ପୁରୁଣା ‘ସିଟି ବସ୍‌’ ହେବ ମୋ’ ବସ୍‌

ନଭେମ୍ବର ସୁଦ୍ଧା ପୂର୍ଣ୍ଣାଙ୍ଗ ବସ୍‌ଷ୍ଟାଣ୍ଡ, ଖୁବ୍‌ଶୀଘ୍ର ପୁରୀକୁ ଗଡ଼ିବ, ବସ୍‌ରେ ରହିବ ଏଫ୍‌.ଏମ୍‌ ରେଡିଓ

ଭୁବନେଶ୍ବର : ଭୁବନେଶ୍ବର ସହର ବଢ଼ୁଛି। ଜନସଂଖ୍ୟା ବି ବୃଦ୍ଧି ପାଉଛି। ଟ୍ରାଫିକ୍‌ ବଢ଼ିବା ସହ ଲୋକଙ୍କ ଚଳପ୍ରଚଳ ବି ବଢ଼ୁଛି। ତା’ ସହିତ ସହରରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ଅନ୍ୟ ରାଜ୍ୟ ତୁଳନାରେ ଆମେ ଭଲ ସ୍ଥିତିରେ ରହିଛେ। ତେବେ ଆଗକୁ ସୃଷ୍ଟି ହେବାକୁ ଥିବା ସମସ୍ୟାର ମୁକାବିଲା ଲାଗି ଆମକୁ ଏବେଠୁ ଯୋଜନା ପ୍ରସ୍ତୁତ କରିବାକୁ ହେବ। ସର୍ବସାଧାରଣ ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ନିର୍ଦ୍ଧାରିତ ସମୟରେ ସେବା ଯୋଗାଇବା, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବାକୁ ପଡ଼ିବ। ମୋ’ ବସ୍‌’ ସେବା ମାଧ୍ୟମରେ ସହରବାସୀଙ୍କ ପାଇଁ ଏକ ମଡେଲ୍‌ ପରିବହନ ସେବା ଗଢ଼ି ‌ପାରିଛୁ। ସମସ୍ତଙ୍କ ସହଯୋଗ ରହିଲେ ଅନ୍ୟ ମେଟ୍ରୋ ସହରଗୁଡ଼ିକଠାରୁ ଆମେ ଭଲ ସେବା ‌ଯୋଗାଇପାରିବା। ମୋ’ ବସ୍‌ ସେବାର ବର୍ଷ ପୂର୍ତ୍ତି ଅବସରରେ ଜୟଦେବ ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ମୋ’ ବସ୍‌ର କ୍ୟାପଟେନ୍‌ ଓ ଗାଇଡ୍‌ଙ୍କ ଯୋଗୁଁ ଆଜି ସଫଳତା ମିଳିଛି। ବସରେ ସିସିଟିଭି, ଏଲ୍‌ଇଡି ଡିସ୍‌ପ୍ଲେ, ପାସ୍‌ ସୁବିଧା, ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଦୈନିକ ୮୫ ହଜାର ଯାତ୍ରୀ ମୋ’ ବସ୍‌ରେ ଯାତ୍ରା କରୁଛନ୍ତି। ବେଳେବେଳେ ଏହି ସଂଖ୍ୟା ଏକ ଲକ୍ଷ ଛୁଇଁଯାଉଛି। ଉତ୍ତର ପ୍ରଦେଶର ପ୍ରୟାଗରାଜ, ରାଜସ୍ଥାନର ଜୟପୁର, ମହାରାଷ୍ଟ୍ରର ନାସିକ୍‌ ସହରଠାରୁ ଆମେ ବହୁତ ଆଗରେ ରହିଛୁ। ବଢ଼ୁଥିବା ସହରର ପ୍ରଦୂଷଣ ମାତ୍ରା ହ୍ରାସ କରିବା ଲାଗି ଖୁବ୍‌ଶୀଘ୍ର ୫୦ଟି ଇଲେକ୍‌ଟ୍ରୋନିକ୍‌ ବସ୍‌ ସେବା ଆରମ୍ଭ ‌କରାଯିବ ବୋଲି କହିଥିଲେ। ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତୋ ବାଗ୍‌ଚୀ ଅନ୍ୟତମ ଅତିଥି ଭାବେ ଯୋଗ‌ଦେଇ ମୋ’ ବସ୍‌ର କ୍ୟା‌ପଟେନ୍‌ ଓ ଗାଇଡ୍‌ ଓଡ଼ିଶାର ଦୂତ ବୋଲି କହିଥିଲେ।

