ଅଫଲାଇନ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ୟୁଜି ପରୀକ୍ଷା

ଯେକୌଣସି କଲେଜରେ ଦେଇହେବ ପରୀକ୍ଷା, ରେଭେନ୍ସା, ବିଜେବି ଅନଲାଇନ୍‌ରେ କରିବେ ପରୀକ୍ଷା

ଭୁବନେଶ୍ୱର : ୟୁଜି ଓ ପିଜି ଶେଷ ସେମିଷ୍ଟର୍‌ ପରୀକ୍ଷା କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ଉତ୍କଳ, ରେଭେନ୍ସା ସମେତ ରାଜ୍ୟର କେତେକ ବିଶ୍ୱବିଦ୍ୟାଳୟ ଆଜି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ପିଲାଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ଥିବା ବେଳେ ୟୁଜି ପରୀକ୍ଷା ଅଫଲାଇନ୍‌ରେ କରିବ। ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ କେବଳ ଅନ୍‌ଲାଇନ୍‌ରେ ପରୀକ୍ଷା କରାଇବେ।

ଉତ୍କଳ ବିଶ୍ବବିଦ୍ୟାଳୟ ପିଜି ପିଲାଙ୍କ ପାଇଁ ଅନ୍‌ଲାଇନ୍‌ରେ ପରୀକ୍ଷା କରାଯିବ। ଏଥିପାଇଁ ଏନଆଇସି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ। ମଲ୍ଟିପୁଲ ଚଏସ୍ ପ୍ରଶ୍ନପତ୍ର ହେବ। ଏଥର ସାଢ଼େ ତିନି ହଜାର ପରୀକ୍ଷାର୍ଥୀ ପିଜି ଶେଷ ସେମିଷ୍ଟର୍ ପରୀକ୍ଷା ଦେବାକୁ ଥିବା ବେଳେ ସେପ୍ଟେମ୍ବର ତୃତୀୟ ସପ୍ତାହରେ ପରୀକ୍ଷା କରାଯିବ। ପରୀକ୍ଷା ପୂର୍ବରୁ ପରୀକ୍ଷାର୍ଥୀଙ୍କର ଏକ ମକ- ଟେଷ୍ଟ କରାଯିବ।

ୟୁଜି ପିଲାଙ୍କ ପାଇଁ ଓଏମଆର ମାଧ୍ୟମରେ ପରୀକ୍ଷା ହେବ। ମଲ୍ଟିପୁଲ ଚଏସ୍ ପ୍ରଶ୍ନ ଆସିବ। ଛାତ୍ରଛାତ୍ରୀ ଅଫଲାଇନ୍‌ ତଥା ଫିଜିକାଲି ମୋଡ୍‌ରେ ପରୀକ୍ଷା ଦେବେ। ସେମାନଙ୍କୁ କଲେଜକୁ ଆସିବାକୁ ପଡ଼ିବ। ତେବେ ଛାତ୍ରଛାତ୍ରୀଙ୍କ ଲାଗି ଗୋଟିଏ ସୁବିଧା କରାଯାଇଛି ଯେ ସେମାନେ ନିଜ ସୁବିଧା ଅନୁଯାୟୀ ବିଶ୍ୱବିଦ୍ୟାଳୟ ଅଧୀନ ଯେକୌଣସି କଲେଜରେ ପରୀକ୍ଷା ଦେଇପାରିବେ। ଅର୍ଥାତ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ୯ ଜିଲ୍ଲାରେ ୨୭୮ କଲେଜ ରହିଛି ଏବଂ ୫୦ ହଜାର ୧୭୦ ପରୀକ୍ଷାର୍ଥୀ ୟୁଜି ଶେଷ ସେମିଷ୍ଟର୍ ପରୀକ୍ଷା ଦେବା ପାଇଁ ଅଛନ୍ତି। ଯଦି ଜଣେ ପରୀକ୍ଷାର୍ଥୀ ନିଜ ଘର ପାଖ କଲେଜରେ ପରୀକ୍ଷା ଦେବା ପାଇଁ ଚାହିବେ, ତେବେ ସେ ପ୍ରଥମେ ପରୀକ୍ଷା କେନ୍ଦ୍ର ପରିବର୍ତ୍ତନ ଲାଗି ନିଜ କଲେଜ ଅଧ୍ୟକ୍ଷଙ୍କୁ ଜଣାଇବେ। ବିଶ୍ୱବିଦ୍ୟାଳୟ ଅଧୀନ ୯ ଜିଲ୍ଲାର ଯେକୌଣସି କଲେଜରେ ପରୀକ୍ଷା ଦେଇପାରିବେ। ଉଦାହରଣ ସ୍ୱରୂପ ଯଦି ଜଣେ ପରୀକ୍ଷାର୍ଥୀଙ୍କ ଘର ଅନୁଗୁଳ ହୋଇଥିବ ଏବଂ ସେ ଭୁବନେଶ୍ୱରର କୌଣସି କଲେଜରେ ପଢୁଥିବେ, ତେବେ ତାଙ୍କୁ ଭୁବନେଶ୍ୱର ଆସିବା ଆବଶ୍ୟକତା ନାହିଁ। ଅନୁଗୁଳରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଯେକୌଣସି କଲେଜରେ ପରୀକ୍ଷା ଦେଇପାରିବେ। ବିଶ୍ୱବିଦ୍ୟାଳୟ ପକ୍ଷରୁ ସେହି ଅନୁଯାୟୀ ଆଡମିଟ୍‌ କାର୍ଡ ଦିଆଯିବ।

ଏହି ପରୀକ୍ଷା ଗୋଟିଏ ଘଣ୍ଟା ଅବଧିର ରହିବ। ଯେଉଁମାନଙ୍କର ପ୍ରାକ୍ଟିକାଲ ବିଷୟ ରହିଛି, ସେମାନେ ୨ମାର୍କ ଲେଖାଏଁ ୨୫ଟି ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ସେମାନଙ୍କୁ ୪୦ଟି ପ୍ରଶ୍ନ ଦିଆଯିବ। ସେଥିମଧ୍ୟରୁ ପରୀକ୍ଷାର୍ଥୀ ୨୫ଟି ପ୍ରଶ୍ନର ଉତ୍ତର ଦେବେ। ଆଉ ଯେଉଁମାନଙ୍କର ପ୍ରାକ୍ଟିକାଲ ନାହିଁ, ସେମାନେ ୨ମାର୍କ ଲେଖାଏଁ ୪୦ଟି ପ୍ରଶ୍ନର ଉତ୍ତର ଦେବେ। ସେମାନଙ୍କୁ ୫୦ଟି ପ୍ରଶ୍ନ ଦିଆଯିବ ଏବଂ ସେମାନେ ୪୦ଟି ଉତ୍ତର ଦେବେ। ସେପ୍ଟେମ୍ବର ତୃତୀୟ ସପ୍ତାହରେ ପରୀକ୍ଷା ଆରମ୍ଭ ହୋଇ ମାସ ଶେଷ ସୁଦ୍ଧା ପରୀକ୍ଷା ସରିବ ବୋଲି ଉତ୍କଳ ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ ମାଝୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧୀନ ୟୁଜି, ପିଜି ଓ ସେଲ୍ଫ ଫାଇନାନ୍ସିଂ ପାଠ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସେପ୍ଟେମ୍ବର ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନ୍‌ରେ ଅନୁଷ୍ଠିତ ହେବ। ଗୋଟିଏ ଘଣ୍ଟାର ମଲ୍ଟିପୁଲ ଚଏସ୍‌ର ପରୀକ୍ଷା କରାଯିବ। ପ୍ରତି ପ୍ରଶ୍ନ ୨ମାର୍କ ବିଶିଷ୍ଟ ରହିବ। ଭୁଲ ଉତ୍ତର ଲାଗି କୌଣସି ନେଗେଟିଭ୍‌ ମାର୍କିଂ ରହିବ ନାହିଁ। କେଉଁଦିନ କେଉଁ ବିଷୟର ପରୀକ୍ଷା ଅନୁଷ୍ଠିତ ହେବ, ସେ ସମ୍ପର୍କରେ ଖୁବ୍‌ଶୀଘ୍ର ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର