ଓଏଫ୍‌ଏସ୍‌ ଅଧିକାରୀଙ୍କ ଆତ୍ମହତ୍ୟା ମାମଲା: ବାଧିଥିଲା ବାପା-ମା’ଙ୍କ ବିଚ୍ଛେଦ

ପ୍ରଧାନମନ୍ତ୍ରୀଙ୍କ ହାତରୁ ଗୋଲ୍ଡ ମେଡାଲ୍ ପାଇଥିଲେ

ଭୁବନେଶ୍ବର: ଓଏଫ୍ଏସ୍ ଅଫିସର ଅଭିଳାଷ ସ୍ବରୂପ ମହାପାତ୍ରଙ୍କ ବହୁଚର୍ଚ୍ଚିତ ଆତ୍ମହତ୍ୟା ପଛ‌ରେ ଛପି ରହିଥିବା ପାରିବାରିକ ବିବାଦର ଉଗ୍ର ରୂପ ପଦାକୁ ଆସିବାରେ ଲାଗିଛି। ବହୁ ଦିନ ଧରି ଘନୀଭୂତ ହୋଇ ଚାଲିଥିବା ପାରିବାରିକ କଳହ ଏକମାତ୍ର କାରଣ ‌ବୋଲି ସ୍ପଷ୍ଟ ହେବାରେ ଲାଗିଛି। ତେବେ ଗତ ୬ ମାସ ହେଲା ଅଭିଳାଷ ଓ ତାଙ୍କ ପତ୍ନୀ ପୁଣ୍ୟତୋୟାଙ୍କ ଭିତରେ ଥିବା ବିବାଦ ଅଧିକ ଘନେଇବାରେ ଲାଗିଥିବା ଜଣାପଡ଼ିଛି। ସେ ଘରକୁ ଯାଇ ବାପାମା’ଙ୍କୁ ଭେଟି ପାରୁନଥିବାବେଳେ ବାପାମା’ ତାଙ୍କ ପାଖକୁ ଭୁବନେଶ୍ବର ଆସିପାରୁନଥିବାର ଦୁଃଖ ତାଙ୍କ ମାନସିକ ଦୁଶ୍ଚିନ୍ତାର ମୁଖ୍ୟ କାରଣ ଥିଲା। ପୁଅ ପାଇଁ ପୂଜା କଲେ, ଅଥଚ ଜେଜେ ଓ ଜେଜେମାଙ୍କ ଆଶୀର୍ବାଦରୁ ପିଲାଟି ବଞ୍ଚିତ ହେଲା। ଏହା ତାଙ୍କୁ ବେଶ୍ ବାଧିଥିଲା ଓ ଏହା ହିଁ ତାଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଟ କଢ଼େଇଥିଲା ବୋଲି କୁହାଯାଉଛି।

ନୂଆଖାଇରେ ଶେଷ ଥର ପାଇଁ ଘରକୁ ଯାଇଥିଲେ
ବାପାମା’ଙ୍କୁ ଅଧିକ ଭଲ ପାଉଥିବା ଅଭିଳାଷ ବିବାହ ପରଠାରୁ ଏକ ପ୍ରକାର ସେମାନଙ୍କଠାରୁ ଦୂରେଇ ରହିଥିଲେ। ମଝିରେ ମଝିରେ ସେ ଟିଟିଲାଗଡ଼ ଯାଉଥିଲେ ବି ତାହା ବହୁ କମ୍ ଥିଲା। ଶେଷ ଥର ପାଇଁ ସେ ଗତ ନୂଆଖାଇରେ ପରିବାର ସହ ବଲାଙ୍ଗିର ଟିଟିଲାଗଡ଼ସ୍ଥିତ ଘରକୁ ଯାଇଥିଲେ। ସେଠାରେ ପୁରା ଧୂମ୍‌ଧାମ୍‌ରେ ଖୁସି ମନାଇଥିଲେ। ଏହା ପରେ ସେ ଇଛା କରି ମଧ୍ୟ ଟିଟିଲାଗଡ଼ ଯାଇ ପାରିନଥିଲେ। ପାରିବାରିକ ବିବାଦ ତାଙ୍କୁ ଭୁବନେଶ୍ବରରୁ ବାହାରକୁ ଯିବାକୁ ଦେଇନଥିଲା। ତେଣୁ ଦୀର୍ଘ କିଛି ବର୍ଷ ହେଲାଣି ସେ ବାପା-ମା’ଙ୍କଠାରୁ ଏକପ୍ରକାର ଦୂରେଇ ରହିଥିଲେ ଓ ଏହା ତାଙ୍କ ପାଇଁ ଏକ ଅସହ୍ୟ ବିଚ୍ଛେଦ ସଦୃଶ ଥିଲା।

ପ୍ରଧାନମନ୍ତ୍ରୀଙ୍କ ହାତରୁ ଗୋଲ୍ଡ ମେଡାଲ୍ ପାଇଥିଲେ
ଅଭିଳାଷଙ୍କ ବାପାଙ୍କ ସୂଚନାନୁସାରେ ଛୋଟବେଳୁ ଖୁବ୍ ମେଧାବୀ ଛାତ୍ର ଥିଲେ ଅଭିଳାଷ। ଟିଟିଲାଗଡ଼ରେ ଯୁକ୍ତ ଦୁଇ ଶେଷ କରିବା ପରେ ଓୟୁଏଟିରେ ୨୦୦୫-୦୬ ବ୍ୟାଚ୍‌ରେ କୃଷି ବିଜ୍ଞାନରେ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ୨୦୦୯ରେ ‌ସେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଥିଲେ। ମେଧାବୀ ଛାତ୍ର ହିସାବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ତାଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରିଥିଲେ। ସେହିଭଳି ଓୟୁଏଟିରେ ପଢ଼ୁଥିବା ତାଙ୍କ ବୋହୂ ମଧ୍ୟ ମେଧାବୀ ଛାତ୍ରୀ ହିସାବରେ ରାଜ୍ୟପାଳଙ୍କଠାରୁ ସ୍ବର୍ଣ୍ଣ ପଦକ ପାଇଥିଲେ ବୋଲି ସେ କହିଛନ୍ତି। ପଢ଼ୁଥିବାବେଳର ଭଲ ପାଇବାକୁ ନେଇ ସେମାନେ ୨୦୧୩ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବି ପରେ ସେମାନଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇଥିଲା। କୌଣସି କାରଣ ବାବଦରେ ସେ ମୁହଁ ଖୋଲି ନାହାନ୍ତି। ୨୦୧୭ରେ ଅଭିଳାଷ ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରେ ଚାକିରି ପାଇଥିଲେ ଓ ୨୦୧୯ରେ ଓଏଫ୍ଏସ୍(ଓଡ଼ିଶା ଫାଇନାନ୍ସ ସର୍ଭିସ୍) ପାଇଥିଲେ। ପୂଣ୍ୟତୋୟା ହର୍ଟିକଲଚର୍‌ ବିଭାଗରେ ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିଲେ।

ସମ୍ବନ୍ଧିତ ଖବର