ପୁରୁଣା ଭୁବନେଶ୍ୱରରେ ବନ୍ଦର ମିଶ୍ରିତ ପ୍ରଭାବ

ପୁରୁଣା ଭୁବନେଶ୍ୱର: କଂଗେସ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ଓ ବିଜେପିର ହରତାଲ ପରିପ୍ରେକ୍ଷିରେ ସ୍ଥାନୀୟ ଅଞ୍ଚଳରେ ମିଶ୍ରିତ ପ୍ରଭାବ ପଡ଼ିଥିଲା। ବିଭିନ୍ନ ଦୋକାନ ବଜାର ବନ୍ଦଥିବା ବେଳେ ମନ୍ଦିରକୁ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିଲା। ସକାଳୁ ମନ୍ଦିରକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ଥିଲା। ତେବେ ଗତକାଲିଠୁ ରହିଥିବା ବହୁ ପର୍ଯ୍ୟଟକ କେଉଁଆଡ଼େ ଯିବା ଆସିବା କରିପାରିନଥିଲେ। ସକାଳ ପ୍ରାୟ ୮ଟାରେ ବିଜେପି କର୍ମିମାନେ ନୂଆଗାଁ ଛକ, ଆନିଆହାଉସ୍‌ ଛକ, ବଢ଼େଇବାଙ୍କ ଛକ, କଳ୍ପନା ଛକ, ପୋଖରିପୁଟ ଛକ, ରବିଟକିଜ୍‌ ଛକରେ ବିକ୍ଷୋଭ କରିଥିଲେ। ସେହିପରି ବିଜେପି କର୍ମିମାନେ ବଢ଼େଇବାଙ୍କ ଛକଠାରୁ ବାହାରି ଏକ ବାଇକ୍‌ ଶୋଭାଯାତ୍ରା କରିଥିଲେ। ଏଥିରେ ବିଜେପି ନେତା ଅମିୟ ଦାଶ, ସମିର ମହାନ୍ତି ସାମିଲ ହୋଇଥିଲେ। ଅନୁରୂପ ଭାବେ ଶିଶୁପାଳଗଡ଼ ଛକରୁ ଏକ ବାଇକ୍‌ ଶେଭାଯାତ୍ରା ବାହାରି ଦଳୀୟ କାର୍ଯ୍ୟାଳୟକୁ ଯାଇଥିଲା। ସେହିପରି ସାମନ୍ତରାପୁର ଛକ ଓ ଓରକଳ ଗ୍ରାମ ଛକଠାରେ କଂଗ୍ରେସ କର୍ମିମାନେ ଟାୟାର ଜାଳି ରାସ୍ତା ରୋକ କରିଥିଲେ। ଗାଡ଼ି ଭଙ୍ଗାରୁଜା ଭୟରେ ରାସ୍ତାରେ ସାଧାରଣ ଲୋକେ ଚାରି ଚକିଆ ଯାନ ଓ ଅଟୋ ଚଳାଚଳ ଏତେଟା ଦେଖିବାକୁ ମିଳିନଥିଲା। ଏହା ଫଳରେ ସାଧାରଣ ଲୋକ ଜିବା ଆସିବାରେ ସମସ୍ୟା ଭୋଗିଥିଲେ। ଏହି ବନ୍ଦ ଯୋଗୁ କେତେକ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ପୁରୁଣା ଭୁବନେଶ୍ୱରରେ ଦୋକାନ ଖୋଲା ରହିଥିଲା।

