ପରିବେଶ ସୁରକ୍ଷା ସଂକଳ୍ପ ଭୁଲିଗଲେ: ଶୁକ୍ରବାର ସାଇକେଲ୍‌ରେ ଆସୁନାହାନ୍ତି ବାବୁ

ଭୁବନେଶ୍ୱର, (ବିବୁଧ ମହାନ୍ତି): କଥା ହୋଇଥିଲା ପ୍ରତି ଶୁକ୍ରବାର ବିଏମ୍‌ସି, ବିଡିଏ ଓ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ (ବିଏସ୍‌ସିଏଲ୍‌)ର ଅଧିକାରୀ ଓ କର୍ମଚାରୀମାନେ ସାଇକେଲ୍‌ରେ କିମ୍ବା ଚାଲିଚାଲି ଅଫିସ୍‌ ଆସିବେ। ରାଜଧାନୀର ପ୍ରଦୂଷଣ ମାତ୍ରା ଚିନ୍ତାଜନକ ହୋଇଥିବାରୁ ଏହାର ମୁକାବିଲା ପାଇଁ ରାଜଧାନୀର ଏହି ତିନି ପ୍ରମୁଖ ସଂସ୍ଥାର କର୍ମଚାରୀଙ୍କ ପାଇଁ ଏଭଳି ନିୟମ ଲାଗୁ ହୋଇଥିଲା। ସରକାରୀ କର୍ମଚାରୀମାନଙ୍କର ଏହି ଅଭ୍ୟାସ ଅନ୍ୟମାନଙ୍କ ଉପରେ ପ୍ରଭାବ ପକାଇବ। ଅନ୍ୟମାନେ ବି ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ସାଇକେଲ୍‌ ଚଲାଇ କାର୍ଯ୍ୟାଳୟକୁ ଆସିଲେ ପ୍ରଦୂଷଣ କମିବ। ଏଭଳି ଏକ ସଂକଳ୍ପ ନେଇ ୨୦୧୯ ଡିସେମ୍ବର ୧୧ ତାରିଖ ଦିନ ତତ୍‌କାଳୀନ ବିଏମ୍‌ସି କମିସନର, ବିଡିଏ ଉପାଧ୍ୟକ୍ଷ ତଥା ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ନିର୍ଦ୍ଦେଶନାମା ଜାରି କରିଥିଲେ। ପରବର୍ତ୍ତୀ ଶୁକ୍ରବାର ବିଭିନ୍ନ ଡିଜାଇନ୍‌ର ସାଇକେଲ୍‌ରେ କର୍ମଚାରୀ ଓ ଅଫିସରମାନେ ଅଫିସ ଆସିଥିଲେ। ଫଟୋ ଉଠିବା ସହ ଏହାର ବହୁଳ ପ୍ରଚାର ପ୍ରସାର ମଧ୍ୟ ହୋଇଥିଲା। ମାତ୍ର କେତୋଟି ଶୁକ୍ରବାର ଏଭଳି ଚାଲିବା ପରେ ନିର୍ଦ୍ଦେଶନାମା ଓ ପ୍ରଦୂଷଣ କଥା ସମସ୍ତେ ଭୁଲିଗଲେ। ପୁଣି ଚାରିଚକିଆରେ ଅଫିସ ଆସିଲେ। ଆଉ ଏବେ ବି ସମସ୍ତେ ବାଇକ୍‌ ଓ କାର୍‌ରେ ଅଫିସ୍‌ ଆସୁଛନ୍ତି। ଶୁକ୍ରବାର ଦିନ ‘ସମ୍ବାଦ’ ଟିମ୍‌ ଏହି ତିନିଟି କାର୍ଯ୍ୟାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କଲା ବେ‌ଳେ ଏଭଳି ଚିତ୍ର ଦେଖିବାକୁ ମିଳିଛି।

ଶୁକ୍ରବାର ଥିବାରୁ ଆମେ ସ୍ଥିତି ଅନୁଧ୍ୟ‌ାନ କରିବା ପାଇଁ ପୂର୍ବାହ୍ନ ୧୦ଟା ବେଳେ ବିଏମ୍‌ସି ଅଫିସ୍‌ରେ ପହଞ୍ଚିଥିଲୁ। ପ୍ରଥମେ ଦେଖାଗଲା ୪ରୁ ୫ ଜଣ କର୍ମଚାରୀ ଏକତ୍ର ବାଇକ୍‌ରେ ଆସି ପହଞ୍ଚିଲେ। ୧୦ଟା ୫୦ ବେଳେ ଜଣେ ଡେପୁଟି କମିସନର ପ୍ରତିଦିନ ଭଳି ଆଜି ବି କାର୍‌ରେ ଆସିଥିଲେ। ସେହିପରି ଜଣେ ଅଫିସର ୧୦ଟା ୫୫ ଓ ଆଉ ଜଣେ ୧୧ଟା ୧୭ ମିନିଟ୍‌ରେ ଆସିଥିଲେ। ଏମାନେ ସମସ୍ତେ ନିଜ ନିଜ କାର୍‌ରେ ଆସିଥିଲେ।

ବିଡିଏ ଓ ବିଏସ୍‌ସିଏଲ୍‌ ଅଫିସ୍‌ରେ ମଧ୍ୟ ଆମେ ସମାନ ସ୍ଥିତି ଦେଖିଥିଲୁ। କେହି ଜଣେ ହେଲେ ଅଧିକାରୀ କିମ୍ବା କର୍ମଚାରୀ ସାଇକେଲ୍‌ରେ କିମ୍ବା ଚାଲିଚାଲି ଆସିବା ଆମ ନଜରରେ ପଡ଼ିନଥିଲା। କେତେକ ଅଫିସର ଅଫିସ୍‌ କାର୍‌ ଓ କେତେକ ନିଜ କାର୍‌ରେ ଆସିଥିବା ଦେଖିବାକୁ ମିଳିଥିଲା।

୨୦୧୯ରେ ଶ୍ରୀ ଚୌଧୁରୀ ଯେଉଁ ନିର୍ଦ୍ଦେଶ ଜାରି କରିଥିଲେ, ତାହା ଏମିତି ଥିଲା। ପ୍ରତ୍ୟେକ ଶୁକ୍ରବାର ଦିନ ଉପରୋକ୍ତ ତିନିଟି ସଂସ୍ଥାର କ୍ୟାମ୍ପସକୁ କୌଣସି କର୍ମଚାରୀ କି ଅଧିକାରୀଙ୍କ ଗାଡ଼ି ଛଡ଼ା ଯିବନି। ଅର୍ଥାତ୍‌ ସେମାନେ ଗାଡ଼ି ନେଇ ଆସିଲେ ବି ଅଫିସ୍‌ ଭିତରକୁ ଚାଲିଚାଲି ଯିବେ। ଅଫିସ୍‌କୁ କେବଳ ଜରୁରୀକାଳୀନ ଗାଡ଼ି ଚଳାଚଳ କରିବ। ଏହି ତିନିଟି ସଂସ୍ଥାରେ ପାଖାପାଖି ୮ଶହ କର୍ମଚାରୀ କାମ କରୁଛନ୍ତି। ସମସ୍ତ କର୍ମଚାରୀ ଯଦି ସାଇକେଲ୍‌ରେ ଆସନ୍ତି, ତେବେ ଏହାର ପ୍ରଭାବ ରାଜଧାନୀ ପରିବେଶ ଉପରେ ପଡ଼ିବ, ପ୍ରଦୂଷଣ କମିବ। ତା’ ଛଡ଼ା କର୍ମଚାରୀମାନେ ସାଇକେଲିଂ କଲେ କିମ୍ବା ଚାଲିଚାଲି ଆସିଲେ ଅଧିକ ଫିଟ୍‌ ରହିବେ। ରାଜଧାନୀର ତିନିଟି ମୁଖ୍ୟ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଖରୁ ଆରମ୍ଭ ହୋଇଥିବା ଏହି ମିସନ୍‌ର ବାର୍ତ୍ତା ତୃଣମୂଳସ୍ତରରେ ପହଞ୍ଚିବ। ଆଗାମୀ ଦିନରେ ଅନ୍ୟ ଅଫିସ୍‌ ସହ ସାଧାରଣ ଲୋକ ସାଇକେଲ୍‌କୁ ଆପଣେଇବେ।

ଅନ୍ୟପଟେ ପ୍ରଦୂଷଣ କମାଇବା ଉଦ୍ଦେଶ୍ୟରେ ‘ମୋ ସାଇକେଲ୍‌’ ପ୍ରତି ସାଧାରଣ ଲୋକଙ୍କୁ ଆକୃଷ୍ଟ କରିବା ପାଇଁ ବିଏସ୍‌ସିଏଲ୍‌ ପ୍ରୟାସ ଜାରି ରଖିଛି। ସାଇକେଲ୍‌ ଚାଳନାକୁ ପ୍ରୋତ୍ସାହନ ଦେବାପାଇଁ ବିଭିନ୍ନ ସମୟରେ ସାଇକ୍ଲୋଥୋନ୍‌ ଆୟୋଜନ ହେଉଛି। ନିକଟ ଅତୀତରେ ସାଇକେଲ୍‌କୁ ପ୍ରୋତ୍ସାହନ ଦେଉଥିବା ସହର ଭାବରେ ଭୁବନେଶ୍ବର ପାଇଁ ବିଏସ୍‌ସିଏଲ୍‌ ଜାତୀୟ ସ୍ତରରେ ସମ୍ମାନିତ ମଧ୍ୟ ହୋଇଛି। କିନ୍ତୁ ଏକ ମହତ୍‌ ଉଦ୍ଦେଶ୍ୟ ନେଇ ଆରମ୍ଭ ହୋଇଥିବା ଶୁକ୍ରବାରିଆ ସାଇକେଲ୍‌ ମିସନ ଅଧିକାରୀଙ୍କ ବଦଳି ହେଉ ହେଉ ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର