ଚନ୍ଦ୍ରଶେଖରପୁର: ଘରେ ଘରେ ବ୍ୟାପିଲାଣି ଚର୍ମରୋଗ। କାହାର ହାତରେ ତ କାହାର ଗୋଡ଼ରେ। ‌କାହାର ଫୋଟକା ତ ଆଉ କାହାର ଫଳି ଯାଇଛି। ଲୋକଙ୍କୁ ଦେଖିଲେ ଅଧିକାଂଶଙ୍କ ପାଦଠାରୁ ମୁହଁ ପର୍ଯ୍ୟନ୍ତ, ସବୁଟି କଳାଦାଗ। ଚିକିତ୍ସା ପାଇଁ ମେଡିକାଲ ଯାଉଛନ୍ତି। ଔଷଧ କିଣି ଖାଉଛନ୍ତି। ମାତ୍ର ସୁସ୍ଥ ହେଉ ନାହାନ୍ତି। ଏସବୁ ଗତ ୩ ମାସ ତଳୁ ପ୍ରବଳ ହେବାରେ ଲାଗିଛି। ଯେତେ ଔଷଧ ଖାଇଲେ, ମଲମ ଘସିଲେ ମଧ୍ୟ ଫୋଟକା କି ଚିହ୍ନ କିଛି ଯାଉନାହିଁ। ବୟସ୍କଠାରୁ ପିଲା ଯାଏ ସମସ୍ତଙ୍କଠାରେ ଏଭଳି ଲକ୍ଷଣ ଦେଖିବାକୁ ମିଳୁଛି। ବାରମ୍ବାର ମେଡିକାଲ ଦୌଡ଼ିବା ପରେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବାରୁ ହତାଶ ହୋଇ କେହି କେହି ଏହାକୁ ଗ୍ରହଣ କରି ନେଲେଣି ବା ହେୟଜ୍ଞାନ କଲେଣି। ଯେଉଁମାନଙ୍କ ଅର୍ଥିକ ସମ୍ବଳ ଭଲ ରହିଛି, ସେମାନେ ଅଧିକ ଚିକିତ୍ସା ପାଇଁ ବଡ଼ ବଡ଼ ଘରୋଇ ମେଡିକାଲରେ ଆଶ୍ରୟ ନେଇଛନ୍ତି।

Advertisment

ଇନ୍‌ଫୋସିସ୍‌ରେ ସବୁଜିମା ଭିତରେ ଅଳିଆ
ସବୁଜିମାର ବଳୟ ଭିତରେ ଗଦା ହେଉଛି ଅଳିଆର ପାହାଡ଼। ଦାରୁଠେଙ୍ଗ, ଗାଡକଣ ଡମ୍ପିଂୟାର୍ଡ ପରେ ଏବେ ସାମ୍‌ନାକୁ ଆସିଛି ଅଳିଆ ଗଦା ମାମଲାରେ ବିଏମ୍‌ସିର ଆଉ ଏକ ନୂଆ ‘କୀର୍ତ୍ତି’। ଇନଫୋସିସ୍‌ ଅଞ୍ଚଳରେ ଥିବା ଡିଏଲ୍‌ଏଫ୍‌ ବିଲଡିଂ ସମ୍ମୁଖ ସବୁଜିମା‌ ପରିବେଶରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ରହିଛି। ଦୂରରୁ ଦେଖିଲେ ଲାଗୁଛି ଯେମିତି ବିଏମ୍‌ସି ଏଠାରେ ଏକ ଡମ୍ପିଂୟାର୍ଡ ପ୍ରତିଷ୍ଠାର ସ୍ୱପ୍ନ ଦେଖୁଛି! ଆବାସିକ ଅଞ୍ଚଳଠାରୁ ଟିକେ ଦୂରରେ ଚନ୍ଦକା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟରେ ରହୁଥିବା ଏହି ଅଞ୍ଚଳକୁ ବିଏମସି ସହର ଭିତରର ଅଳିଆ ଆଣି ଜମା କରୁଥିବା ଲୋକେ ଅଭିଯୋଗ କରିଛନ୍ତି।

ସୈନକ ସ୍କୁଲ ପଛପାର୍ଶ୍ବରେ ବିଏମ୍‌ସି ପକ୍ଷରୁ କରାଯାଇଥିବା ଟିଟିଏସ୍‌କୁ ଲାଗି ରହୁଥିବା ଧିରିକୁଟି ବସ୍ତିବାସିନ୍ଦାଙ୍କ ଅବସ୍ଥା ଏବେ ଏମିତି। ଚର୍ମରୋଗ ବ୍ୟାପୁଥିବାରୁ ଲୋକଙ୍କ ମଧ୍ୟରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହେଲାଣି। ମାସ ମାସ ଧରି ଶତାଧିକ ଲୋକେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କୌଣସି ଅଧିକାରୀ କିମ୍ବା ଡାକ୍ତର ଏବେ ସୁଦ୍ଧା ସେମାନଙ୍କ ନିକଟରେ ପହଞ୍ଚି ନାହାନ୍ତି। ପାଖରେ ଥିବା ବିଏମ୍‌ସି ଅଳିଆ ଗଦା ଯୋଗୁଁ ଏହି ଅଞ୍ଚଳର ସ୍ଥିତି ଏପରି ହୋଇଥିବା ଏବଂ ତାହା ଦିନକୁ ଦିନ ଆହୁରି ବିଗିଡ଼ି ଚାଲିଥିବା ଅଭିଯୋଗ ହେଉଛି। ତେଣୁ ଆଞ୍ଚଳିକ ସୁରକ୍ଷା ମଞ୍ଚର ସଦସ୍ୟମାନେ ଆଜି ବସ୍ତିରେ ପହଞ୍ଚି ଲୋକଙ୍କୁ ଚର୍ମରୋଗ ପ୍ରତିକାରକ ମଲମ ବାଣ୍ଟି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ମଲମକୁ କିଭଳି ଓ କେଉଁ ସମୟରେ ଲଗାଇବେ ସେ ନେଇ ସେମାନେ ଲୋକଙ୍କୁ ସଚେତନ କରାଇଛନ୍ତି। ସେପଟେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅଳିଆ ଆବର୍ଜନାର ନର୍କ ଯନ୍ତ୍ରଣାରୁ ମୁକ୍ତି ଦେବା ସହ ଯଥା ଡମ୍ପିଂୟାର୍ଡକୁ ତୁରନ୍ତ ସ୍ଥାନାନ୍ତର କରିବାପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେମାନଙ୍କ କହିବା କଥା ହେଉଛି ଯେ ବର୍ଷ ବର୍ଷ ଧରି ଯନ୍ତ୍ରଣାରେ ସେମାନେ ଛଟପଟ ହେଉଛନ୍ତି। ବଡ଼ ସ୍ବପ୍ନ ଦେଖାଇ ବିଏମ୍‌ସି ଅଧିକାରୀମାନେ ସେମାନଙ୍କୁ ଠକି ଦେଇଛନ୍ତି। ସେମାନଙ୍କୁ ନ୍ୟାୟ ମିଳିପାରି ନାହିଁ। ଘର ମିଳିବା ଦୂରର କଥା, ଏପର୍ଯ୍ୟନ୍ତ ମୌଳିକା ସୁବିଧା ଉପଲବ୍ଧ କରାଯାଇ ନାହିଁ। ତା’ ସାଙ୍ଗକୁ ବିଏମ୍‌ସିର ଡର୍ମ୍ପିଂୟାର୍ଡ ଏବେ ନିଦ ହଜାଇ ଦେଲାଣି। ଦିନ କିମ୍ବା ରାତି କେତେବେଳେ ବି ଘର ବାହାରେ ରହି ହେଉ ନାହିଁ। ଜୁଲାଇ ମାସଠାରୁ ହାତ ଗୋଡ଼ ଫଳି ଯାଉଛି। ଯେତେ ଚିକିତ୍ସା କଲେ ମଧ୍ୟ ଭଲ ହେଉନି।

publive-image

ସେପଟେ ଏହି ଡମ୍ପିଂୟାର୍ଡକୁ ନେଇ ଓଡ଼ିଶା ମାନବାଧିକାର କମିସନ(ଓଏଚ୍‌ଆର୍‌ସି)ଙ୍କ ନିକଟରେ ମାମଲା ପହଞ୍ଚିଛି। ଦୁର୍ଗନ୍ଧ ଦ୍ବାରା ଲୋକଙ୍କ ମାନବାଧିକର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ରେଲୱେ କଲୋନିର ଜଣେ ବ୍ୟକ୍ତି ଗତ ଜୁଲାଇ ମାସରେ ଓଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାର ସମ୍ବେଦନତାକୁ ଦୃଷ୍ଟିରେ ରଖି ଓଏଚ୍‌ଆର୍‌ସି, ବିଏମ୍‌ସିଠାରୁ ରିପୋର୍ଟ ତଲବ କରିଛନ୍ତି। ଡିସେମ୍ବର ୧୧ ସୁଦ୍ଧା ଏନେଇ ରିପୋର୍ଟ ଦେବାକୁ ଶୁଣାଣି ସମୟରେ କୁହାଯାଇଛି। ଡିସେମ୍ବର ୧୪ରେ ଏହାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ ହୋଇଛି। ସେହିପରି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସ୍‌ପିସିବି)କୁ ମଧ୍ୟ ତଦନ୍ତ କରି ନଭେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଓଏଚ୍‌ଆର୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ଦ୍ଦେଶ ପାଇବା ପରେ ଓଏସ୍‌ପିସିବିର ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏବେ ଆଇନର ତର୍ଜମା ଚାଲିଛି। କିଭଳି ଭାବେ ତଦନ୍ତ କରାଯିବ, ଆଇନ ପରାମର୍ଶଦାତାଙ୍କ ସହ ଅଧିକାରୀମାନେ ଆଲୋଚନା ଚଳାଇଛନ୍ତି। ନିଜେ କିମ୍ବା ବିଏମ୍‌ସିର ମିଳିତ ସହଯୋଗରେ ତଦନ୍ତ କରାଯିବ ସେନେଇ ଅନୁଧ୍ୟାନ କରାଯାଉଛି। ଚଳିତ ସପ୍ତାହ ସୁଦ୍ଧା ଓଏସ୍‌ପିସିବିର ଏକ ପ୍ରତିନିଧି ଦଳ ଘଟଣା ସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।