ପୁରୁଣା ଭୁବନେଶ୍ୱର: ୫୦ବର୍ଷ ତଳର ପୁରୁଣା ଭୁବନେଶ୍ବର ଓ ଆଜିର ପୁରୁଣା ଭୁବନେଶ୍ବର ମଧ୍ୟରେ ଆକାଶପାତାଳ ପାର୍ଥକ୍ୟ। ରାସ୍ତାଘାଟରୁ ଆରମ୍ଭ କରି କୋଠାବାଡ଼ି ସବୁଥିରେ ବହୁ ପରିବର୍ତ୍ତନ ହୋଇଛି। ବହୁ ପରିମାଣରେ ବଦଳିଯାଇଛି ପୁରୁଣା ଭୁବନେଶ୍ବରର ଚେହେରା। କିନ୍ତୁ ବୁଲୁ ନନାଙ୍କ ବରା ଦୋକାନର ୫୦ବର୍ଷ ତଳର ଚେହେରା ସେମିତି ଅଛି, କିଛି ବି ବଦଳି ନାହିଁ। ସେଇ ଚାଳଘର(ଚାଳିଆ), ସେଇ କାଠଚୁଲି ଓ ସୁଆଦିଆ ବରାର ସେଇ ପୁରୁଣା ମହକ ଅଛି। ବଦଳିଛି କେବଳ ଦର। ୧୦ପଇସାରୁ ବଢ଼ିବଢ଼ି ବରା ଗୋଟାକର ଦାମ୍‌ ୨ଟଙ୍କାରେ ପହଞ୍ଚିଛି। କେବଳ ସେତିକି ନୁହେଁ, ଏହି ଚାଳିଆ ଦୋକାନର ବରା ଖୋଜୁଥିବା ଗରାଖ ସଂଖ୍ୟା ବି ବଦଳିଛି। ଦିନକୁ ଦିନ ଗରାଖ ସଂଖ୍ୟା ବଢ଼ୁଛି। ଦିନେ ଦୋକାନ ଆଗରେ ଗରାଖଙ୍କ ସାଇକେଲ ଜମା ହେଉଥିଲା, ଆଜି କାର୍‌ରେ ଆସୁଥିବା ଗରାଖଙ୍କ ଭିଡ଼ ଲାଗୁଛି।     

Advertisment

ସ୍ଥାନୀୟ ଶ୍ରୀରାମନଗରରେ ଅଛି ବୁଲୁ ନନାଙ୍କ ବରା ଦୋକାନ। ତାଙ୍କର ପ୍ରକୃତ ନାଁ ଦିଲୀପ କୁମାର ମଲ୍ଲିଆ, ମାତ୍ର ତାଙ୍କୁ ସମସ୍ତେ ବୁଲୁ ନନା ନାଁରେ ଜାଣନ୍ତି। ବରା ପାଇଁ ବୁଲୁ ନନା ପ୍ରସିଦ୍ଧ। ଭଲ ବିରି, ପିଆଜ, କଞ୍ଚା ଲଙ୍କା, ଗୋଟା ଜିରା ଓ ଭୃଶୁଙ୍ଗା ପତ୍ର ପଡ଼ିଥିବା ବରା ବାସ୍ନା ଆଜି ବି ଗରାଖଙ୍କୁ ଟାଣିଆଣୁଛି। ତତଲା ତେଲ କଡ଼େଇରେ ବରା ପଡ଼ିଥିବା ବେଳେ ବାସ୍ନା ଭାସିଯାଏ ରାସ୍ତାକୁ। ନ ଖାଇବା ଲୋକ ବି ଟାଣି ହୋଇଯାଆନ୍ତି ଚାଳିଆ ଭିତରକୁ। ତେଣୁ କଡ଼େଇରୁ ବରା ବାହାରିବା ବେଳକୁ ଗରାଖଙ୍କ ହାତ ଲମ୍ବିଯାଏ ବୁଲୁ ନନାଙ୍କ ପାଖକୁ। ବରାରୁ ଗରମ ବାମ୍ଫ ବାହାରିବା ବନ୍ଦ ହେବା ପୂର୍ବରୁ ପସରା ଖାଲି। ଯେତିକି ଗରାଖ ଚାଳିଆରେ ବସି ଖାଆନ୍ତି, ସେତିକି ଘରକୁ ପାର୍ସଲ୍‌ରେ ବୋହି ନିଅନ୍ତି। ସକାଳେ ଯେମିତି ବେପାର, ସଂଜରେ ବି ସେମିତି। ବୁଲୁ ନନା ବରା ସହିତ ପକୁଡ଼ି ଓ ଭୁଗୁନି କରନ୍ତି। ସବୁ ସୁଆଦିଆ। କିନ୍ତୁ ବରା ପାଇଁ ବୁଲୁ ନନାଙ୍କ ନାଁ ଅଛି।    

ଛୋଟ ଚାଳିଆଟିରେ ଚାଲିଥିବା ବୁଲୁ ନନାଙ୍କ ଦୋକାନ ତାଙ୍କ ସଂସାରର ବୋଝ ବୋହୁଛି ଆଜି ଯାଏ। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ କୃପାରୁ କେବେ ଅସୁବିଧା ହୋଇନି। ଗରାଖଙ୍କ ଖୁସି ହିଁ ତାଙ୍କ ସମ୍ପତ୍ତି। ବରା ଭଲ ଲାଗୁଛି ବୋଲି ଦୂରରୁ ବି ଗରାଖ ତାଙ୍କ ପାଖକୁ ଆସୁଛନ୍ତି। ତେଣୁ ସେମାନେ ଖୁସିରେ ବିଦାହେଲେ, ତାଙ୍କୁ ଭଲ ଲାଗେ ବୋଲି ସେ କହନ୍ତି। ଦୈନିକ ୧୮ଶହରୁ ଦୁଇ ହଜାର ଟଙ୍କାର ବିକ୍ରିବଟା ହୁଏ। ସେଥିରୁ ୪/୫ ଶହ ଟଙ୍କା ଲାଭ ହୁଏ ‌ବୋଲି ସେ କହିଛନ୍ତି।