ବିକ୍ଷୋଭକାରୀ ଅଳିଆ କଲେ, ସ୍ୱେଚ୍ଛାସେବୀ ସଫା କଲେ

କୁନ୍ଦୁଲି ଘଟଣାକୁ ନେଇ ଆଜି ରାଜଧାନୀରେ କଂଗ୍ରେସ ଓ ବିଜେପି ଦଳ ପକ୍ଷରୁ ବନ୍ଦ ଓ ହରତାଳ କରାଯାଇଥିଲା। ବିକ୍ଷୋଭକାରୀ ରାଜଧାନୀର ବିଭିନ୍ନ ସ୍ଥାନରେ ଟାୟାର ଜାଳି ଏହାର ପ୍ରତିବାଦ କରିଥିଲେ। ଘଣ୍ଟା ଘଣ୍ଟା ଧରି ରାଜରାସ୍ତାରେ ଟାୟାର ଜଳି ରହିଥିଲା। ତେବେ ସ୍ୱେଚ୍ଛାସେବୀ ସଂଗଠନ ‘ସଂକଳ୍ପ’ର କର୍ମକର୍ତାମାନେ ଟାୟାର ଅଳିଆକୁ ନିଜେ ଆଣିଥିବା ଏକ ଟ୍ରଲିରେ ଉଠାଇ ନେଇଥିଲେ। ଦେହରେ ସ୍ୱଚ୍ଛ ଭାରତ ଅଭିଯାନ ଟି-ସାର୍ଟ ପିନ୍ଧି ରାଜଧାନୀର ବିଭିନ୍ନ ଛକରେ ସ୍ୱେଚ୍ଛାସେବୀମାନେ ଏହାକୁ ସଫା କରୁଥିଲେ। ରାଜନୈତିକ ନେତାମାନେ କେବଳ ଭାଷଣରେ ସ୍ୱଚ୍ଛଭାରତ କଥା କହୁଥିବା ବେଳେ ବାସ୍ତବରେ ଏହାର ଓଲଟା କରନ୍ତି।ଅନ୍ୟ ସମୟରେ ଗଳିକନ୍ଦି ରାସ୍ତାରେ ଏଭଳି କାର୍ଯ୍ୟ କରୁଥିବା ଆଜି ରାସ୍ତାରେ ସଫା କରୁଛୁ ବୋଲି ‘ସଂକଳ୍ପ’ର କର୍ମକର୍ତା କହିଛନ୍ତି।

ପେଟ୍ରୋଲ୍‌ ଲିଟରକୁ ୧୨୦ଟଙ୍କା

ଓଡ଼ିଶା ବନ୍ଦ ଯୋଗୁଁ ପେଟ୍ରୋଲ୍‌ ପମ୍ପ୍‌ ବନ୍ଦ ରହିଥିଲା। ଗତକାଲି ତତ୍‌କ୍ଷଣାତ ଓଡ଼ିଶା ବନ୍ଦ ହେବା ନେଇ ସୂଚନା ମିଳିବାରୁ ବହୁ ଲୋକେ ନିଜ ଗାଡ଼ିରେ ପେଟ୍ରୋଲ୍‌ ପକେଇ ପାରିନଥିଲେ। ଏଣେ ପେଟ୍ରୋଲ୍‌ ଟାଙ୍କି ଖୋଲି ନଥିବାରୁ ଏହାର ଫାଇଦା ନେଇଥିଲେ ଅଦିନିଆ ପେଟ୍ରୋଲ୍‌ ବ୍ୟବସାୟୀ। ତେବେ ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୭୧ଟଙ୍କା ୨୮ ପଇସା ଥିବା ବେଳେ ପେଟ୍ରୋଲ୍‌ ଟାଙ୍କି ସାମ୍ନାରେ ଠିଆ ହୋଇଥିବା ଅଦିନିଆ ପେଟ୍ରୋଲ୍‌ ବ୍ୟବସାୟୀମାନେ ଲିଟର ପିଛା ୧୨୦ ଟଙ୍କାରେ ପେଟ୍ରୋଲ୍‌ ବିକିଥିଲେ। କେଉଁଠି କେଉଁଠି ପେଟ୍ରୋଲ୍‌ ୨୦୦ ଟଙ୍କାରେ ବିକ୍ରି ହୋଇଥିବା ମଧ୍ୟ କିଛି ବ୍ୟକ୍ତି କହିଥିଲେ।

 

କଂଗ୍ରେସ କର୍ମୀ ନାହାନ୍ତି କି ଚିହ୍ନ ନାହିଁ


ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳରେ ବନ୍ଦ ବେଳେ କଂଗ୍ରେସର କୌଣସି କର୍ମୀ ନ ରହିବା ଦୃଷ୍ଟିକୁ ଆସିିଛି। ବିଜେପି ପକ୍ଷରୁ ବିଭିନ୍ନ ଛକରେ ହରତାଳ ପାଳନ ହୋଇଥିବା ବେଳେ ନାକୌଣସି କଂଗ୍ରେସ୍‌ କର୍ମୀ ନା କୌଣସି ବ୍ୟାନର ପୋଷ୍ଟର ଦେଖିବାକୁ ମିଳିଥିଲା। ଏଥିରୁ ସମ୍ପୂର୍ଣ୍ଣ ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ କ୍ଷେତ୍ରରେ କଂଗ୍ରେସର ସଂଗଠନର ଦୁର୍ବଳ ସ୍ଥିତି ପଦାରେ ପଡ଼ିଥିଲା। କଂଗ୍ରେସ ବନ୍ଦ ଡାକରା ଦେଇଥିବା ବେଳେ ବିଜେପି ହିଁ ବନ୍ଦକୁ ସଫଳ କରିବାକୁ ଉଦ୍ୟମ କଲା ଭଳି ଲକ୍ଷ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର