ଓଏଫ୍ଏସ୍ ଅଫିସର୍‌ ଆତ୍ମହତ୍ୟା ମାମଲା : ଅଧାରୁ ଛାଡ଼ିଦେଲେ ଅଧୁରା ସଂସାର

ଭୁବନେଶ୍ବର : ସଂଘର୍ଷ କରି ସଫଳ ହୋଇଥିଲେ। ଜୀବନର ଲକ୍ଷ୍ୟ ଥିଲା ଓଡ଼ିଶା ସିଭିଲ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇବେ। ଓଡ଼ିଶା ଫାଇନାନ୍‌ସ ସର୍ଭିସ୍‌ (ଓଏଫ୍‌ଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଏହି ଲକ୍ଷ୍ୟ ହାସଲ କଲେ ମଧ୍ୟ। ତଥାପି ତାଙ୍କ ନିଜ ସଂସାର ଅଧୁରା ରହି ଯାଇଥିଲା। ଜୀବନର ଏହି ବଡ଼ ସଫଳତା ତାଙ୍କ ଅଧୁରା ସଂସାରରେ କିନ୍ତୁ ଶାନ୍ତି ଭରି ପାରିନଥିଲା। ବହୁ ପୂର୍ବରୁ ମନକୁ ପୋଡ଼ି ପକାଉଥିବା ପାରିବାରିକ ବିବାଦଜନିତ ଅଶାନ୍ତ ଅଗ୍ନିର ଏକ ବଡ଼ ସ୍ଫୁଲିଙ୍ଗ କ୍ଷଣକ ଭିତରେ ତାଙ୍କୁ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କଲା। ତେଣୁ ନୂଆ ଚାକିରି ଜୀବନ ଆରମ୍ଭ କରିବା ପୂର୍ବରୁ ନିଜ ଜୀବନଦୀପକୁ ନିଜ ହାତରେ ଲିଭାଇ ଦେଲେ। ତାଙ୍କ ଅଧୁରା ସଂସାରକୁ ସବୁ ଦିନ ପାଇଁ ଅଧା ରାସ୍ତାରେ ଛାଡ଼ିଦେଲେ। ଓଏଫ୍‌ଏସ୍‌ ଅଫିସର୍‌ ଅଭିଳାଷ ସ୍ବରୂପ ମହାପାତ୍ରଙ୍କ ଆତ୍ମହତ୍ୟା ପଛରେ ଥିବା ଏହି ରହସ୍ୟ ଉପରୁ ଆଜି ଏମିତି ଭାବେ ପରଦା ହଟାଇଛି ଖଣ୍ଡଗିରି ଥାନା ପୁଲିସ। ପାରିବାରିକ କଳହ ତାଙ୍କ ଆତ୍ମହତ୍ୟାର କାରଣ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ସ୍ବାମୀ-ସ୍ତ୍ରୀଙ୍କ ଭିତରେ କୁହୁଳୁଥିବା କଳହ ଉଗ୍ରରୂପ ଧାରଣା କରିବା ପରେ ଅଭିଳାଷ ଏଭଳି ନିଷ୍ପତ୍ତି ନେଇଥିବା ପୁଲିସ ଅନୁମାନ କରୁଛି।

ମିଳିଥିବା ସୂଚନା ଅନୁସାରେ, ଅଭିଳାଷଙ୍କ ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ। ତାଙ୍କ ପତ୍ନୀଙ୍କ ଘର ଜଗତ୍‌ସିଂହପୁରରେ। ୨୦୧୩ରେ ସେମାନଙ୍କ ପ୍ରେମ ବିବାହ ହୋଇଥିଲା। ବିବାହ ପରେ ଉଭୟ ଖଣ୍ଡଗିରି ଡୁମୁଡୁମାରେ ରହୁଥିଲେ। ଘରଟି ତାଙ୍କ ସ୍ତ୍ରୀ ପୁଣ୍ୟତୋୟା ପ୍ରିୟମ୍ବଦାଙ୍କ ବାପଘର ପକ୍ଷରୁ ମିଳିଥିଲା। ପୁଣ୍ୟତୋୟା ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ବେଳେ ଅଭିଳାଷ ଏକ ରାଷ୍ଟ୍ରାୟାତ୍ତ ବ୍ୟାଙ୍କରେ ପ୍ରବନ୍ଧକ ଭାବେ କାମ କରୁଥିଲେ। ସେମାନଙ୍କର ୬ ବର୍ଷର ଝିଅଟିଏ ଅଛି। ଅଢ଼େଇ ମାସ ତଳେ ସେମାନଙ୍କଠାରୁ ଏକ ଶିଶୁପୁତ୍ର ଜନ୍ମ ନେଇଥିଲା। ଗତ ୬ ମାସ ଧରି ଅଭିଳାଷଙ୍କ ବାପା-ମା’ ଭୁବନେଶ୍ୱର ଆସି ନଥିଲେ। ଏପରିକି ଶିଶୁପୁତ୍ରର ଏକୋଇଶିଆ ପୂଜାକୁ ମଧ୍ୟ ଆସି ନଥିଲେ। ପୂର୍ବରୁ ଅଭିଳାଷଙ୍କ ବାପା ମା’ ଓ ପରିବାରଲୋକଙ୍କ ଯିବା ଆସିବାରେ ହୁଏତ ତାଙ୍କ ପତ୍ନୀ ଖୁସି ନଥିଲେ, ଯାହାକୁ ନେଇ ଏଭଳି କଳହ ଲାଗି ରହୁଥିଲା ବୋଲି ପୁଲିସ ଅନୁମାନ କରୁଛି।

ପୁଲିସ୍‌ ସୂଚନ ଅନୁସାରେ, ଶନିବାର ସନ୍ଧ୍ୟାରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପ୍ରବଳ ଝଗଡ଼ା ଲାଗିଥିଲା। ଏହା ପରେ ଅଭିଳାଷ ନିଜ ବେଡ୍‌ ରୁମକୁ ଯାଇ ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। କିଛି ସମୟ ପରେ ପୁଣ୍ୟତୋୟା ତାଙ୍କୁ ଡାକିଥିଲେ ହେଁ ଅଭିଳାଷ କିଛି ଉତ୍ତର ଦେଇନଥିଲେ କି କବାଟ ଖୋଲି ନ ଥିଲେ। ସନ୍ଦେହ ହେବାରୁ ପୁଣ୍ୟତୋୟା ତଳମହଲାରେ ରହୁଥିବା ଭଡ଼ାଟିଆ ଓ ପଡ଼ୋଶୀଙ୍କ ସାହାଯ୍ୟରେ କବାଟ ଭାଙ୍ଗିଥିଲେ। କିନ୍ତୁ ସେତେବେଳକୁ ସବୁ ସରି ଯାଇଥିଲା। ତାଙ୍କ ଓଢ଼ଣୀରେ ବେକକୁ ବାନ୍ଧି ଅଭିଳାଷ ଫ୍ୟାନ୍‌ରେ ଝୁଲି ପଡ଼ିଥିଲେ। କାଳେ ବଞ୍ଚିଥିବେ ବୋଲି ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗୁରୁବାର ବାପାଙ୍କ ସହ କଥା ହୋଇଥିଲେ, ପୁଅ ପୂଜାରେ ନ ଆସିବାରୁ ମନଦୁଃଖ କରିଥିଲେ
ପ୍ରାୟ ଅଢ଼େଇ ମାସ ତଳେ ଜନ୍ମ ନେଇଥିବା ଶିଶୁପୁତ୍ର ପାଇଁ ଗତ ଗୁରୁବାର ଦିନ ପୂଜା ଅନୁଷ୍ଠିତ ହୋଇଥିଲା। କିନ୍ତୁ ୬ ମାସ ହେଲା ଯୋଗାଯୋଗରେ ନ ଥିବାରୁ ଅଭିଳାଷଙ୍କ ପରିବାରରୁ କେହି ପୂଜାରେ ସାମିଲ୍ ହୋଇନଥିଲେ। ସନ୍ଧ୍ୟାରେ ଅଭିଳାଷ ତାଙ୍କ ବାପାଙ୍କ ସହ ଫୋନରେ କଥାବାର୍ତ୍ତା ହୋଇଥିଲେ। ପୂଜାରେ କେହି ସାମିଲ ନ ହେବାରୁ ମନଦୁଃଖ କରିଥିଲେ ଅଭି​ଳାଷ। ବାପାଙ୍କୁ ବି ଏକଥା ଜଣାଇଥିଲେ। ନାତିକୁ ଆଶୀର୍ବାଦ ଦେଇ ନପାରି ତାଙ୍କ ବାପା ବେଶ୍ ମନ ଦୁଃଖ କରିଥିଲେ ଓ ସେହିଦିଠାରୁ ମନସ୍ତାପରେ ଥିଲେ। ପୁଲିସ ଅଭିଳାଷଙ୍କ ବାପାଙ୍କୁ ପଚାରିବା ପରେ ଏ କଥା ଜାଣିବାକୁ ପାଇଛି। ପୂଜାରେ ଅଭିଳାଷଙ୍କ ପରିବାରଲୋକ ଆସି ନ ଥିବାରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ମଧ୍ୟ ହୋଇଥିଲା। ଗତ ଶନିବାର କଳହ ଉଗ୍ରରୂପ ନେଇଥିଲା। ସନ୍ଧ୍ୟାରେ ପ୍ରବଳ ପାଟିତୁଣ୍ଡ ପରେ ଅଭିଳାଷ ଜୀବନ ହାରି ଦେବାକୁ ନିଷ୍ପତ୍ତି ନେଇଥିବା ପୁଲିସ ଅନୁମାନ କରୁଛି। ବାପା-ମା’ଙ୍କ ବିଚ୍ଛେଦ ତାଙ୍କୁ ବହୁ ପୂର୍ବରୁ ଗୋଳେଇ ଘାଣ୍ଟୁଥିବା ଜଣାପଡ଼ିଛି। ବାପା-ମା’ ଓ ସ୍ତ୍ରୀ ପିଲାଙ୍କୁ ନେଇ ଗଢ଼ିବାକୁ ବସିଥିବା ଏକ ସୁନ୍ଦର ଓ ପୂର୍ଣ୍ଣାଙ୍ଗ ସଂସାର ଅଧୁରା ରହିଯାଇଥିବାରୁ ସେ ଘୋର ମାନସିକ ଅବସାଦରେ ଥିବା ଜଣାପଡ଼ିଛି। ଅପରପେକ୍ଷ ଜୀବନ, ପ୍ରେମ, ଆଶା, ସମ୍ପର୍କ, ସଂଘର୍ଷକୁ ନେଇ ଅଭିଳାଷ ଗତ ୧୬ତାରିଖରେ ଫେସ୍‌ବୁକ୍‌ରେ ଏକ ଭାବାତ୍ମକ କବିତା ପୋଷ୍ଟ କରିଥିଲେ। ଉକ୍ତ କବିତା ତାଙ୍କ ଅଧୁରା ସଂସାରକୁ ନେଇ ଅନେକ କିଛି ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର