ତୈଳଦର ବୃଦ୍ଧି ପ୍ରତିବାଦରେ ଯୁବ-ଛାତ୍ର ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ପ୍ରତିବାଦରେ ଯୁବ-ଛାତ୍ର ବିଜେଡି ପକ୍ଷରୁ ଶନିବାର ଭୁବନେଶ୍ୱରର ସମସ୍ତ ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣା ଦିଆଯାଇଛି। ଦଳର ଶତାଧିକ କର୍ମକର୍ତା ସକାଳ ୯ଟାରୁ ଦିନ ପ୍ରାୟ ୧୨ଟା ପର୍ଯ୍ୟନ୍ତ ପେଟ୍ରୋଲ ପମ୍ପଗୁଡ଼ିକ ଆଗରେ ଧାରଣା ଦେବା ସହ କେନ୍ଦ୍ର ସରକାରଙ୍କ ଅପରାଧିକ ମାନସିକତା ଉପରେ ଲୋକଙ୍କୁ ସଚେତନ କରାଇଥିଲେ। ଦଳର ଅଭିଯୋଗ ଅନୁଯାୟୀ, ୨୦୧୩ରୁ ଆଜି ପର୍ଯ୍ୟନ୍ତ ୪ ବର୍ଷ ମଧ୍ୟରେ ତୈଳ ଦର ବୃଦ୍ଧି ସର୍ବକାଳୀନ ରେକର୍ଡ କରିଛି। ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ଏହି ଦରବୃଦ୍ଧି ଭାରତ ଅର୍ଥନୀତିକୁ ପ୍ରଭାବିତ କରିଛି। ୨୦୧୪ରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ପେଟ୍ରୋଲ ଲିଟର ଉପରେ ୯ଟଙ୍କା ୨୦ ପଇସା ଥିବା ବେଳେ ୨୦୧୮ରେ ୨୦୦ ପ୍ରତିଶତ ବୃଦ୍ଧି ପାଇ ୧୯ ଟଙ୍କା ୪୮ ପଇସାରେ ପହଞ୍ଚିଛି। ଡିଜେଲ୍‌ ଉପରେ ଏହି ଶୁଳ୍କ ୩ଟଙ୍କା ୪୬ରୁ ୫୦୦ ପ୍ରତିଶତ ବୃଦ୍ଧି ପାଇ ୧୫ଟଙ୍କା ୩୩ ପଇସାରେ ପହଞ୍ଚିଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଦାୟ ହେଉଥିବା ଏହି ତୈଳ ଉପରେ ବହିଃଶୁଳ୍କ ୨.୫ ପ୍ରତିଶତ ରହିଥିବା ବେଳେ ମେଟ୍ରିକ ଟନ୍‌ ପିଛା ଅଶୋଧିତ ତୈଳ ଉପରେ ମଧ୍ୟ କେନ୍ଦ୍ର ସରକାର ୫୦ ଟଙ୍କା ରାଷ୍ଟ୍ରୀୟ ଆକସ୍ମିକ ବିପର୍ଯ୍ୟୟ ଶୁଳ୍କ ବାବଦକୁ ନେଉଛନ୍ତି। ୨୦୧୫ ମସିହାରେ ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ପେଟ୍ରୋଲ ଦର ୨୦୧୬ରେ ବ୍ୟାରେଲ ପିଛା ୨୮.୮୪ ଡଲାର ଖସିଥିଲେ ମଧ୍ୟ କେନ୍ଦ୍ର ସରକାର ଏଥିରୁ ସାଧାରଣ ଲୋକଙ୍କୁ ବଞ୍ଚିତ କରିଥିଲେ। କେନ୍ଦ୍ର ସରକାର ଟିକସ ଜାଲରେ ସାଧାରଣ ଜନତାଙ୍କୁ ପକାଇ ହନ୍ତସନ୍ତ କରୁଛନ୍ତି। ସେହିପରି କେନ୍ଦ୍ର ଭାଟ କମାଇବା ପାଇଁ ରାଜ୍ୟ ସରକାରଙ୍କୁ କହୁଥିଲେ ମଧ୍ୟ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଯଥେଷ୍ଟ କମ୍‌ ରହିଛି। କିନ୍ତୁ ଓଡ଼ିଶାରେ ତୈଳଦର ଅହେତୁକ ଭାବେ ବୃଦ୍ଧି ପାଉଛି। ତେଣୁ କେନ୍ଦ୍ର ସରକାରଙ୍କର ଏହି ମାନସିକତା ବିରୋଧରେ ଲଢ଼େଇ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର