ଓଫ୍‌ସାର ୭ମ ବାର୍ଷିକ ସାଧାରଣ ପରିଷଦ ବୈଠକ : କର୍ପୋରେଟ୍‌ ଢାଞ୍ଚାରେ ଟାର୍ଗେଟ୍‌କୈନ୍ଦ୍ରିକ ହେବେ ଅଧିକାରୀ

ଭୁବନେଶ୍ବର : ବିଭାଗୀୟ ଅଧିକାରୀମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଅଧିକାରୀମାନଙ୍କ ଦକ୍ଷତା ଓ କର୍ତ୍ତବ୍ୟ ପରାୟଣତାକୁ ନେଇ ବିଭାଗ ଚଳଚଞ୍ଚଳ ହୋଇଥାଏ। ତେଣୁ କର୍ପୋରେଟ୍‌ ଢାଞ୍ଚାରେ ଅଧିକାରୀମାନଙ୍କୁ ଟାର୍ଗେଟ୍‌ ଦିଆଯିବ ଓ ସେମାନେ ସେହି ଧାର୍ଯ୍ୟ ପୂରଣ କରିବେ। ତୃଣମୂଳସ୍ତରରେ କେତେ ଅଗ୍ରଗତି ହେଉଛି, ସେହି ପରିସଂଖ୍ୟାନକୁ ନେଇ ଅଧିକାରୀମାନେ ଉତ୍ତରଦାୟୀ ରହିବେ। ବୁଧବାର ଶିରିପୁରସ୍ଥିତ ଇମେଜ୍ ପ୍ରେକ୍ଷାଳୟରେ ଓଡ଼ିଶା ଫିସରିଜ୍‌ ସର୍ଭିସେସ୍‌ ଆସୋସିଏସନ୍ (ଓଫ୍‌ସା)ର ସପ୍ତମ ସାଧାରଣ ପରିଷଦ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ଏହା କହିଛନ୍ତି। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ‘ବିଭାଗୀୟ ଉନ୍ନତି ପାଇଁ ରାଜନେତା ନା ଅଧିକାରୀମାନେ ଉତ୍ତରଦାୟୀ’ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏଭଳି ମତ ରଖିଥିଲେ।

ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଛି, ପ୍ରାୟ ୨୪୦ ପ୍ରତିଶତ ହାରରେ ରପ୍ତାନୀ ବୃଦ୍ଧି ପାଇଛି ଓ ମତ୍ସ୍ୟଚାଷୀମାନଙ୍କ ଆୟ ବଢ଼ିଛି। ଓଫ୍‌ସା ପକ୍ଷରୁ ଦିଆଯାଇଥିବା ଏଭଳି ପରିସଂଖ୍ୟାନକୁ ନେଇ ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ତଥାପି ଓଡ଼ିଶା ଗରିବ ଅପବାଦରୁ ମୁକ୍ତି ପାଇନାହିଁ। ଏଥିପାଇଁ କାହାକୁ ଦାୟୀ କରାଯିବ ବୋଲି ସେ ପ୍ରଶ୍ନ କରିଥିଲେ। ସାଧାରଣ ଭାବେ ରାଜନେତାମାନଙ୍କୁ ଦୋଷ ଦେଇ ଅଧିକାରୀମାନେ ଖସି ପାରିବେ ନାହିଁ ବୋଲି ସେ କହିଥିଲେ। ପ୍ରତି ମତ୍ସ୍ୟ ଅଧିକାରୀ ତୃଣମୂଳ ସ୍ତରରେ ଗୋଟିଏ ମତ୍ସ୍ୟ ସୋସାଇଟିକୁ ବଢ଼ାଇ ପାରି‌ଲେ ଯଥେଷ୍ଟ ହେବ ବୋଲି ସେ କହିଥିଲେ। ଯେଉଁ ଦିନ ରାଜ୍ୟର ୬ ଶହ ମତ୍ସ୍ୟ ସୋସାଇଟି ଶତ ପ୍ରତିଶତ ଉନ୍ନତି କରିବେ, ସେଦିନ ବୁଝାପଡ଼ିବ ପ୍ରକୃତରେ ଅଧିକାରୀମାନେ କେତେ ନିଷ୍ଠାର ସହ କାମ କରୁଛନ୍ତି। ଏଥିପାଇଁ ତୃଣମୂଳସ୍ତରରେ କାମ କରୁଥିବା ଅଧିକାରୀମାନଙ୍କ ମାନସିକତା ରହିବା ଉଚିତ୍ ବୋଲି ସେ ପରାମର୍ଶ ଦେଇଥିଲେ। ପରେ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ମତକୁ ସମର୍ଥନ କରି ମନ୍ତ୍ରୀ ଶ୍ରୀ ସାହୁ କହିଲେ, ରାଜ୍ୟରେ ମତ୍ସ୍ୟ ଚାଷର ଉନ୍ନତି ପାଇଁ ଅଧିକାରୀମାନେ ନୂତନ ଚିନ୍ତାଧାରା(ଇନୋଭେସନ୍‌) ସୃଷ୍ଟି କରିବା ସହ ଯୋଜନାରେ ରହୁଥିବା ତ୍ରୁଟିକୁ ସୁଧାରିବା ପାଇଁ ପରାମର୍ଶ ଦେବା ଉଚିତ୍ ଓ ‌ସେ ଏଭଳି ଚିନ୍ତାଧାରାକୁ ସବୁବେଳେ ସ୍ବାଗତ କରିବେ ବୋଲି ଆହ୍ବାନ ଦେଇଥିଲେ। ଅନ୍ୟତମ ଅତିଥି ବାରାକ୍‌ପୁର ସିଫ୍ରିର ନିର୍ଦେଶକ ବସନ୍ତ କୁମାର ଦାସ ଓଡ଼ିଶାରେ ମତ୍ସ୍ୟ ଚାଷର ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ। ଚିଲିକା ସୁଭଦ୍ରାପୁର ଅଞ୍ଚଳରେ ଥିବା ୧୬ ଶହ ଏକର ଜମିକୁ ନେଇ ଏକ ମତ୍ସ୍ୟଚାଷ କ୍ଲଷ୍ଟର ଗଢ଼ାଯିବା ପାଇଁ ଯୋଜନା କରାଯାଉଛି ‌ବୋଲି ସେ କହିଥିଲେ। ସେହିଭଳି ନୂତନ ଜ୍ଞାନ କୌଶଳ ପ୍ରୟୋଗ ବଳରେ ରାଜ୍ୟର ବିଭିନ୍ନ ଜଳଭଣ୍ଡାରରେ ମତ୍ସ୍ୟ ଚାଷ କରାଯିବା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି ବୋଲି ସେ ସୂଚାଇଥିଲେ।

ଏହି ଅବସରରେ ସଂଘ ପକ୍ଷରୁ ଏକ ପତ୍ରିକା ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ଓଫ୍‌ସାର ସଭାପତି ପ୍ରତାପ ରଂଜନ ରାଉତ, ସମ୍ପାଦକ ମଧୁମୟ ସାମଲ ଓ ଉପସଭାପତି ସୁରେଶଚନ୍ଦ୍ର ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିବାବେଳେ ଅନ୍ୟତମ ଅତିଥି ତଥା ଓଡ଼ିଶା ଫିସ୍‌ଫେଡ୍‌ର ସଭାପତି ଟି. ପ୍ରସାଦ ରାଓ ‌ଦୋରା ସାଙ୍ଗଠନିକ ନିର୍ବାଚନ ଉପରେ କହିଥିଲେ।

ସମ୍ବନ୍ଧିତ ଖବର