ଗଣେଶପୂଜା ଭସାଣିରେ ଦୁଲୁକିବ ପୁରୁଣା ଭୁବନେଶ୍ବର

ପୁରୁଣା ଭୁବନେଶ୍ୱର: ଆସୁଛି ଗଣେଶ ପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ତେବେ ସ୍ଥାନୀୟ ଅଞ୍ଚଳର ଯମେଶ୍ବର ପାଟଣାସାହିର ପ୍ରସିଦ୍ଧ ବୁଢ଼ା ଗଣେଶ ପୂଜା ପାଇଁ ଚଳିତ ବର୍ଷ ସ୍ବତନ୍ତ୍ର କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ଚଳିତବର୍ଷ ଏଠାରେ ଶ୍ରୀଗଣେଶଙ୍କ ୧୪ ଫୁଟ୍ ଉଚ୍ଚତାର ମୂର୍ତ୍ତି ତିଆରି ହେଉଛି। ସ୍ଥାନୀୟ ଅଞ୍ଚଳର ଯୁବକମାନେ ପରମ୍ପରା ଅନୁଯାୟୀ, ଦୀର୍ଘ ୪୭ବର୍ଷ ହେଲା ଏଠାରେ ଗଣେଶ ପୂଜା କରୁଛନ୍ତି। ଆୟୋଜକ ବାବୁ ଖୁଣ୍ଟିଆଙ୍କ କହିବା ଅନୁଯାୟୀ, ଉକ୍ତ ପୂଜା ମଣ୍ଡପର ମୁହଁ ପୂର୍ବ ଦିଗକୁ ଥିବାରୁ ପୂଜା କାର୍ଯ୍ୟ କେବେ ବାଧାପ୍ରାପ୍ତ ହୁଏ ନାହିଁ। ଚଳିତ ବର୍ଷ ଭସାଣ ଉତ୍ସବ ପାଇଁ ଡିଜେ, ବ୍ୟାଣ୍ଡପାର୍ଟି, ଜଟଣୀ ବାଜା, ସମ୍ବଲପୁର ମର୍ଦଳ, ସମ୍ବଲପୁରୀ ବାଜା, ଘଣ୍ଟ, ଘୋଡ଼ା, ହାତୀ, ପଞ୍ଜାବୀ ବାଜା, କଟକ ଲାଇଟ୍ ଗେଟ୍ ଆଣିବା ପାଇଁ ଯୋଜନା ରହିଛି ବୋଲି ଶ୍ରୀ ଖୁଣ୍ଟିଆ କହିଛନ୍ତି। ଭସାଣ ବେଳେ ରାସ୍ତାରେ ଠାକୁରଙ୍କ ମେଢ଼ରେ ବିଦ୍ୟୁତ ତାର ବାଜୁଥିବାରୁ ଚଳିତ ବର୍ଷ ମୂର୍ତ୍ତିର ଉଚ୍ଚତା ୧୬ ଫୁଟ ବଦଳରେ ୧୪ ଫୁଟ କରାଯାଇଛି ବୋଲି ମୋହନ ପ୍ରଧାନ କହିଛନ୍ତି। ଅପରପକ୍ଷରେ ମୂର୍ତ୍ତିରେ ଲାଗୁଥିବା ମେଢ଼କୁ ସଭ୍ୟମାନେ ନିଜେ ତିଆରି କରିଥାନ୍ତି।

ସେହିପରି ପୁରୁଣା ଭୁବନେଶ୍ବର ବଡ଼ୁ ସାହିରେ ପୂଜା ପ୍ରସ୍ତୁତି ଚାଲିଛି। ଏଠାରେ ୧୮ ଫୁଟ୍‌ ମୂର୍ତ୍ତି ତିଆରି ହୋଇ ପୂଜା ହେବ। ସେହିପରି ପୂଜା ଓ ବିସର୍ଜନ ଅତି ଆଡ଼ମ୍ବର ସହକାରେ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି। ତିନିମୁଣ୍ଡିଆ ବା କପାଳି ଛକ ନିକଟରେ ୮ଫୁଟ୍‌ର ମୂର୍ତି ହେବା ସହ ପୂଜା ଓ ବିସର୍ଜନକୁ ଅଧିକ ଆକର୍ଷଣୀୟ କରାଯିବ ବୋଲି କୁହାଯାଇଛି।

ବଡ଼ଗଡ଼ରେ ୫୧ ଫୁଟ୍‌ର ଗଣେଶ

ବଡ଼ଗଡରେ ଚଳିତ ବର୍ଷ ରାଜଧାନୀର ସବୁଠୁ ବଡ଼ ଗଣେଶ ହେବ। ଏଥିପାଇଁ ୫୧ ଫୁଟ୍‌ ଉଚ୍ଚର ଗଣେଶ ମୂର୍ତି ତିଆରି ଚାଲିଛି। ୧୯୮୫ ମସିହାରୁ ଏହି ପୂଜା ହୋଇଆସୁଛି। ବଡ଼ଗଡ଼ ଅଞ୍ଚଳର ବ୍ରାଇଟ୍ ଷ୍ଟାର୍ ୟୁଥ୍ ଆସୋସିଏସନ୍‌ର ସମ୍ପାଦକ ସଂଗ୍ରାମ ମାର୍ଥା କୁହନ୍ତି ପ୍ଲାଷ୍ଟର ଅଫ ପ୍ୟାରିସ, ବାଉଁଶ ଓ ସୋଲ ବ୍ୟବହାର କରି ମୂର୍ତ୍ତି କାର୍ଯ୍ୟ ହେଉଛି। କେବଳ ମୂର୍ତ୍ତି ନୁହେଁ ଲଡୁ ଓ ମୂଷା ମଧ୍ୟ ଆକର୍ଷଣୀୟ ଢଙ୍ଗରେ କରାଯାଉଛି ବୋଲି କ୍ଲବ ପକ୍ଷରୁ କୁହାଯାଇଛି। ଜଟଣୀର କାରିଗର ଏଥିରେ ନିୟୋଜିତ ଅଛନ୍ତି। ଠାକୁରଙ୍କ ପାଇଁ ୫୦କେଜିର ଲଡ଼ୁ ତିଆରି କରାଯାଉଛି। ଏଥିସହ ୬ଫୁଟ୍ ଉଚ୍ଚତାର ମୂଷା ମଧ୍ୟ ଗଢ଼ାଯାଉଛି। ପୂଜା ସମୟରେ ୪ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୀନାବଜାର ପଡ଼ିବ। ଚଳିତ ବର୍ଷ ମେଢ଼, ଆଲୋକ ସଜ୍ଜା ଓ ଭସାଣି ପାଇଁ ୧୨ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି।

ସମ୍ବନ୍ଧିତ ଖବର