିତ୍ବ ବାଣ୍ଟିଥିଲେ। ଏହାର କିଛିଦିନ ପରେ ଅର୍ଥାତ୍ ଅଗଷ୍ଟ ୧୨ରେ ପରିମଳ ଓ ଉନ୍ନୟନ କାର୍ଯ୍ୟର ପ୍ରତ୍ୟକ୍ଷ ତଦାରଖ ସହ ଆବଶ୍ୟକ ପ୍ରତିକାର ପାଇଁ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏକ ଆଦେଶନାମା ଜାରି କଲେ। ଏଥିପାଇଁ ୩୨ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟାଗଲା। ଯେଉଁଥିରେ ଡେପୁଟି କମିସନର୍, ଜୋନାଲ କମିସନର୍, ସହକାରୀ କମିସନର୍, ସିଟି ପ୍ଲାନର, ନିର୍ବାହୀ ଯନ୍ତ୍ରୀମାନେ ଥିଲେ। ନିଜ ସୁବିଧା ଅନୁସାରେ ଅଧିକାରୀମାନେ ସକାଳେ ୫ଟାରୁ ୯ଟା ଭିତରେ ଅବା ରାତି ସାଢ଼େ ୭ଟାରୁ ସାଢ଼େ ୧୦ଟା ଭିତରେ ୱାର୍ଡ ବୁଲିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ସପ୍ତାହକୁ ନିଶ୍ଚିତ ତିନିଦିନ ବୁଲିବାକୁ କୁହାଯାଇଥିଲା। ପରିମଳ, ଖୋଲା ନାଳର ମରାମତି, ସର୍ବସାଧାରଣ ଶୌଚାଳୟ ଓ ଇ-ଟଏଲେଟ୍ ପରିଚାଳନା, ସାଇନ୍ ଟିମ୍ ଏନ୍ଫୋର୍ସମେଣ୍ଟ କାର୍ଯ୍ୟର ଅନୁଧ୍ୟାନ, ପାର୍କ, ଶ୍ମଶାନ, ବିଦ୍ୟାଳୟ ଅଞ୍ଚଳ ପରିଦର୍ଶନ କରି ସ୍ବଚ୍ଛତା ପରଖିବା, ଷ୍ଟ୍ରିଟ୍ଲାଇଟ୍ ମରାମତି, ଭେଣ୍ଡିଂ ଜୋନ୍ ସଫେଇ, ଜବରଦଖଲ ଆଦି ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଥିଲା। ଯେଉଁଦିନ ଅଧିକାରୀମାନେ ୱାର୍ଡ ବୁଲିବେ, ସେଦିନ ଅତିରିକ୍ତ କମିସନର(ପରିମଳ)ଙ୍କୁ ଜଣାଇବାକୁ କୁହାଯାଇଥିଲା। ଅଧିକାରୀମାନେ କାମ ଠିକ୍ରେ କରୁଛନ୍ତି କି ନାହିଁ ଦେଖିବାକୁ ତିନି ଅତିରିକ୍ତ କମିସନର୍ଙ୍କୁ ନୋଡାଲ ଅଧିକାରୀ ନିଯୁକ୍ତ କରାଗଲା। ଅତିରିକ୍ତ କମିସନର୍ ରତ୍ନାକର ସାହୁଙ୍କୁ ନର୍ଥ ଜୋନ୍, ସସ୍ମିତା ସାହୁଙ୍କୁ ସାଉଥ୍-ୱେଷ୍ଟ ଜୋନ୍ ଓ ଅତିରିକ୍ତ କମିସନର କୈଳାସ ଚନ୍ଦ୍ର ଦାସଙ୍କୁ ସାଉଥ-ଇଷ୍ଟ ଜୋନ୍ର ନୋଡାଲ୍ ଅଧିକାରୀ କରାଗଲା। ଏପରି ଅଭ୍ୟାସରେ ଗୋଷ୍ଠୀ ସହଭାଗିତା ବଢ଼ିବ ଏବଂ ତାହା ମାଧ୍ୟମରେ ପ୍ରଗତି ଚରିତାର୍ଥ ହେବ ବୋଲି କମିସନର ଶ୍ରୀ ରାଣା କହିଥିଲେ। କିନ୍ତୁ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରୁନଥିବାରୁ ଯେଉଁ ଲକ୍ଷ୍ୟରେ ଶ୍ରୀ ରାଣା ଏହି ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ, ହେଲେ ତାହା ଚରିତାର୍ଥ ହୋଇପାରୁନି। ଆରମ୍ଭରୁ ଥରେ ଦୁଇଥର ସମୀକ୍ଷା ପରେ ସବୁକିଛି ବନ୍ଦ ହୋଇଯାଇଛି।