ଧଉଳି : ପୁଅଝିଅଙ୍କୁ ଦୁନିଆର ଆଲୋକ ଦେଖାନ୍ତି ବାପା, ମା’। ସେମାନଙ୍କ ହାତ ଧରି ବାଟ ଚାଲିବା ଶିଖାନ୍ତି। ନିଜ ଗୋଡ଼ରେ ଠିଆ କରିବା ପାଇଁ ଜୀବନକୁ ବାଜି ଲଗାଇବା ସହ ସମସ୍ତ ରୋଜଗାରକୁ ପାଣି ଭଳି ବୁହାଇ ଦିଅନ୍ତି। ମାତ୍ର ପରିଣତ ବୟସରେ ପିଲାମାନଙ୍କ ପାଇଁ ଅଲୋଡ଼ା ହୋଇଯାଆନ୍ତି। ଏପରି ଅନେକ ଉଦାହରଣ ଥିବା ବେଳେ ଏମିତି ଏକ ଘଟଣା ଆଜି କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ବରିଷ୍ଠ ନାଗରିକ ସିରାଜଉଦ୍ଦିନ (୭୫)ଙ୍କ ସହ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁଅବୋହୂଙ୍କ ନିର୍ଯାତନା ଅସହ୍ୟ ହେବାରୁ ସିରାଜଉଦ୍ଦିନ ଘର ଛାଡ଼ି ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା ହାଉସିଂ କଲୋନିରେ ରହୁଥିଲେ। ପଡ଼ୋଶୀମାନେ ତାଙ୍କର ଖାଇବା ପିଇବା କଥା ବୁଝୁଥିଲେ। ଆଜି ରାତି ପ୍ରାୟ ୯ଟା ବେଳେ ସେ ପାଇଖାନା ଯାଇଥିବା ବେଳେ ତଳେ ପଡ଼ି ଗୁରୁତର ହୋଇପଡ଼ିଥିଲେ। ପଡ଼ୋଶୀମାନେ ଏ ସଂପର୍କରେ ପୁଲିସ କଣ୍ଟ୍ରୋଲ ରୁମ୍କୁ ଜଣାଇଥିଲେ। ଖବର ପାଇ ପିସିଆର୍ ପୁଲିସ ଅଧିକାରୀ କାଶୀନାଥ ଦାଶ ଓ ଅନ୍ୟ ପୁଲିସ କର୍ମଚାରୀମାନେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏନେଇ ଶ୍ରୀ ଦାଶ ତାଙ୍କ ଦୁଇ ପୁଅ ଓ ବୋହୂଙ୍କୁ ଫୋନ୍ରେ ଯୋଗାଯୋଗ କରିଥିଲେ। ମାତ୍ର ସେମାନେ ବାପାଙ୍କୁ ଚିହ୍ନି ନଥିବା କହି ଫୋନ୍ କାଟି ଦେଇଥିଲେ। ଅପରପକ୍ଷେ ସିରାଜଉଦ୍ଦିନଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ସେ ତାଙ୍କ ଭଉଣୀଙ୍କ ହେପାଜତରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।