ଛି, କି ପୁଅ! ବାଥ୍‌ରୁମ୍‌ରେ ବୁଢ଼ା ବାପାକୁ ବନ୍ଦୀ

ଭୁବନେଶ୍ୱର : ବୃଦ୍ଧ ବାପାଙ୍କୁ ଲଣ୍ଡା କରି ବାଥ୍‌ରୁମ୍‌ରେ ବନ୍ଦୀ କରି ରଖିବା ଭଳି ଏକ ଅଭାବନୀୟ ଘଟଣା ଆଜି ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ପୁଣି ଘଣ୍ଟାଏ କି ଦିନକର କଥା ନୁହେଁ, ପୂରା ୮ ଦିନ କାଳ ବାଥ୍‌ରୁମ୍‌ରେ ବନ୍ଦୀ ଥିବା ବୃଦ୍ଧ ବାପା ଆଜି ଏହି ଅକଥନୀୟ ନିର୍ଯାତନାରୁ ମୁକୁଳିଛନ୍ତି। ଏତେ ସତ୍ତ୍ବେ ପୁଅ ବିରୋଧରେ ପୁଲିସ ଆଗରେ ମୁହଁ ଖୋଲି ନାହାନ୍ତି ବୃଦ୍ଧ। ବରଂ ତାଙ୍କୁ କୌଣସି ଜରାଶ୍ରମରେ ଛାଡ଼ି ଦେବାକୁ ପୁଲିସକୁ ଅନୁରୋଧ କରିଛନ୍ତି। ସମ୍ପତ୍ତି ଲୋଭରେ ପୁଅ ଏଭଳି ଘୃଣ୍ୟ କାଣ୍ଡ ଭିଆଇବାକୁ ପଛାଇ ନଥିବା ବେଳେ ବୃଦ୍ଧ ବାପା ପୁଅକୁ କ୍ଷମା କରି ଦେଇଥିବା ଏହି ମାମଲା ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଏମିତି; ମଞ୍ଚେଶ୍ୱର ଥାନା ପଳାସୁଣି ଅଞ୍ଚଳରେ ପୁଅ ଓ ବୋହୂଙ୍କ ସହ ବୃଦ୍ଧ ନବଘନ ରୁହନ୍ତି। ଗତ ପ୍ରାୟ ୮ ଦିନ ହେଲା ପାଖ ପଡ଼ୋଶୀମାନେ ନବଘନଙ୍କୁ ଦେଖିବାକୁ ପାଇନଥିଲେ। ବୋଧହୁଏ ସେ ବାହାରକୁ ଯାଇଛନ୍ତି ବୋଲି ସେମାନେ ଧରି ନେଇଥିଲେ। କିନ୍ତୁ ଆଜି ହଠାତ୍ ‌ପଡ଼ୋଶୀମାନେ ତାଙ୍କୁ ତାଙ୍କ ଘରର ବାଲ୍‌କୋନି ଉପରେ ବଞ୍ଚାଅ ବଞ୍ଚାଅ ବୋଲି ପାଟି କରୁଥିବାର ଦେଖିଲେ। ସେ ନଣ୍ଡା ହୋଇଯାଇଥିବାରୁ ପ୍ରଥମେ କେହି ତାଙ୍କୁ ଚିହ୍ନି ପାରିନଥିଲେ। ତେବେ ତାଙ୍କୁ ଚିହ୍ନିବା ପରେ ପଡ଼ୋଶୀମାନେ କିଛି ଅଘଟଣ ଘଟିଥିବା ଆଶଙ୍କା କରି ପ୍ରଥମେ ମଞ୍ଚେଶ୍ବର ଥାନାକୁ ଫୋନ୍‌ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ବାଡ଼େଇଥିଲେ ହେଁ କେହି କବାଟ ଖୋଲି ନଥିଲେ। ତେଣୁ ବାଧ୍ୟ ହୋଇ ପୁଲିସ ସିଡ଼ି ସାହାଯ୍ୟରେ ନବଘନଙ୍କୁ ବାଲ୍‌କୋନିରୁ ଉଦ୍ଧାର କରିଥିଲା।

ତଳକୁ ଆସିବା ପରେ ନବଘନ ଗତ ୮ ଦିନର କରୁଣ କାହାଣୀ ବର୍ଣ୍ଣନା କରିଥିଲେ। ତାଙ୍କ ପୁଅ ତାଙ୍କୁ ମାର୍‌ପିଟି କରି ନଣ୍ଡା କରିବା ପରେ ଗାଧୁଆ ଘରେ ବନ୍ଦ କରି ରଖିଥିଲା ବୋଲି ସେ କାନ୍ଦି କାନ୍ଦି କହିଥିଲେ। ଅଧାପେଟରେ ଗାଧୁଆ ଘରେ ବନ୍ଦୀ ହୋ‌ଇ ସେ ବଡ଼ କଷ୍ଟରେ ଥିଲେ ବୋଲି କହିଥିଲେ। ଆଜି ତାଙ୍କ ପୁଅ ଗାଧୁଆ ଘର କବାଟକୁ ବାହାରୁ ବନ୍ଦ କରିବାକୁ ଭୁଲି ଯାଇଥିବାରୁ ସେ ବାଲ୍‌କୋନିକୁ ବାହାରି ଆସିବାରେ ସକ୍ଷମ ହେଲେ ବୋଲି କହିଥିଲେ। ତୁରନ୍ତ ପୁଲିସ ତାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲା ଓ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଥିଲା। ସେ ସୁସ୍ଥ ଥିବା ଜଣାପଡ଼ିବା ପରେ ପୁଲିସ ତାଙ୍କୁ ପୁଅ ବିରୋଧରେ ଏତଲା ଦେବାକୁ କହିଥିଲା। କିନ୍ତୁ ନବଘନ ମନା କରି ଦେଇଥିଲେ ଓ ତାଙ୍କୁ ଜରାଶ୍ରମରେ ଛାଡ଼ିଦିଅନ୍ତୁ ବୋଲି କହିଥିଲେ। ପୁଲିସ ତାଙ୍କୁ ଏକ ଜରାଶ୍ରମରେ ଛାଡ଼ିବା ପରେ ପୁଅବୋହୂଙ୍କୁ ନୋଟିସ୍ କରିଛି।

ସମ୍ବନ୍ଧିତ ଖବର