ବାଲିଅନ୍ତା/ବାଲିଅନ୍ତା ବଜାର: ବାଲିଅନ୍ତା ଥାନା ନିକଟସ୍ଥ କୁଆଖାଇ ନଦୀରୁ ଆଜି ଜଣେ ବୃଦ୍ଧଙ୍କ ମୃତଦେହ ଜବତ କରାଯାଇଛି। ମୃତକ ହେଲେ ମଞ୍ଚେଶ୍ବର ଥାନା ଅଧୀନ ପାଣ୍ଡରା ଗ୍ରାମର ଅପର୍ତ୍ତି ମହାରଣା(୮୫)। ଶବ ବ୍ୟବଚ୍ଛେଦ ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ସୂଚନା ଅନୁସାରେ ଅପର୍ତ୍ତି ଗତକାଲି ସଂଧ୍ୟାରେ ବାଲିଅନ୍ତା ସାପ୍ତାହିକ ହାଟରୁ ପରିବା ବ୍ୟାଗ ଧରି ନଈ ଭିତରେ ଚାଲିଚାଲି ଅପରପାର୍ଶ୍ବରେ ଥିବା ପାଣ୍ଡରା ଗ୍ରାମକୁ ଫେରୁଥିଲେ। ହେଲେ ନଈ ଭିତରେ ଥିବା ପାଣି ଧାରରେ ପଶି ଯିବା ବେଳେ ଭାସି ଯାଇଥିଲେ।
କାଦୁଅରେ ପାଦ ଦବି ଯିବାରୁ ଅପର୍ତ୍ତି ସେଠାରେ ଟଳି ପଡ଼ିଥିବା ଅନୁମାନ କରାଯାଉଛି। ଏଣେ ଅପର୍ତ୍ତି ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଜି ମଧ୍ୟାହ୍ନରେ ନଈକୁ ସ୍ନାନ କରିବାକୁ ଯାଇଥିବା ଜଣେ ଲୋକ ଅପର୍ତ୍ତି ଭାସୁଥିବା ଦେଖି ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ପରେ ବାଲିଅନ୍ତା ଥାନା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।