ଭୁବନେଶ୍ବର: ଆଜିର ଯାନ୍ତ୍ରିକ ଦୁନିଆରେ ମଣିଷ ଯେ ଯନ୍ତ୍ର ଦ୍ବାରା ପରିଚାଳିତ କହିଲେ ଅତ୍ୟୁକ୍ତି ହେବ ନାହିଁ। ହେଲେ କରୋନା ଲକ୍ଡାଉନ୍ ଏଥିରେ ବିରାମ ଲଗାଇଛି। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାରିଛି। ଲକ୍ଡାଉନ୍ ଯୋଗୁଁ ସବୁ ବନ୍ଦ ଥିବାରୁ ୮୦ ଓ ୯୦ ଦଶକ ଭଳି ମଣିଷ ନିଜ ଜୀବନ ବିତାଉଛି। ନିଜ ଲୋକଙ୍କ ସହ ଯୋଡ଼ି ହୋଇଛି ଓ ପୁରୁଣା ଦିନର ଅନୁଭୂତିକୁ ସାଉଁଟି ସ୍ମୃତିର ବିସ୍ତୀର୍ଣ୍ଣ ଇଲାକାରୁ ନିଜକୁ ପୁଣି ଆବିଷ୍କାର କରୁଛି। ଲକ୍ଡାଉନ୍ ଗୃହବନ୍ଦୀର ଯନ୍ତ୍ରଣା ଦେଉଛି ସତ, ଏହା ସହ ପୁରୁଣା ଦିନକୁ ପୁଣି ଥରେ ଜିଇଁବାକୁ ଉପାଦାନ ଖଞ୍ଜିଦେଇଛି। ଆଜି ମଣିଷ ବୈଷୟିକ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଯେତେ ଉନ୍ନତ ହୋଇଥିଲେ ବି ପ୍ରକୃତି ଆଗରେ ହାର ମାନିଛି। ସବୁ ଥାଇ ବି ସେ ପୁରୁଣା ଦିନକୁ ଫେରିଛି ଓ ଏହି ଦିନଗୁଡ଼ିକୁ ଖୁବ ଉପଭୋଗ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦାଣ୍ଡ ଦୁଆରେ ବାରିକ କରୁଛି ଖିଅର
ଲକ୍ଡାଉନ୍ ଯୋଗୁଁ ସମସ୍ତ ସେଲୁନ୍, ପାର୍ଲର ଆଦି ବନ୍ଦ ଥିବାରୁ ନିଶ, ଦାଢ଼ି କାଟିବା ପୁରୁଷମାନଙ୍କ ପ୍ରଧାନ ସମସ୍ୟା ଭାବେ ଠିଆ ହୋଇଛି। ୧ ମାସ ହେଲା ଚୁଟି କଟା ହୋଇନଥିବାରୁ ଅସ୍ତବ୍ୟସ୍ତ ବି ଲାଗୁଛି। ଏଭଳି ପରିସ୍ଥିତିରେ ପୁଣି ୯୦ ଦଶକ ଭଳି ଘର ଘର ବୁଲି ବାରିକ ଖିଅର କରୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ଲକ୍ଡାଉନ୍ରେ ପ୍ରାୟ ସମସ୍ତେ ରୋଜଗାର ହରାଇଥିବା ବେଳେ ବାରିକ ପୁଣି ତା’ ପୂର୍ବ ବେଉସା ଫେରି ପାଇଛି। ସେଲୁନ୍ରୁ ବାହାରି ଘର ଘର ବୁଲୁଛି। ଦାଣ୍ଡରେ ବସି ଖିଅର କରୁଛି ଓ ଗ୍ରାହକଙ୍କ ବରାଦ ମୁତାବକ ଭିନ୍ନ ଭିନ୍ନ ରକମର ଚୁଟି କାଟି ଦେଉଛି ଓ ଦାଢ଼ି ନିଶକୁ ବି ଷ୍ଟାଇଲିଷ୍ଟ ଲୁକ୍ ଦେଉଛି। କେଉଁଠି ଦାଢ଼ି, ନିଶ ଖିଅରକୁ ୩୦ ଟଙ୍କା ଓ ଚୁଟି କଟାକୁ ୫୦ ଟଙ୍କା ହୋଇଥିବା ବେଳେ ଗ୍ରାହକଙ୍କ ବରାଦ ଓ ଷ୍ଟାଇଲ ଅନୁଯାୟୀ ଗୋଟିଏ ଚୁଟି କଟାକୁ ୧୦୦ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ବାରିକମାନେ। ପ୍ରାୟ ସବୁଦିନ ସକାଳୁ ବିଭିନ୍ନ କଲୋନି, ଆବାସିକ ଅଞ୍ଚଳ ଓ ସାହି ସାହିରେ ଦୁଆରେ ବସି ବାରିକ ଖିଅର କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ୟୁନିଟ-୮ରେ ଘର ଘର ଯାଇ ଖିଅର କରୁଥିବା ଟୁକୁନା ବାରିକ କହିଛନ୍ତି, ଯିଏ ମତେ ଫୋନ୍ କରନ୍ତି ମୁଁ ସେମାନଙ୍କୁ ପଚାରେ, ତାଙ୍କ ଘରକୁ କେହି ବାହାର ଲୋକ ଆସିଛନ୍ତି କି ନାହିଁ। ଯଦି ଆସିଥିବେ ଯାଏନି। ବିଶେଷ କରି ମୁଁ ଆଖପାଖର ଚିହ୍ନା ଜଣା ଲୋକଙ୍କ ପାଖକୁ ଯାଏ ଖିଅର ପାଇଁ। ମୁହଁରେ ମାସ୍କ ଓ ହାତରେ ଗ୍ଲୋବ୍ସ୍ ପିନ୍ଧି ଚୁଟି କାଟେ ଓ ଖିଅର କରେ। ଆଉ କାମ ସରିବା ପରେ ସବୁ ସରଞ୍ଜମକୁ ଭଲ ଭାବେ ସାବୁନରେ ସଫା କରେ। ପେଟ ପାଇଁ ତ’ ରୋଜଗାର ଛାଡ଼ି ହେବନି। କିନ୍ତୁ ନିଜ ସୁରକ୍ଷା ପାଇଁ ସଚେତନ ବି ରହିବାକୁ ପଡ଼େ।
ଫେରିଛି ଲୁଡ଼ୁ ଓ ତାସ୍ ଖେଳ
ଘରୁ ଘରୁ ଏବେ ଭାସୁ ଆସୁଛି ଲୁଡ଼ୁର ଠକ୍ ଠକ୍ ଶବ୍ଦ। ସାହି, ବସ୍ତି ଓ ଛକରେ ଦେଖିବାକୁ ମିଳୁଛି ଲୋକଙ୍କ ତାସ୍ ଖେଳ। ପରିବାରର ସମସ୍ତେ ମିଶି ତାସ ବା ଲୁଡ଼ୁ ଖେଳିବାର ମଜା ଛଡ଼ାଇ ନେଇଥିଲା ଭିଡିଓ ଗେମ୍ ଓ ଅନ୍ଲାଇନ୍ ଖେଳ। କିନ୍ତୁ ଲକ୍ଡାଉନ୍ର ପ୍ରଚୁର ସମୟ ପୁଣି ସେଦିନର ସେହି ମଜା ସବୁ ଫେରାଇ ଆଣିଛି। ମଧ୍ୟାହ୍ନ ଭୋଜନ ପରେ ଓ ସଂଧ୍ୟା ବେଳେ ଘରେ ଘରେ ଖୁବ୍ ଜମୁଛି ଏହି ଖେଳ। ରାତ୍ରିଭୋଜନ ପରେ ବି ବିଳମ୍ବିତ ରାତ୍ରି ଯାଏ ଏହି ଖେଳ ଖେଳାଯାଉଥିବା ଦେଖିବାକୁ ମିଳୁଛି। ପରିବାରର ପିଲାଠାରୁ ବୟସ୍କ ଯାଏ ସମେସ୍ତ ଏହି ଖେଳରେ ମାତିବା ସହ ଏହି ସବୁ ଖେଳ ପାରିବାରିକ ବନ୍ଧନକୁ ଅଧିକ ନିବିଡ଼ କରୁଥିବା ଦେଖିବାକୁ ମିଳୁଛି। ଗୃହିଣୀ ଶ୍ବେତସ୍ବିନୀ ପ୍ରହରାଜ କୁହନ୍ତି, ଆଗରୁ କାହାକୁ ସମୟ ନ ଥିଲା। ସ୍ବାମୀ ଅଫିସ ଏବଂ ପିଲାମାନେ ସ୍କୁଲ ଓ ଟିଉସନରେ ବ୍ୟସ୍ତ ରୁହନ୍ତି। ଘରକୁ ଫେରିଲେ ପ୍ରାୟ ସମସ୍ତେ ଟିଭି କିମ୍ବା ମୋବାଇଲ୍ରେ ବ୍ୟସ୍ତ ହୋଇଯାଆନ୍ତି। କିନ୍ତୁ ଲକ୍ଡାଉନ୍ ଏ ସବୁକୁ ବିରାମ ଦେଇଛି। ଏବେ ଆମେ ସମସ୍ତେ ମିଶି ଟିକେ ଇନ୍ଡୋର ଖେଳ ଖେଳିବାର ସୁଯୋଗ ପାଇଛୁ।
ପାଦ ଚଲା ଓ ସାଇକେଲକୁ ଭରସା
ଚାରିଚକିଆ ଓ ଦୁଇଚକିଆ ଯାନ ଉପରେ ମଣିଷ ଏବେ ନିର୍ଭରଶୀଳ ଥିଲା ଯେ ସାଇକେଲ ଚଲାଇବା ଓ ପାଦରେ ଚାଲିବା ସତେଯେମିତି ପୁରୁଣାକାଳିଆ ହୋଇଯାଇଥିଲା। ପାଖ ବଜାରକୁ ଗଲେ ବି ଲୋକେ ଗାଡ଼ି ନେଇ ଯାଉଥିଲେ। ଗଳିକନ୍ଦିରେ ଥିବା ଛୋଟ ଦୋକାନରେ ବି ଚାରିଚକିଆ, ଦୁଇଚକିଆ ଯାନ ଲାଗୁଥିଲା। କେବଳ ସ୍ବାସ୍ଥ୍ୟ ସଚେତନ ଲୋକ ଯାହା ଟିକେ ଚଲାବୁଲା କରୁଥିଲେ ଓ ବ୍ୟାୟାମ ପାଇଁ ସହରୀ ଲୋକ ସାଇକେଲ ବ୍ୟବହାର କରୁଥିଲେ। କିନ୍ତୁ ଏବେ ସାଇକେଲ୍ର ବ୍ୟବହାର ବହୁମାତ୍ରାରେ ବଢ଼ି ଯାଇଛି। ଦୋକାନ, ବଜାର ଯିବା ପାଇଁ ହେଉ କି ଅଫିସ୍ ଯିବା ପାଇଁ, ସାଇକେଲ୍ ବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି। ପୁଣି ବିଭିନ୍ନ ବଜାରକୁ ଗାଡ଼ି ନେଇ ଗଲେ ପୁଲିସ୍ ଜବତ କରୁଥିବାରୁ ଲୋକ ସାଇକେଲ୍ରେ ଯିବାକୁ ନିରାପଦ ମଣୁଛନ୍ତି। ଅବଶ୍ୟ ଏବେ ସାଇକେଲ୍ ଦୋକାନ ଖୋଲୁ ନାହିଁ କି ନୂଆ ସାଇକେଲ୍ ବିକ୍ରି ହେଉ ନାହିଁ। କିନ୍ତୁ ଲୋକଙ୍କ ପାଖେର ଯେତିକି ସାଇକେଲ୍ ଥିଲା, ତାହାର ବ୍ୟବହାର ବଢ଼ିଯାଇଛି। ସେହିପରି ଲକ୍ଡାଉନ୍ ଯୋଗୁ ଚାଲି ଚାଲି ଯା’ଆସ କରିବା ବି ବହୁ ଲୋକଙ୍କ ଅଭ୍ୟାସ ପାଲଟିଯାଇଛି। ପୁଲିସ୍ର ଡରରେ ହେଉ କିମ୍ବା ଆତ୍ମସଚେତନ ପାଇଁ ହେଉ, ଚାଲି ଚାଲି ବଜାର ଯିବା ବହୁ ଲୋକଙ୍କ ରୁଟିନ୍ ପାଲଟିଯାଇଛି।