ଭୁବନେଶ୍ବର: ଗୀତଟା ହୃଦୟ ଭିତରୁ ଆସେ। ଏଇ ଯାହା କୁହନ୍ତି, କୌଣସି ଝିଅ ପ୍ରେରିତ କଲା, ବାସ୍ତବରେ ସେୟା ନୁହେଁ। ଗୀତ ଲେଖିବା ପାଇଁ ନିଜକୁ ନିଜେ ପ୍ରେରିତ କରିବାକୁ ପଡ଼େ। ମୁଁ ବି ଗଜଲ, ଫଜଲ ବହି ପଢ଼ିବା ପରେ ଧୀରେଧୀରେ ଗୀତ ଲେଖିବା ଆରମ୍ଭ କଲି। ଏମିତି କି ଗୋଟେ ଗୋଟେ ଗୀତ ଗୋଟେ ମିନିଟ୍ରେ ଲେଖିଦେଇଛି, ଆଉ ଏମିତି ବି ଗୀତ ଅଛି, ଯାହା ଲେଖିବାକୁ ୨ ବର୍ଷ ଲାଗି ଯାଇଛି। ବଲାଙ୍ଗୀରରେ ଏକ ଉତ୍ସବକୁ ଯାଇଥାଏ। ଶ୍ରୀଗୁଣ୍ଡିଚା ଥାଏ, ମେଘୁଆ ସମୟ, ଉପରଓଳା ବସିବସି ଏକାଥରକେ ଲେଖି ଦେଇଥିଲି ‘ହେ ଫଗୁଣ ତୁମେ ଗଲା ପରେ ପରେ..ଅନେକ ଯାତନା ଏଠି…। ହେଲେ ‘ପୁଣ୍ୟର ନଦୀ ତୀରେ, ପାପର ତରୁଡାଳେ…’ଗୀତଟି ଲେଖିବାକୁ ବର୍ଷେ ଲାଗିଗଲା। ପୁଣି ‘ସ୍ମୃତି ତୁମେ ଶ୍ରାବଣ ରାତି ଅଦେଖା ଚଇତି ଛୁଆଁ…’ଗୀତଟି ଲେଖିବାକୁ ଲାଗିଗଲା ପୂରା ୨ବର୍ଷ। ଗୀତ ପ୍ରତି ରୁଚି ରଖୁଥିବା ବ୍ୟକ୍ତିବିଶେଷ ବୁଝି ନେଇଥିବେ ଯେ ଏହା ହେଉଛି ଓଡ଼ିଆ ଗୀତିଯାତ୍ରାର ଅଫେରା ନାବିକ ଅକ୍ଷୟ ମହାନ୍ତିଙ୍କ ମୁହଁର ଭାଷା। ସଂପ୍ରତି ଘରେ ସମସ୍ତେ ଲକ୍ଡାଉନ୍ ଥିବା ବେଳେ ସୋସିଆଲ ମିଡିଆରେ ଏମିତି ଅନାଲୋଚିତ କଥାର ପେଡ଼ି ଖୋଲିଛନ୍ତି ବିଶିଷ୍ଟ ସିନେ ସମୀକ୍ଷକ ଓ ସାମ୍ବାଦିକ ସୂର୍ଯ୍ୟ ଦେଓ।
Sambad is now on WhatsApp
Join and get latest news updates delivered to you via WhatsApp
କୁହାଯାଏ, ସ୍ମୃତି ସବୁବେଳେ ମଧୁର। ମନୋବିଜ୍ଞାନୀମାନେ ବି କୁହନ୍ତି, ଅନେକ ମଣିଷ ବର୍ତମାନରେ ବଞ୍ଚିବାକୁ ଚାହାନ୍ତି ନାହିଁ। ବ୍ୟକ୍ତିଟିଏ ଯେବେ ପିଲା ଥାଏ, ପିଲା ବେଳର ଅନୁଶାସନ ଯୋଗୁଁ ସେ ଭାବେ ମୁଁ ବଡ଼ ହୋଇଯାଆନ୍ତି କି? ପୁଣି ଯେବେ ସେ ବଡ଼ ହେଇଯାଏ, ଭାବେ ମୁଁ ପୁଣି ସେଇ ପିଲାଦିନକୁ ଫେରି ଯାଆନ୍ତି କି..। ଏହା ହିଁ ବାସ୍ତବତା। ଇଂରାଜୀରେ ୟାକୁ କାଳେ କୁହାଯାଏ ନଷ୍ଟାଲଜିଆ। ଓଡ଼ିଆରେ ଅତୀତର ତୃଷ୍ଣା। ଆଜି ଯେତେବେଳେ ସମେସ୍ତ ଘରେ ଲକ୍ଡାଉନ୍, ଏହି ନଷ୍ଟାଲିଜିଆ ବେଶି ଉଙ୍କି ମାରି ବାହାରି ଆସିବା ସ୍ବାଭାବିକ ମଧ୍ୟ। ଏଭଳି ସ୍ଥଳେ ସୂର୍ଯ୍ୟ ଦେଓ ସୋସିଆଲ ମିଡିଆରେ ଭେଟି ଦେଇଥିବା ଷାଠିଏ ଦଶକର ଗୀତରେ ଯେ ଏତେ ଚମକ ଥିଲା, ତାହା ଆଜି ଲକ୍ଡାଉନ୍ର ଫୁରସତ୍ରେ ଅନେକ ଅନୁଭବ କଲେଣି। ରିମିକ୍ସ ଓ ପପ୍ ଗୀତରେ ଡୁବ ମାରିଥିବା ବ୍ୟକ୍ତିଟିଏ ଯେ ପୁରୁଣା ଗୀତ ଓ ଗୀତ ପଛର ଗପକୁ ଆସ୍ବାଦନ କରିବାକୁ ଚାହେଁ, ତାହା ପ୍ରମାଣିତ ହୋଇଛି ଏହି ଗୀତଗୁଡ଼ିକୁ ସୋସିଆଲ ମିଡିଆରେ ଭରପୂର ଉପଭୋଗ କରୁଥିବା ହଜାର ହଜାର ଉତ୍ସୁକ ଶ୍ରୋତାଙ୍କ ମତାମତରୁ। ସେଥିରେ ଅଛି ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ହଳିଆ ଗୀତଠୁ ନେଇ ଅକ୍ଷୟ ମହାନ୍ତିଙ୍କ ଅଦେଖା ଚଇତି ଛୁଆଁ। ପୁଣି ସଚ୍ଚିଦାନନ୍ଦ ରାଉତରାୟଙ୍କ କବିତା ‘ବାଜି ରାଉତ’ର ଜୀବନ୍ତ ଅନୁଭବଠୁ ନେଇ ଅକ୍ଷୟ ମହାନ୍ତି ଓ ଗୀତାଙ୍କ ରୋମାଣ୍ଟିକ ଆଳାପ। ଲକ୍ଡାଉନ୍ରେ ଏସବୁ ଯେମିତି ମଣିଷକୁ ତା’ର ସେଇ ନଷ୍ଟାଲଜିଆପଣକୁ ସାକାର କରିଚାଲିଛି।
ଶ୍ରୀ ଦେଓ ପୋଷ୍ଟ କରିଥିବା ତଥା ସ୍ମୃତିକୁ ତାଜା କରୁଥିବା ସେଇ ଗୀତ ଗୁଡ଼ିକ ମଧ୍ୟରେ ରହିଛି, ନରସିଂହ ମହାପାତ୍ରଙ୍କ ରଚିତ ଓ ପ୍ରଫୁଲ ସିଂହଦେଓଙ୍କ କଣ୍ଠସ୍ବରରେ ‘ଚାହିଁଥିବ ମୋ ବାଟକୁ ଘରେ ସୁନା ଗୋରୀରେ.., ସହଳ ତୁ ଭାସିଯା ତରୀ…। ପୁଣି ସଚ୍ଚିଦାନନ୍ଦ ରାଉତରାୟଙ୍କ ରଚିତ କବିତା ‘ବାଜି ରାଉତ’କୁ କଣ୍ଠରେ ଜୀବନ୍ତ କରିଥିବା ସୁଧା ମିଶ୍ରଙ୍କ ‘ଶତାବ୍ଦୀର ଶ୍ରେଷ୍ଠ ଫୁଲ, ମୁକୁଳିତ ମୃତ୍ୟୁହୀନ ପ୍ରାଣ..। ଟେପ୍ କ୍ୟାସେଟ୍ରେ ଓଡ଼ିଆ ଆଧୁନିକ କବିତାର ଏ ଧରଣର ଚମତ୍କାର ଆବୃତ୍ତି ଥରେ ଶୁଣିଲେ ହିଁ ଏହାର ମିଠାପଣକୁ ଅନେକ ଅନୁଭବ କରିପାରିବେ। ମହମ୍ମଦ ସିକନ୍ଦର ଆଲାମଙ୍କ କଣ୍ଠରେ ଜୀବନ୍ତ ହୋଇଥିବା ‘ବନପକ୍ଷୀ ଝୁରେରେ ମନ ପକ୍ଷୀ ଝୁରେ.. ଗୀତ ସହ ତାଜା ଅଛି ତାଙ୍କ ସ୍ବରରୁ କିଛି ଅଭୁଲା କଥା। ଧନଞ୍ଜୟ ଶତପଥୀ ନାଁ’ଟି ସହ ବୋଧହୁଏ ଆଜିକାଲିର ଶ୍ରୋତାମାନେ ଏତେ ପରିଚିତ ନଥିବେ। ମାତ୍ର ତାଙ୍କ କଣ୍ଠସ୍ବରରେ ଗୀତଗୁଡ଼ିକ ହୁଏତ ଅନେକ ଶୁଣିଥିବେ। ଯେମିତି ‘ମନ ଦରଜାକୁ ବନ୍ଧୁ ମାଲିସି ନାହିଁ.., ମନ ଚୋର ଧରିବାକୁ ପୁଲିସି ନାହିଁରେ..ଭାଇ ଦାରୋଗା ନାହିଁ…। ପୁଣି ‘ଅଇଲା ବେଳକୁ ମଠମଠ ତୋର ଗଲାବେଳେ ଝଟପଟ…। ସେହିପରି ବାଳକୃଷ୍ଣ ଦାଶଙ୍କ ‘ମୋ ପାଇଁ ଜଳେ ସେ ମତେ ବି ଜଳାଏ… ଆଜି ବି ଅନେକଙ୍କୁ ସ୍ମୃତିର ଧାଂସରେ ଜଳାଏ। ଏସବୁ କେବଳ ୭୦ ବର୍ଷ ତଳର ମୂଲ୍ୟବାନ୍ ରତ୍ନ ନୁହେଁ, ବରଂ ତତ୍କାଳୀନ ସାମାଜିକ ଚିତ୍ରର ପ୍ରତିଫଳନ ମଧ୍ୟ। ହୁଏତ ତାହା ରହିଯାଇଛି କିଛି ଚିହ୍ନରା ଶ୍ରୋତାଙ୍କ ସିନ୍ଦୁକରେ, ଅବା ମନ ଗହୀରରେ…।