ପେଟ ପାଇଁ କେତେ ନାଟ ! ଦିବ୍ୟାଙ୍ଗ ପତ୍ନୀଙ୍କୁ ଦି’ମୁଠା ଖାଇବାକୁ ଦେବା ପାଇଁ ଦେଖନ୍ତୁ କିପରି ରାଜଧାନୀ ରାଜରାସ୍ତାରେ କଲମ ବିକୁଛନ୍ତି ଏହି ବୃଦ୍ଧ

ସ୍ୱତନ୍ତ୍ର ରିପୋର୍ଟ: ରୀନା ରାମ୍‌

ଭୁବନେଶ୍ୱର(ରୀନା ରାମ୍‌): ସମୟସମୟରେ ରାସ୍ତାଘାଟରେ ଯିବାଆସିବା ବେଳେ ଅନେକ ଘଟଣା ଆଖିରେ ପଡ଼ିଥାଏ। କେହିକେହି ଏସବୁକୁ ଅଣଦେଖା କରି ଚାଲି ଯାଉଥିବା ବେଳେ ଆଉ କେତେକ ଘଟଣା ଜାଣିବାକୁ ମନବଳାଇ ଥାଆନ୍ତି ।

ଭୁବନେଶ୍ୱର ଜୟଦେବବିହାର ଟ୍ରାଫିକ୍‌ ଛକ ନିକଟରେ ଏମିତି ଏକ ଦୃଶ୍ୟ ଆଖିରେ ପଡ଼ିଥିଲା ଯେ ସେଠାରେ ଅଜାଣତରେ ପାଦ ଅଟକି ଯାଇଥିଲା। ଏହି ଦୃଶ୍ୟଟି ଥିଲା ଜଣେ ବୃଦ୍ଧଙ୍କର ନିଆରା କଲମ ବିକା ଶୈଳୀ।

ଜୟଦେବବିହାର ଟ୍ରାଫିକ୍‌ ଛକ ନିକଟରେ ଏହି ବୃଦ୍ଧଙ୍କୁ ବହୁତ କଷ୍ଟସ୍ବୀକାର କରି କଲମ ବିକୁଥିବା ଦେଖି ଆମେ ତାଙ୍କ ପାଖକୁ ଯାଇଥିଲୁ। ତାଙ୍କର କଷ୍ଟ ଦେଖି ହଠାତ ତାଙ୍କୁ କିଛି ପଚାରିବାକୁ ସାହସ ହୋଇ ନ ଥିଲା। କିଛି ସମୟ ପରେ ମନକୁ ଦୃଢ଼ କରି ଏପରି ପରିଣତ ବୟସରେ ଠିକ୍‌ ଭାବେ ଚାଲିପାରୁ ନ ଥିବା ବେଳେ କାହିଁକି କଲମ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଆମେ ତାଙ୍କୁ ପଚାରିଥିଲୁ। ତାଙ୍କୁ ସଠିକ୍‌ ଭାବେ ଶୁଣା ଯାଉ ନଥିବା  ଜାଣିବାକୁ ପାଇଲୁ।

ତେଣୁ ଟିକେ ଜୋରପାଟିରେ ପଚାରିବାରୁ ସେ ଡ଼ରଡ଼ର ହୋଇ ଅତି ଧୀରସ୍ୱରରେ କହିଥିଲେ ତାଙ୍କ ପତ୍ନୀ ଜଣେ ଅନ୍ଧ। ତାଙ୍କର ଗୋଟିଏ ବୋଲି ଝିଅ, ଯାହାର ବିବାହ ସେ କରାଇ ଦେଇଛନ୍ତି। ଝିଅଟି ଏବେ ତାର ଶାଶୁଘରେ ରହିଛି। ଆର୍ଥିକସ୍ଥିତି ଆଦୌ ଠିକ୍‌ ନାହିଁ। ଗୋଟିଏ ବେଳା ଖାଇଲେ ଆର ବେଳାକୁ ଉପବାସ ରହିବାକୁ ପଡ଼ୁଛି। ପତ୍ନୀ ଅନ୍ଧ ହୋଇ ଥିବାରୁ ସେ କିଛି କରି ପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ସେ କାହା ଉପରେ ବୋଝ ହୋଇ ରହିବାକୁ ଚାହିଁ ନାହାନ୍ତି। ତେଣୁ ପେଟକୁ ଦ୍ୱିମୁଠା ଖାଇବାକୁ ଦେବା ପାଇଁ ଅନ୍ୟ କୌଣସି ବିକଳ୍ପ ନପାଇ ସେ ଏହି ପନ୍ଥା ଆପଣାଇଛନ୍ତି ବୋଲି କହିଥିଲେ। ଏତିକି କହୁକହୁ ସେ କାନ୍ଦକାନ୍ଦ ହୋଇଯାଇ ଥିଲେ। ତେଣୁ ତାଙ୍କୁ ଆଉ କିଛି ପଚାରିବାକୁ ମନରେ ସାହାସ ହୋଇ ନ ଥିଲା।

ଆମେ ତାଙ୍କ ପାଖରୁ ଚାଲି ଆସି କିଛି ବାଟ ଦୂରରେ ଥାଇ ତାଙ୍କ ଗତିବିଧିକୁ ଅନୁଧ୍ୟାନ କରିଥିଲୁ।  ଠିକ୍‌ ଭାବେ ଚାଲି ପାରୁ ନଥିବା ଏହି ବୃଦ୍ଧ ଜଣକ ଟ୍ରାଫିକ୍‌ରେ ନାଲିବତି ଜଳିଲେ ଲୋକମାନଙ୍କ ପାଖକୁ ଯାଇ ଅତି ସ୍ନେହରେ କଲମ ବଢ଼ାଇ ଦେଇ କିଣିବାକୁ ଅନୁରୋଧ କରୁଛନ୍ତି। ଗୋଟିଏ କଲମର ମୂଲ୍ୟ ମାତ୍ର ୧୦ଟଙ୍କା ଥିବା ବେଳେ କେହିକେହି ବୃଦ୍ଧଙ୍କୁ  ଅଧିକ ୨୦/୩୦ଟଙ୍କା ଦେଉଥିବା ବେଳେ ଆଉ କେହି କଲମ ନ ନେଇ ମଧ୍ୟ ଅବସ୍ଥା ଦେଖି ତାଙ୍କୁ ସାହାଯ୍ୟ ପାଇଁ କିଛି ଟଙ୍କା ବଢ଼ାଇ ଚାଲି ଯାଉଛନ୍ତି। ବୃଦ୍ଧ ଜଣକ ଖୁବ୍‌ ଖୁସିରେ ସେହି ଟଙ୍କାକୁ ମୁଣିରେ ପୁରାଇ ରାସ୍ତାପାର୍ଶ୍ୱକୁ ଚାଲି ଆସୁଛନ୍ତି ଏବଂ ପୁଣି  ଟ୍ରାଫିକ୍‌ ଅଟକିବାକୁ ଅପେକ୍ଷା କରୁଛନ୍ତି, ଯାହାର ଦୃଶ୍ୟ ଆପଣ ନିମ୍ନୋରେ ଥିବା ଭିଡିଓରେ ଦେଖି ପାରିବେ।

ବୃଦ୍ଧ ଜଣକ କୌଣସି ଉପାୟରେ ରାଜସ୍ଥାନର ବୁନ୍ଦିରୁ ଭୁବନେଶ୍ୱର ଚାଲି ଆସିଛନ୍ତି। ତାଙ୍କ ନାମ ଶୁକରାମ୍‌ ଏବଂ ସେ ଛକଛକ ବୁଲି ଏପରି କଲମ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।

 

ସମ୍ବନ୍ଧିତ ଖବର