କ୍ୟାପିଟାଲ ରିଜଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ(କ୍ରୁଟ୍‌)ର ପରିଚାଳନା ନିର୍ଦେଶକ ଅରୁଣ ବୋଥ୍ରା ଯୋଗଦେଇ କହିଲେ, ତିନି ମାସ ହେଲା ମୋ’ ବସ୍‌ରେ ପ୍ରତିଦିନ ୮୫ହଜାର ଯାତ୍ରୀ ଯିବା ଆସିବା କରୁଛନ୍ତି। ଏବେ ପ୍ରତିଦିନ ୧୨ଲକ୍ଷରୁ ଅଧିକ ଟଙ୍କା ଆୟ ହେଉଛି। ତଥାପି ମୋ’ ବସ୍‌ କ୍ଷତିରେ ଚାଲୁଛି। ‌ତେବେ ୨୦୨୦ ସୁଦ୍ଧା‌ ପ୍ରତିଦିନ ୧୭ଲକ୍ଷ ଟଙ୍କା ଆୟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଲାଭ ନ ହେଲେ ମଧ୍ୟ କ୍ଷତି ହେବ ନାହିଁ। ଏବେ ୨୦ଟି ରୁଟ୍‌ରେ ୨୦୦ ବସ୍‌ ଗଡ଼ୁଛି। ଆଗାମୀ ଦିଗରେ ଅଚଳ ହୋଇପଡ଼ିଥିବା ସିଟି ବସ୍‌ଗୁଡ଼ିକୁ ମରାମତି କରାଯାଇ ସହରରେ ଚଳାଚଳ କରିବ। ଏଥିପାଇଁ ସମ୍ପୃକ୍ତ ସଂସ୍ଥା ସହ ଆଲୋଚନା ଶେଷ ହୋଇଛି। ଆସନ୍ତା ୪ରୁ ୫ ମାସ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୫୦ଟି ସିଟି ବସ୍‌ ଗଡ଼ିବ। ପରବର୍ତୀ ସମୟରେ ପର୍ଯ୍ୟାୟକ୍ରମେ ଆଉ ୧୦୦ଟି ଗଡ଼ିବ। ବାତ୍ୟା ‘ଫନି’ ସମୟରେ ସହରର ୧୯୦ଟି କ୍ଷତିଗସ୍ତ ହୋଇଥିଲା। ସେଗୁଡ଼ିକର ମରାମତି ଇତିମଧ୍ୟରେ ଶେଷ ହୋଇଛି। ସମସ୍ତ ବସ୍‌ଷ୍ଟପ୍‌କୁ ପୂର୍ଣ୍ଣାଙ୍ଗ ରୂପ ‌ଦେବା ଲାଗି କାର୍ଯ୍ୟ ଚାଲିଛି। ନଭେମ୍ବର ଶେଷ ସୁଦ୍ଧା ସମସ୍ତ ବସ୍‌ଷ୍ଟପ୍‌ରେ ସବୁପ୍ରକାର ସୁବିଧା ଉପଲବ୍ଧ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ମୋ’ ବସ୍‌ରେ ଖବରକାଗଜ ଉପଲବ୍ଧ ହେଉଥିବା ବେଳେ ଆଗାମୀ ଦିନରେ ଏଫ୍‌.ଏମ୍‌ ରେଡିଓ ଲଗାଇବାକୁ ଯୋଜନା ହୋଇଛି। ଏଥିସହ ଭୁବନେଶ୍ବରରୁ ପୁରୀକୁ ମୋ’ ବସ୍‌ ଗଡ଼ିବ। ଏଥିପାଇଁ ଅନୁମତି ମିଳି ସାରିଥିବା ଶ୍ରୀ ବୋଥ୍ରା ମତପ୍ରକାଶ କରିଛନ୍ତି।

ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥନନ୍‌ ଯୋଗଦେଇ ମୋ’ ବସ୍‌ ସାରା ଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ। ଏହି ଅବସରରେ ମୋ’ ବସ୍‌ର ମାସ୍କଟ୍‌ ‘ମୋବି’କୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିବା ସହ ବସ୍‌ କ୍ୟାପଟେନ୍‌ ଓ ଗାଇଡ୍‌ଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ।

ମୋ’ ବସ୍‌ରେ ମୁଖ୍ୟମନ୍ତ୍ରୀ
୨୦୧୮ନଭେମ୍ବର ୬ରେ ରାଜଧାନୀରେ ଗଡ଼ିଥିଲା ମୋ’ ବସ୍‌। ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେବାକୁ ଉଦ୍‌ଘାଟନ କରିବା ସହ ବସ୍‌ରେ ଯାତ୍ରା କରିଥିଲେ। ଏବେ ଏହି ସେବାର ବର୍ଷ ପୂର୍ତ୍ତି ଅବସରରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ବସ୍‌ରେ ଯାତ୍ରା କରିଛନ୍ତି। ଜୟଦେବ ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବ‌ରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ୫ଟା ୫୦ରେ ବିମାନବନ୍ଦର ଛକରୁ ମୋ’ ବସ୍‌ରେ ଚଢ଼ିଥିଲେ। ନିର୍ଦ୍ଧାରିତ ସମୟରେ ଜୟଦେବ ଭବନ ନିକଟରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ବସ୍‌ ଭଡ଼ା ବାବଦକୁ କଣ୍ଡକ୍ଟର୍‌ଙ୍କୁ ୧୦ଟଙ୍କା ଦେଇଥିଲେ।

ସମ୍ବନ୍ଧିତ ଖବର