ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ଦେଇ ଯାଇଥିବା ୭ ନମ୍ବର ଡ୍ରେନ୍‌ ପାଇଁ ବଡ଼ ସମସ୍ୟା ସୃଷ୍ଟି ହେଲାଣି। ଲିଙ୍ଗରାଜ ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ଏହି ଡ୍ରେନ୍‌ କାମ ଅଧାରେ ଅଟକିଛି। ୨ ବର୍ଷରୁ ଅଧିକ ସମୟ ହେଲାଣି ୭ ନମ୍ବର ଡ୍ରେନ୍ ପ୍ରସାରଣ କାମ ଶେଷ ହେଉନାହିଁ। ଯେଉଥଁପାଇଁ ୨ ବର୍ଷ ହେବ ବର୍ଷା ଦିନରେ ପୁରୁଣା ଭୁବନେଶ୍ବର ଅଞ୍ଚଳ ବୁଡ଼ିବା ସହ ମୁକୁଳା ଡ୍ରେନ୍‌ ପାଇଁ ଭୟ ସୃଷ୍ଟି ହେଉଛି। 

Advertisment

ବରମୁଣ୍ଡାରୁ ବାହାରିଥିବା ୭ ନମ୍ବର ଡ୍ରେନ୍‌ରେ ପୁରୁଣା ଭୁବନେଶ୍ବର ଅଞ୍ଚଳର ଅଧିକାଂଶ ଛୋଟ ବଡ଼ ଡ୍ରେନ୍‌ ସଂଯୋଗ ହୋଇଛି। ବଡ଼ ଡ୍ରେନ୍‌ ବରମୁଣ୍ଡା ଅଞ୍ଚଳରୁ ବାହାରି ନବୀନନିବାସ ପଛପଟ ଦେଇ ବ୍ୟାଙ୍କ କଲୋନି ଓ ବାରିକସାହି ମଝି ଦେଇ ରଥରୋଡ୍‌ର ଅସୁଲକିଆରୀଠାରେ ରାସ୍ତା ପାର ହୋଇଛି। ଏହାପରେ କେଦାରଗୌରୀ ଛକ, କୋଟିତୀର୍ଥ ରୋଡ୍‌, ଲୁଇସ୍ ରୋଡ୍‌ ଦେଇ ଗଙ୍ଗୁଆ ନାଳରେ ମିଶିଛି। କିନ୍ତୁ ବର୍ଷ ବର୍ଷ ଧରି ଏହି ଡ୍ରେନ୍‌କୁ ଭଲ ଭାବେ ସଫା କରାଯାଉନାହିଁ। ରେଲୱେ କଲଭର୍ଟଠାରୁ ରଥ ରୋଡ୍‌ ପର୍ଯ୍ୟନ୍ତ ଏକ ବିରାଟ ଅଞ୍ଚଳ ଡ୍ରେନ୍‌ ପାଣିରେ ବର୍ଷ ସାରା ବୁଡ଼ି ରହୁଛି। ଗତବର୍ଷ ବଡ଼ ବର୍ଷାରେ ବ୍ୟାଙ୍କ କଲୋନିରେ ପ୍ରାୟ ୮ ଫୁଟ ଉଚ୍ଚର ଡ୍ରେନ୍‌ ପାଣି ଲୋକଙ୍କ ଘରେ ପଶିଥିଲା। ରଥ ରୋଡ୍‌ରେ କଲର୍ଭଟ କାମ ସରିଛି। ହେଲେ ଲିଙ୍ଗରାଜ ପ୍ରକଳ୍ପ ଅଧୀନରେ ରଥ ରୋଡ‌୍‌ରୁ ସାନିଟାରିୟମ ଛକ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା ପାଇଁ ଡ୍ରେନ୍‌କୁ ସଙ୍କୁଚିତ କରିବା ସହ ଗତିପଥ ବଦଳାଯାଇଛି। ସାନିଟାରିୟମ୍‌ ଛକରୁ ବିନ୍ଦୁସାଗର ଯାଏ ଡ୍ରେନ୍‌ ମୁକୁଳା ରହିବା ସହ ଏଠି ଡ୍ରେନ୍‌ର ଚଉଡ଼ା ବହୁତ କମ୍‌ ରହିଛି। 

ସେହିପରି ବିନ୍ଦୁସାଗର ନିକଟରେ ତାଳେଶ୍ବରରୁ କୋଟିତୀର୍ଥେଶ୍ବର ବକ୍ସ ଡ୍ରେନ୍‌ କାମ କରାଯାଉଛି। ଯେଉଁଠି ତଳେ ଡ୍ରେନ୍‌ ପାଣି ଯିବ ଓ ଉପରେ ରାସ୍ତା ନିର୍ମାଣ କରାଯିବ। କିନ୍ତୁ ଏ କାମ ବି ଅଧାରେ ପଡ଼ିଛି। ରାସ୍ତା କଡ଼ରେ ମୁକୁଳା ଡ୍ରେନ୍‌ ଆଁ କରିଛି। ବିପଦଜନକ ଭାବେ ଲୁହା ଛଡ଼ ବାହାରିଛି। ଠିକ୍‌ ଭାବେ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ ଏବଂ ବିଭିନ୍ନ ଅଞ୍ଚଳ ବୁଡ଼ୁଛି। ସାମାନ୍ୟ ବର୍ଷା ହେଲେ ପୁରୁଣା ଭୁବନେଶ୍ବର ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଉଛି। ରଥ ରୋଡ୍‌, ବ୍ୟାଙ୍କ୍ କଲୋନିଠାରୁ ଆରମ୍ଭ କରି ଶ୍ରୀରାମନଗର ଛକ ଭଳି ବିଭିନ୍ନ ସ୍ଥାନରେ ପାଣି ଜମୁଥିବାରୁ ଲୋକେ ଦୟନୀୟ ଅବସ୍ଥା ଭୋଗୁଛନ୍ତି। ବର୍ଷା ଦିନେ ନର୍ଦ୍ଦମା ପାଣି ଘରେ ପଶୁଥିବାରୁ ପୁରୁଣା ଭୁବନେଶ୍ବରବାସୀ ତ୍ରାହି ତ୍ରାହି ଡାକୁଛନ୍ତି। ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ହିନସ୍ତା ହେଉଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ବିବେକାନନ୍ଦ ମାର୍ଗରେ ଅଧାଗଢ଼ା ଡ୍ରେନ୍‌
ପୁରୁଣା ଭୁବନେଶ୍ବର ସାନିଠାରିୟମ ଛକରୁ ମାଉସୀ ମା' ଛକ ପର୍ଯ୍ୟନ୍ତ ଚାଲିଥିବା ଡ୍ରେନ୍‌ କାମ ସରୁନାହିଁ। ପ୍ରାୟ ବର୍ଷେ କାମ ଚାଲିଥିଲେ ସୁଦ୍ଧା ଏବେ ପର୍ଯ୍ୟନ୍ତ ମାତ୍ର ୬୦ ପ୍ରତିଶତ କାମ ସରିଛି। ଡ୍ରେନ୍‌ କାମ ପାଇଁ ରାସ୍ତା ନଷ୍ଟ ହୋଇଛି। ଅନ୍ୟପଟେ ସାନିଟାରିୟମ ଛକ ଟର୍ଣ୍ଣି ନିକଟରେ ଅସମ୍ପୂର୍ଣ୍ଣ ଡ୍ରେନ୍‌ ମିକୁଳା ପଡ଼ିଛି। ସେହିପରି ଏବେ କାମ ଅଧା ହୋଇଥିବାରୁ ମଝିରେ ମଝିରେ ଡ୍ରେନ୍‌ ସଂଯୋଗ ନହୋଇ ମୁକୁଳା ପଡ଼ିଛି। ବିବେକାନନ୍ଦ ମାର୍ଗରେ ସାମାନ୍ୟ ବର୍ଷା ହେଲେ ପାଣି ଚାଲି ଯାଉଥିଲା। ହେଲେ ବଡ଼ ବର୍ଷା ହେଲେ ରାସ୍ତା ଉପରେ ପାଣି ଲହଡ଼ା ମାରୁଥିଲା। ସେଥିପାଇଁ ଏହି ୯୦୦ ମିଟର ରାସ୍ତା କଡ଼ରେ ୨ କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ବିଏମ୍‌ସି ଡ୍ରେନ୍‌ ନିର୍ମାଣ ପାଇଁ ଟେଣ୍ଡର ଦେଇଛି। ହେଲେ ବର୍ଷେ ହେବ କାମ ସରୁନାହିଁ। ଏବେ ମଧ୍ୟ ରାମକୃଷ୍ଣ ମଠରୁ ମାଉସୀ ମା’ ଛକ ପର୍ଯ୍ୟନ୍ତ କାମ ବାକି ଅଛି। ସ୍ବରେଜ୍‌ ଓ ବିଦ୍ୟୁତ୍‌ ଖୁଣ୍ଟ ସ୍ଥାନାନ୍ତର ବିଳମ୍ବ ସହ ଠିକାଦାରର ମନ୍ଥର କାମ ପାଇଁ ଏଥର ବର୍ଷାରେ ବଡ଼ ସମସ୍ୟା ଦେଖାଦେବ।